ମୁମ୍ବାଇ: ବଲିଉଡରେ ରିମେକ କିଛି ନୂଆ କଥା ନୁହେଁ । ଫିଲ୍ମ ପରେ ପୁରୁଣା ଗୀତର ରିମେକ ଏକ ନୂଆ ଟ୍ରେଣ୍ଡ ପାଲଟିଛି । ତେବେ କିଛି ଗୀତର ରିମେକ ପ୍ରଶଂସନୀୟ ହୋଇଥିବାବେଳେ କିଛି ଗୀତକୁ ସଠିକ ଭାବେ ରିମେକ କରାଯାଇପାରିନାହିଁ । ଏପରିକି ଅରଜିନାଲ ସିଙ୍ଗର ଓ ମେକର୍ସ ଏହାକୁ ନେଇ ଖପ୍ପା ହୋଇଛନ୍ତି ।
ଏବେ ଏହି ତାଲିକାରେ ସାମିଲ ହୋଇଛି ମସକଲି 2.0 । ପ୍ରସିଦ୍ଧ ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହେରଙ୍କ ଫିଲ୍ମ ଦିଲ୍ଲୀ 6ର ମସକଲି ଗୀତକୁ କମ୍ପୋଜ କରିଥିଲେ ଏ ଆର ରେହମାନ । ଏଥିରେ ଅଭିଷେକ ବଚ୍ଚନ ଓ ସୋନମ କପୁର ଅଭିନୟ କରିଥିଲେ । ତେବେ ନିକଟରେ ଏହାର ରିମେକ ମସକଲି 2.0 ରିଲିଜ ହୋଇଛି । ଏଥିରେ ସିଦ୍ଧାର୍ଥ ମଲହୋତ୍ରା ଓ ତାରା ସୁତାରିଆ ଅଭିନୟ କରିଛନ୍ତି । ରିମେକ ଗୀତଟି ଗାଇଛନ୍ତି ତୁଲସୀ କୁମାର ଓ ସଚେତ ଟଣ୍ଡନ । କମ୍ପୋଜ କରିଛନ୍ତି ତନିଷ୍କ ବାଗଚୀ । ହେଲେ ରିମିକ୍ସ ଗୀତ ଅରଜିନାଲ ମେକର୍ସଙ୍କୁ ନାଖୁସ କରିଛି । ଗୀତଟିରେ ଅରିଜିନାଲଟି ନଷ୍ଟ ହୋଇଛି ବୋଲି ଅଭିଯୋଗ ହୋଇଛି ।
ଏନେଇ ରେହମାନ ନିଜ ଟ୍ବିଟରରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି । ସେହିପରି ରେହମାନଙ୍କୁ ସମର୍ଥନ ଦେଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ଭଉଣୀ ଓ ମ୍ୟାନେଜର ରଙ୍ଗୋଲି । ସେ କହିଛନ୍ତି ଯେ ଜଣେ କଳାକାରଙ୍କ ପାଇଁ ଏହା ସବୁଠାରୁ ଲଜ୍ଜିତ କଥା ଯେ ତାଙ୍କ ସୃଷ୍ଟିକୁ ଅପମାନିତ କରିବା । ପ୍ରକୃତ ଗୀତର ମର୍ଯ୍ୟାଦା ଓ ସମ୍ମାନକୁ ନୂଆ ଗୀତରେ ନଷ୍ଟ କରାଯାଇଛି । ଏପରି ରିମେକ ଆଗରୁ ଏହାର ମେକର୍ସଙ୍କ ଅନୁମତି ନେବା ଜରୁରୀ ।
ତେବେ ଗୀତଟିକୁ ସୋସିଆଲ ମିଡିଆରେ ମଧ୍ୟ ସମାଲୋଚନା କରାଯାଉଛି । ଅରଜିନାଲ ଗୀତ ତୁଳନାରେ ଏହା ଭଲ ହୋଇନାହିଁ ବୋଲି ଫ୍ୟାନ୍ସ କହିଛନ୍ତି । ସେହିପରି କିଛି ଦିନ ତଳେ ଟାଇଗର ଶ୍ରଫଙ୍କ ଡିସ୍କୋ ଡ୍ୟାନ୍ସର 2କୁ ମଧ୍ୟ ସମାଲୋଚନା କରିଥିଲେ ଟ୍ରୋଲର୍ସ ।