ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁର ନିକଟରେ ରିଲିଜ ହୋଇଥିବା ନିର୍ଦ୍ଦେଶକ ବିକ୍ରମାଦିତ୍ୟ ମୋଟୱାନେଙ୍କ ‘ଏକେ ଭର୍ସେସ ଏକେ’ରେ ଅତିଥି ଭୂମିକାରେ ନଜର ଆସିଥିଲେ । ଏବେ ସେ ଅଭିନୟ ଦୁନିଆରେ ପଦାର୍ପଣ କରିବାକୁ ପ୍ରସ୍ତୁତ । ଆଜ୍ଞା ହଁ, ଶୁଣିବାକୁ ମିଳୁଛି ପପୁଲାର ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଆଗାମୀ ରୋମାଣ୍ଟିକ ଡ୍ରାମା ଫିଲ୍ମରେ ନଜର ଆସିବେ ସେ । ଫିଲ୍ମରେ ରଣବୀର କପୁରଙ୍କ ପିତା ଭୂମିକାରେ ଅଭିନୟ କରିବେ ବୋନି । ସେହିପରି ପ୍ରଥମଥର ଏବର୍ଷ ପରଦାରେ ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ରଣବୀରଙ୍କ ରୋମାନ୍ସ ଦେଖିବାକୁ ମିଳିବ ।
ଇତିମଧ୍ୟରେ ଫିଲ୍ମରେ ନିଜ ରୋଲ ବିଷୟରେ ଆଲୋଚନା କରି ବୋନି ଜଣାଇଛନ୍ତି ଫିଲ୍ମରେ ରଣବୀରଙ୍କ ପିତା ରୋଲରେ ଅଭିନୟ କରିବା ପାଇଁ ପୁଅ ଅର୍ଜୁନ କପୁର କହିଥିଲେ । ଆଉ ପୁଅ କଥା ରଖିବା ପାଇଁ ସେ ଫିଲ୍ମରେ ଅଭିନୟ କରିବାକୁ ରାଜି ହୋଇଥିଲେ । ସେପଟେ ଲଭ ମଧ୍ୟ ‘ଏକେ ଭର୍ସେସ ଏକେ’ ଦେଖିବା ପରେ ତାଙ୍କୁ ଫିଲ୍ମରେ ସାମିଲ କରିବାକୁ ଆପ୍ରୋଚ କରିଥିଲେ ।
ପ୍ରକାଶ ଥାଉକି ଆସନ୍ତା ସପ୍ତାହରେ ଶ୍ରଦ୍ଧା ଓ ରଣବୀରଙ୍କ ସହ ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋନି ।