ମୁମ୍ବାଇ: ଅନଲାଇନ ୱେବସାଇଟ ଏବଂ ଓଟିଟି ପ୍ଲାଟଫର୍ମରେ ଦିନକୁ ଦିନ ବୃଦ୍ଧି ପାଉଥିବା ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଦ୍ବାରା ବଡ ଘୋଷଣା କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବେ ଦେଶରେ ଚାଲୁଥିବା ସମସ୍ତ ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ବିଷୟବସ୍ତୁ ଉପରେ ନଜର ରଖିବି । ସବୁ ଓଟିଟି ପ୍ଲାଟଫର୍ମଗୁଡିକ ବର୍ତ୍ତମାନ ସରକାରଙ୍କ ତତ୍ତ୍ବବଧାନରେ ସେମାନଙ୍କର ଯେକୌଣସି ବିଷୟବସ୍ତୁ ପ୍ରସାରଣ କରିବାକୁ ସକ୍ଷମ ହେବେ । ସରକାର ଏହି ନିଷ୍ପତ୍ତି ଅନେକ ଅଭିଯୋଗ ଆସିବା ପରେ ନେଇଛନ୍ତି । ଏହି ନିଷ୍ପତ୍ତି ସହିତ ଡିଜିଟାଲ ପ୍ଲାଟଫର୍ମର ଅପରେଟରମାନେ ନିୟନ୍ତ୍ରଣକୁ ଆସିବେ ବୋଲି ଆଶା କରୁଛନ୍ତି ସରକାର ।
ଯେବେଠୁ ଏହି ପ୍ଲାଟଫର୍ମ ଦେଶରେ ପାଦ ଦେଇଛି, ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କୁ ନିଜ ନିଜ କାହାଣୀ କହିବାର ସ୍ବାଧୀନତା ମିଳିଯାଇଥିଲା । ଏହି ନିର୍ମାତାଙ୍କ ଅନେକ କଣ୍ଟେଣ୍ଟ ଦ୍ବାରା ଲୋକ ଏବଂ କିଛି ସମ୍ପ୍ରଦାୟ ଭାବନାକୁ ଆଘାତ ମଧ୍ୟ ଲାଗିଥିଲା । ଯାହା ଉପରେ ସ୍ବର ଉତ୍ତୋଳନ କରିସାରିଛନ୍ତି ଅନେକ ଲୋକ । ବିବାଦ ପରେ, ସମୟ ସମୟରେ ଓଟିଟିରେ ସେନ୍ସରସିପ୍ ପ୍ରବର୍ତ୍ତନ କରିବାର ଦାବି ମଧ୍ୟ ଉପୁଜିଥିଲା କିନ୍ତୁ ଚଳଚ୍ଚିତ୍ର ନିର୍ମାତା ଏହାକୁ ବିରୋଧ କରିଥିଲେ। ତେବେ ଏଥର ସରକାର କାହାରି କଥା ଶୁଣିନାହାଁନ୍ତି ଏବଂ ଓଟିଟିରେ ପ୍ରସାରିତ ସମସ୍ତ ସାମଗ୍ରୀର ଦାୟିତ୍ବ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
ପ୍ରକାଶ ଥାଉକି ସରକାରଙ୍କ ଏହି ନିଷ୍ପତ୍ତିକୁ କିଛି ଡିଜିଟାଲା ପ୍ଲାଟଫର୍ମ ସ୍ବାଗତ ଜଣାଇଛନ୍ତି । ଏହି କ୍ରମରେ ସାମିଲ ଅଛି ଏମଏକ୍ସ ପ୍ଲେୟାର । ଯାହାର ପପୁଲାର ସିରିଜ ‘ଆଶ୍ରମ’କୁ ନେଇ ଲାଗିଥିଲା ଅଭିଯୋଗ । ଏହି ସିରିଜରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଲୋକପ୍ରିୟ ଅଭିନେତା ବବି ଦେଓଲ ।