ମୁମ୍ବାଇ: 2017ରେ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧି ଦେଶକୁ ଗର୍ବିତ କରିଥିବା ମାନୁଷୀ ଚିଲ୍ଲରଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଦୀର୍ଘ ସମୟରୁ ତାଙ୍କୁ ସିଲଭର ସ୍କ୍ରିନିରେ ଦେଖିବାକୁ ଅନାଇ ବସିଥିବା ଫ୍ୟାନ୍ସଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି । ଆଜ୍ଞା ହଁ, ସେ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ । ଆଉ ପ୍ରଥମ ଫିଲ୍ମରେ ସେ ବି-ଟାଉନର ଖିଲାଡୀ ଅକ୍ଷୟ କୁମାରଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ସେ ୟଶରାଜ ଫିଲ୍ମସରେ ନିର୍ମାଣ ହେଉଥିବା ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ପୃଥ୍ବିୀରାଜ’ରେ ଅଭିନୟ କ୍ୟାରିୟର ଆରମ୍ଭ କରିବେ ।
ବର୍ତ୍ତମାନ ସେ ନିଜ ବଲିଉଡ ଡେବ୍ୟୁକୁ ନେଇ ବହୁତ ଖୁସି ଅଛନ୍ତି । ସେ ଅକ୍ଷୟଙ୍କ ସହ ପ୍ରଥମଥର କାମ କରିବା ଖୁସି ପ୍ରକାଶ କରି କହିଛନ୍ତି ଯେ, ଏହା ତାଙ୍କ ପାଇଁ ସମ୍ମାନ ଏବଂ ଗର୍ବର କଥା । ୟାଶରାଜ ଫିଲ୍ମସ ଭଳି ପ୍ରଡକ୍ସନ ହାଉସରେ ତାଙ୍କୁ ଅଭିନେତ୍ରୀ ରୂପେ ଚୟନ କରିବା କୌଣସି ବଡ ସ୍ବପ୍ନ ଠାରୁ କମ ନୁହେଁ । ତାଙ୍କ ଜୀବନ ମଧ୍ୟ ପରୀ ଭଳି । କାରଣ ପ୍ରଥମେ ମିସ ଇଣ୍ଡିଆ, ପୁଣି ମିସ ୱାର୍ଲ୍ଡ ଆଉ ଏବେ ବଲିଉଡ ଡେବ୍ୟୁ ପାଇଁ ଏତେ ବଡ ପ୍ରୋଜେକ୍ଟ ମିଳିବା ଯାହା ତାଙ୍କ ଜୀବନର ରୋମାଞ୍ଚଭରା ଅଧ୍ୟାୟ ।
ଫିଲ୍ମର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଫିଲ୍ମ ସୁଟିଂ ଆରମ୍ଭ କରିବା ପୂର୍ବରୁ ଅକ୍ଷୟ ଓ ମାନୁଷୀ ପୂଜାଅର୍ଚ୍ଚନା କରିଛନ୍ତି । ଯାହାର ଏକ ଭିଡିଓ ଟ୍ବିଟରରେ ସେୟାର କରିଛନ୍ତି ଅକ୍ଷୟ । ଏହି ଭିଡିଓରେ ଫିଲ୍ମର ମେକର୍ସ ମଧ୍ୟ ଦେଖାଯାଉଛନ୍ତି।
ପ୍ରକାଶ ଥାଉକି ଏହି ଫିଲ୍ମକୁ ଆସନ୍ତା ବର୍ଷ ଦୀପାବଳିରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ଫିଲ୍ମଟି ହିନ୍ଦୁ କ୍ଷେତ୍ରୀୟ ପରାକ୍ରମୀ ରାଜା ପୃଥ୍ବୀରାଜ ଚୌହାନଙ୍କ ଜୀବନ ଉପରେ ଆଧାରିତ । ଏହି ଫିଲ୍ମର ଟିଜର ମଧ୍ୟ ସାମ୍ନାକୁ ଆସିଯାଇଛି । ଫିଲ୍ମରେ ଅକ୍ଷୟ, ପୃଥ୍ବୀରାଜଙ୍କ ଭୂମିକାରେ ଦେଖାଯିବା ବେଳେ ମାନୁଷୀ ତାଙ୍କ ପ୍ରେମୀକା ତଥା ପତ୍ନୀ ସଂଯୁକ୍ତା ଭୂମିକାରେ ଅଭିନୟ କରିବେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଚନ୍ଦ୍ରପ୍ରକାଶ ଦ୍ବିବେଦୀ । ଯିଏ 2003ରେ ଛଟୋ ପରଦାର ଫେମସ ଏଫିକ ସିରିଜ ‘ଚାଣକ୍ୟ’ ନିର୍ମାଣ କରିଥିଲେ ।