ମୁମ୍ବାଇ: ଆଜି ଫେମସ ଡାନ୍ସ ମାଷ୍ଟର ପ୍ରଭୁଦେବାଙ୍କ 48ତମ ଜନ୍ମଦିନ, ଯିଏ ବଲିଉଡରୁ ନେଇ ସାଉଥ ଇଣ୍ଡଷ୍ଟ୍ରି ଫିଲ୍ମରେ ନିଜର ଦମଦାର ଅନ୍ଦାଜ ଦେଖାଇସାରିଛନ୍ତି । ପ୍ରଭୁଦେବା କେବଳ ଜଣେ ଉତ୍କୃଷ୍ଟ ନୃତ୍ୟଶିଳ୍ପୀ ନୁହଁନ୍ତି ବରଂ ଜଣେ ସଫଳ ଅଭିନେତା, କୋରିଓଗ୍ରାଫର ଏବଂ ନିର୍ଦ୍ଦେଶକ ମଧ୍ୟ । ତାଙ୍କୁ ଭାରତର ମାଇକେଲ ଜ୍ୟାକସନ କୁହାଯାଏ । ଆସନ୍ତୁ ତାଙ୍କ ଜନ୍ମଦିନରେ କିଛି ବିଶେଷ ଜିନିଷ ଉପରେ ନଜର ପକାଇବା...
1973 ଏପ୍ରିଲରେ 3ରେ ଚେନ୍ନାଇରେ ଜନ୍ମ ହୋଇଥିଲେ ପ୍ରଭୁଦେବା । ଡାନ୍ସର ପ୍ରେରଣା ତାଙ୍କୁ ପିତାଙ୍କଠୁ ମିଳିଥିଲା । ତାଙ୍କ ପରିବାରରେ ସମସ୍ତେ ଡାନ୍ସର । ତାଙ୍କ ଦୁଇ ଭାଇ ରାଜୁ ସୁନ୍ଦରମ ଓ ନାଗେନ୍ଦ୍ର ପ୍ରସାଦ ମଧ୍ୟ ସାଉଥ ଇଣ୍ଡିଆନ ଫିଲ୍ମର ଫେମସ କୋରିଓଗ୍ରାଫର ରୂପେ ପରିଚିତ।
100ରୁ ଅଧିକ ଫିଲ୍ମରେ କୋରିଓଗ୍ରାଫ ରୂପେ କାମ କରିସାରିଛନ୍ତି ପ୍ରଭୁଦେବା । ତାଙ୍କ ଡାନ୍ସ ଷ୍ଟାଇଲ ସବୁଠୁ ନିଆରା । 2009ରେ ସୁପରଷ୍ଟାର ସଲମାନ ଖାନଙ୍କ ଆସିଥିବା ଫିଲ୍ମ ‘ୱାଣ୍ଟେଡ’ ଜରିଆରେ ସେ ନିର୍ଦ୍ଦେଶକ ରୂପେ ଡେବ୍ୟୁ କରିଥିଲେ ।
ତାଙ୍କ ପ୍ରଥମ ନିର୍ଦ୍ଦେଶିତ ଏହି ଫିଲ୍ମ ସୁପରଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା । ଏହା ବ୍ୟତୀତ ସେ ‘ରାଉଡି ରାଠୋର’, ‘ଆର ରାଜକୁମାର’ ଓ ‘ସିଂ ଇଜ୍ ବ୍ଲିଙ୍ଗ’ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । ଯାହା ତାଙ୍କ କ୍ୟାରିୟରକୁ ଯୋଗାଇଥିଲା ସଫଳତା ।
ଯଦି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେବା ତାହାଲେ ପୂର୍ବରୁ ବିବାହିତ ଥିବା ପ୍ରଭୁଦେବା ସାଉଥର ଲୋକପ୍ରିୟ ଅଭିନେତ୍ରୀ ନୈନତାରାଙ୍କୁ ହୃଦୟ ଦେଇବସିଥିଲେ । ଦୁଇଜଣ ପରସ୍ପର ପ୍ରେମରେ ଏତେ ପାଗଳ ଥିଲେ ଯେ ଲିଭ-ଇନ-ରିଲେସନଶିପରେ ମଧ୍ୟ ରହିବା ଆରମ୍ଭ କରିଦେଇଥିଲେ । ହେଲେ କିଛି ବର୍ଷ ପରେ ଏହି ଯୋଡିଙ୍କ ପ୍ରେମ ସମ୍ପର୍କ ଭାଙ୍ଗିଯାଇଥିଲା । ସେହିପରି 2011ରେ ପ୍ରଭୁଦେବା ବିବାଦ କାରଣରୁ ପତ୍ନୀ ରାମଲତାଙ୍କ ଠାରୁ ଅଲଗା ହୋଇଯାଇଥିଲେ । ଗତ ବର୍ଷ ଚର୍ଚ୍ଚା ଏହା ମଧ୍ୟ ଧରିଥିଲା ଯେ ସେ ଦ୍ବିତୀୟ ବିବାହ କରିବେ ।