ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ଆଧାର କରି ପୁରାଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି । ଦିଲ୍ଲୀର ଜାମିୟା ମିଲିୟା ଇସଲାମିୟା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରିବାରେ ବ୍ୟସ୍ତ । ଏହି ବିରୋଧ ପ୍ରଦର୍ଶନକୁ ଆଧାର କରି ଜାମିୟାର ଛାତ୍ରଛାତ୍ରୀଙ୍କ ଉପରେ ଗତ ରବିବାର ପୋଲିସ ଦ୍ବାରା ଲାଠିଚାର୍ଜ କରାଯାଇଥିଲା । ଯାହାକୁ ନେଇ ଦେଶରେ ଅସନ୍ତୋଷ ପ୍ରକାଶ ପାଇ ଥିବାବେଳେ ଅନ୍ୟ କିଛି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରୁଥିବାର ନଜର ଆସୁଛନ୍ତି ।
ଖାଲି ଏତିକି ନୁହେଁ ବଲିଉଡ ସେଲିବ୍ରିଟି ମଧ୍ୟ ଏହି ବିରୋଧରେ ଧିରେ ଧିରେ ସାମିଲ ହେବାରେ ଲାଗିଛନ୍ତି ଏବଂ ଜାମିୟା ଛାତ୍ରଛାତ୍ରୀଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି । କିନ୍ତୁ କିଙ୍ଗଖାନ ଶାହରୁଖ ଖାନଙ୍କ ପ୍ରତିକ୍ରିୟା ଏଯାବତ ଏହି ମାମଲାରେ ଦେଖିବାକୁ ମିଳିନାହିଁ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପ୍ରକାଶ ଥାଉକି ଫିଲ୍ମ ଜଗତର ଫେମସ କଳାକାର #IStandWithJamiaMilliaStudents ସହ ଟ୍ବିଟ କରି ବିରୋଧ ପ୍ରଦର୍ଶନର ସମର୍ଥନ କରୁଛନ୍ତି । ଇତିମଧ୍ୟରେ ଫେମସ ରେଡିଓ ଜକି ତଥା ଅଭିନେତା ରୋଶନ ଅବ୍ବାସ, ଶାହରୁଖଙ୍କୁ ଟ୍ୟାଗ କରି ଏକ ଟ୍ବିଟ କରିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।
ସେ ଟ୍ବିଟରେ ଲେଖିଛନ୍ତି, ‘ଶାହରୁଖ ଖାନ ଆପଣ ମଧ୍ୟ ଏହି ମାମଲାରେ କିଛି କୁହନ୍ତୁ । ଆପଣ ଜାମିୟାରୁ । କିଏ ଆପଣଙ୍କ ମୁହଁ ବନ୍ଦ କରିଛି ।’ ଏହି ଟ୍ବିଟ ପରେ ମଧ୍ୟ ଶାହରୁଖ ନିଜ ପ୍ରତିକ୍ରିୟା ରଖିନାହାଁନ୍ତି । ଯାହାଦ୍ବାରା ସୋସିଆଲ ମିଡିଆରେ ତାଙ୍କ ଆଲୋଚନା କରାଯାଉଛି । ଜାମିୟା ମିଲିୟା ଇସଲାମିୟା ବିଶ୍ବବିଦ୍ୟାଳୟର ଛାତ୍ର ଥିଲେ ଶାହରୁଖ । ରୋଶନଙ୍କ ଏହି ଟ୍ବିଟରର କିଛି ବିରୋଧ କରିଥିବା ବେଳେ କିଛି ସମର୍ଥନ କରୁଥିବାର ନଜର ଆସୁଛନ୍ତି ।