ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ମାମଲା ରୁଜୁ ପରେ ବିବ୍ରତ ହୋଇପଡିଛନ୍ତି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ପ୍ରଥମ ଥର ପାଇଁ ରିଆ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାକୁ ନେଇ ଏକ ଭିଡିଓ ଜାରି କରିବା ସହ ନ୍ୟାୟ ଉପରେ ବିଶ୍ବାସ ରହିଥିବା ବେଳେ ସତ୍ୟର ବିଜୟ ହେବ ବୋଲି କହିଛନ୍ତି ସେ ।
ଭିଡିଓରେ ରିଆ କହିଛନ୍ତି ଯେ ମୋତେ ଭଗବାନ ଓ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି । ସତ୍ୟ ନିଶ୍ଚିତ ସାମ୍ନାକୁ ଆସିବ । ଗଣମାଧ୍ୟମରେ ମୋ ବିରୁଦ୍ଧରେ ଅନେକ ଆଲୋଚନା ହେଉଛି । ହେଲେ ଆଇନଜୀବୀଙ୍କ ପରାମର୍ଶରେ କୌଣସି ଟିପ୍ପଣୀ ରଖୁନାହିଁ । ମାମଲା ଏବେ ବିଚାରାଧୀନ ରହିଛି । ଏହାସହ ସେ ଶେଷରେ ରିଆ 'ସତ୍ୟମେବ ଜୟତେ' ବୋଲି କହିଛନ୍ତି ।
ଶୁକ୍ରବାର ମନି ଲଣ୍ଡରିଂ ଅଭିଯୋଗରେ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରର କିଛି ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ରିଆ ଚକ୍ରବର୍ତ୍ତୀଙ୍କ ଉପରେ 15 କୋଟି ଟଙ୍କାର ହେରଫେରର ନେଇ ସୁଶାନ୍ତଙ୍କ ବାପା କେକେ ସିଂହ ଅଭିଯୋଗ ଆଣିଛନ୍ତି । ସମ୍ପୂର୍ଣ୍ଣ ସୂଚନା ଉପରେ ତର୍ଜମା କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମାମଲା ରୁଜୁ କରାଯାଇଥିବା କୁହାଯାଇଛି । ତେବେ ଆଗାମୀ ଦିନରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଘଟଣା ବାବଦରେ ପଚରାଉଚୁରା କରାଯାଇପାରେ ବୋଲି ସୂଚନା ମିଳିଛି ।