ଚଣ୍ଡିଗଡ: ହରିୟାଣାର ଲୋକପ୍ରିୟ ନୃତ୍ୟଶିଳ୍ପୀ ଓ ଗାୟିକା ସପନା ଚୌଧୁରୀଙ୍କ ନାଁରେ ଠକେଇ ମାମଲା । ତାଙ୍କ ନାମରେ ଏକ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି ହୋଇଛି । ଖୁବ ଶୀଘ୍ର ଗିରଫ ହୋଇ କୋର୍ଟରେ ହାଜର ହେବେ ସପନା ।
ସୂଚନାଅନୁସାରେ, ୩ ବର୍ଷ ପୂର୍ବେ ଅର୍ଥାତ ୨୦୧୮ରେ ୧୪ ଅକ୍ଟୋବର ୧୪ରେ ଆଶିୟାନା ପୋଲିସ ଷ୍ଟେସନରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଅକ୍ଟୋବର ୧୩ରେ ସ୍ମୃତି ଉପବନରେ ଏକ ଇଭେଣ୍ଟରେ ସପନାଙ୍କୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ରାତି ୧୦ଟା ବାଜିଥିଲେ ହେଲେ ସପନାଙ୍କ ଦେଖା ନଥିଲା । ଇଭେଣ୍ଟରେ ସପନା ପହଞ୍ଚିନଥିଲେ । ଏହାପରେ ସେଠାରେ ଲୋକମାନେ ହଙ୍ଗାମା କରିଥିଲେ । ଫଳରେ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା । ଟିକେଟ ପଇସା ଫେରସ୍ତ କରିବାକୁ ଦାବି ହୋଇଥିଲା । ଜଣକ ପିଛା ୩୦୦ ଟଙ୍କା ଲେଖାଏଁ ଦେଇ ଟିକେଟ୍ କରିଥିଲେ । ଲୋକଙ୍କୁ ଟଙ୍କା ଫେରସ୍ତ ନକରିବାରୁ କୋର୍ଟ ସପନାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି ।
ଏ ନେଇ ମାମଲା ଦାୟର ହେବା ପରେ ସପନା ଚୌଧୁରୀ ମାମଲାକୁ ଶେଷ କରିବାକୁ ଚାହିଁଥିଲେ । ହେଲେ ତାଙ୍କ ଆବେଦନକୁ କୋର୍ଟ ପୂର୍ବରୁ ଖାରଜ କରିସାରିଛନ୍ତି । ତାଙ୍କ ନାମରେ ଗିରଫ ୱାରେଣ୍ଟ ଜାରି ହୋଇଛି । ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଶାନ୍ତନୁ ତ୍ୟାଗି କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୨୨ତାରିଖ ସ୍ଥିର କରିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ