ମୁମ୍ବାଇ: ନିକଟରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଓ ବିଶିଷ୍ଟ ଅଭିନେତା ନାନା ପାଟେକରଙ୍କ କେସରେ ପୋଲିସ ବି ରିପୋର୍ଟ ଫାଇଲ କରିଥିଲା । ଏହାସହ ନାନଙ୍କୁ କ୍ଲିନ ଚିଟ ମଧ୍ୟ ମିଳିଥିଲା । ନାନାଙ୍କୁ କ୍ଲିନ ଚିଟ ମିଳିବା ପରେ ତନୁଶ୍ରୀ ଭୀଷଣ ରାଗିଯାଇଥିଲେ । କାରଣ ପୋଲିସ ବି ରିପୋର୍ଟ ସେହି ଅବସ୍ଥାର ଦାୟର କରେ ଯେବେ ତାଙ୍କ ଅଭିଯୁକ୍ତ ବିରୋଧରେ ଗୋଟିଏ ବି ସାକ୍ଷୀ କିମ୍ବା ପ୍ରମାଣପତ୍ର ମିଳେ ନାହିଁ ।
ଇତିମଧ୍ୟରେ ତନୁଶ୍ରୀଙ୍କ ମାମଲାରେ ଦୁଇଟି ସାକ୍ଷୀ ସାମ୍ନାକୁ ଆସିଛନ୍ତି । ଯେଉଁମାନେ ଖୁଲାସା କରିଛନ୍ତି ସେହି ଦିନ ବାସ୍ତବରେ କଣ ଘଟିଥିଲା । ଜଣେ ଜୁନିୟର କୋରିଓଗ୍ରାଫର ପୋଲିସକୁ କହିଛନ୍ତି ଯେ ଫିଲ୍ମ 'ହର୍ଣ୍ଣ ଓକେ ପ୍ଲିଜ'ର ବିବାଦିତ ଗୀତ ସୁଟ ସମୟରେ ନାନା ଓ ତନୁଶ୍ରୀ ଏକାଠି ଡାନ୍ସ କରିନଥିଲେ । ଦୁଇଜଣଙ୍କ ଡାନ୍ସ ଷ୍ଟେପ ଏକାପରିକା ଥିଲା କିନ୍ତୁ ଦୁଇଜଣ ଅଲଗା ଅଲଗା ଡାନ୍ସ କରୁଥିଲେ ।
ସେହିପରି ଅନ୍ୟ ସାକ୍ଷୀ ଆସିଷ୍ଟେଣ୍ଟ କୋରିଓଗ୍ରାଫର କହିଛନ୍ତି କି ଦ୍ବିପ୍ରହର ସମୟରେ ନାନା ଓ ତନୁଶ୍ରୀ ଅନେକ ବ୍ୟାକଅପ ଡାନ୍ସର୍ସଙ୍କ ସହ ସୁଟ କରୁଥିଲେ । ସୁଟ ସମୟରେ ନାନା, ତନୁଶ୍ରୀଙ୍କ ପଛରେ ଥିଲେ । କିନ୍ତୁ ଦୁଇଜଣଙ୍କ ମଧ୍ୟରେ କିଛି ଫୁଟର ଦୂରତା ଥିଲା । ମ୍ୟୁଜିକ ବାଜିବାର 10-15 ସେକେଣ୍ଡ ପରେ ତନୁଶ୍ରୀ ହଠାତ୍ ରାଗିଯାଇଥିଲେ ଏବଂ ଚିତ୍କାର କରିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ କେହି କିଛି ବୁଝିପାରିନଥିଲେ କି ତନୁଶ୍ରୀଙ୍କ ସହ କଣ ହେଲା ବୋଲି ।
ଦୁଇ ସାକ୍ଷୀ ଆହୁରି କହିଛନ୍ତି କି ସେହି ଦିନ ସନରାଇଜ ପିକ୍ଚର୍ସ ପ୍ରାଇଭେଟ ଲିମିଟେଡ ତତ୍କାଳୀନ କାର୍ଯ୍ୟକାରୀ ନିର୍ମାତା ତନୁଶ୍ରୀଙ୍କୁ ସୁଟ କରିବା ପାଇଁ ଖୁବ୍ ଅନୁରୋଧ କରିଥିଲେ । କିନ୍ତୁ ତନୁଶ୍ରୀ କାହାରି କଥା ଶୁଣିନଥିଲେ । ପ୍ରକାଶ ଥାଉକି ତନୁଶ୍ରୀ ଗତ ବର୍ଷ #MeToo ଅଭିଯାନ ଜରିଆରେ ନାନାଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଯେଉଁ କେସରେ ପୋଲିସ ବର୍ତ୍ତମାନ ନାନାଙ୍କୁ କ୍ଲିନ ଚିଟ ଦେଇସାରିଛି ।