ମୁମ୍ବାଇ: ଫେମସ ଗାୟକ ଆଦିତ୍ୟ ନାରାୟଣ ଖୁବଶୀଘ୍ର ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଶ୍ବେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଯାହାର ଘୋଷଣା ନିକଟରେ କରିଥିଲେ ସେ। ହେଲେ ବିବାହ ଖବର ମଧ୍ୟରେ ଆଦିତ୍ୟ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ। ଶୁଣିବାକୁ ମିଳୁଛି ଯେ ଆଦିତ୍ୟ ବର୍ତ୍ତମାନ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ଆଉ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କେବଳ 18 ହଜାର ଟଙ୍କା ଅଛି । ସେପଟେ ନିଜ ଦେବାଳିଆ ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ସେ ।
କଥାଟି ହେଲା ଯେ ଏକ ନ୍ୟୁଜ ପୋର୍ଟାଲରେ ଖବର ପ୍ରକାଶିତ ହୋଇଥିଲା ଆଦିତ୍ୟଙ୍କ ସେଭିଗ୍ସଂ ଶେଷ ହେବାରୁ ସେ ବର୍ତ୍ତମାନ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ଆଉ ତାଙ୍କ ଆକାଉଣ୍ଟରେ ମଧ୍ୟ ଟଙ୍କାର ଅଭାବ ଦେଖାଯାଇଛି ।
ଏହି ଖବର ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ‘ଏହା କେବଳ ଉଡା ଖବର । ସେ ଖବର ଦେଢ ମାସ ପୂର୍ବର । ମୁଁ ଲକଡାଉନ ସମୟରେ ଏକ ନୂଆ ଆପାର୍ଟମେଣ୍ଟ କିଣିଥିଲି । ସେଲିବ୍ରିଟି ହେବା ସତ୍ତ୍ବେ ମତେ ଇଏମଆଇର ଚିନ୍ତା ଘାରିଛି । ମହାମାରୀ ପାଇଁ ସମସ୍ତଙ୍କୁ ଏହି ଅସୁବିଧା ହୋଇଛି । ଏହାର ମାନେ ନୁହେଁ ଯେ ମୁଁ ଗରିବ ହୋଇଯାଇଛି କିମ୍ବା ମୋ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନାହିଁ । ଏହି ସବୁ ଖବର ସମ୍ପୂର୍ଣ୍ଣ ମିଛ । ଦୟା କରି ଏଭଳି ଖବର ପ୍ରଚାର କରନ୍ତୁ ନାହିଁ।’