ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇମାସରୁ ଅଧିକା ଦିନ ବିତିସାରିଲାଣି । ହେଲେ ଏଯାବତ ତାଙ୍କ ଆତ୍ମହତ୍ୟା ସମସ୍ତଙ୍କ ପାଇଁ ରହସ୍ୟମୟ ହୋଇ ରହିଛି । ସମସ୍ତେ ଜାଣିବାକୁ ଚାହୁଁଛନ୍ତି କାହିଁକି ସୁଶାନ୍ତ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ସୁଶାନ୍ତଙ୍କ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି ସିବିଆଇ । ଇତିମଧ୍ୟରେ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା ନୂଆ ଖବର ସାମ୍ନାକୁ ଆସିଛି । ଜୁନ 14ରେ ସୁଶାନ୍ତ ସୁସାଇଡ କରିବା ପରେ ଯେଉଁ ଚାବି ବାଲା ତାଙ୍କ ରୁମର କବାଟ ଖୋଲିଥିଲେ ସେ ଏକ ସାକ୍ଷାତକାରେ କିଛି କଥାକୁ ନେଇ ଖୁଲାସା କରିଛନ୍ତି ।
ସେହି ବ୍ୟକ୍ତି ଜଣଙ୍କ ସାକ୍ଷାତକାରରେ ଜଣାଇଛନ୍ତି, ‘ଜୁନ 14ରେ ଅପରାହ୍ନ 1ରେ ମତେ ଲକ ଖୋଲିବା ପାଇଁ ସିଦ୍ଧାର୍ଥ ପିଠାନୀଙ୍କ କଲ ଆସିଥିଲା । ମୁଁ ତାଙ୍କ ଲକର ଫଟୋ ହ୍ବାଟ୍ସଆପ କରିବାକୁ କହିଥିଲି । ଯାହାପରେ ସେ ମତେ ଫଟୋ ପଠାଇଥିଲେ । ମୁଁ ସେହି ବିଲ୍ଡିଂର 6 ମହଲାକୁ ଯାଇଥିଲି । ମୁଁ ସେଠାରେ ପହଞ୍ଚି ଚାବି ଖୋଲିବାକୁ ଚେଷ୍ଟା କରିଥିଲି । ଆଉ ଯେତେବେଳେ ହାତୁଡିରେ ଲକ ଖୋଲୁଥିଲି ସେଠାରେ ଉପସ୍ଥିତ ଥିବା ଲୋକ ମତେ କହିଥିଲେ ଯଦି ଭିତରୁ କୌଣସି ଶବ୍ଦ ଶୁଣାଯିବ ତେବେ ତାଲା ଭାଙ୍ଗିବନି । ସୁଶାନ୍ତଙ୍କ ରୁମର ଲକ କମ୍ୟୁଟରାଇଜ ଲକ ଥିଲା । ଯାହାକୁ ଭାଙ୍ଗିବା ପରେ ମୁଁ 2000 ଟଙ୍କା ନେଇଥିଲି । ମତେ ଗୋଟିଏ ଘଣ୍ଟାପରେ ଜଣାପଡିଲା ଯେ ତାହା ସୁଶାନ୍ତଙ୍କ ଘର ଥିଲା ବୋଲି । ଏହାପରେ ମୁଁ ଯେତେବେଳେ ସେଠାକୁ ପୁଣି ଯାଇଥିଲେ ସେହି ସମୟରେ ସୁଶାନ୍ତଙ୍କ ଭଉଣୀ ସେଠାରେ ଥିଲେ । ଏଯାବତ ମୋ ବୟାନ ନେବାକୁ ସିବିଆଇ ତରଫରୁ କୌଣସି କଲ ଆସିନାହିଁ । ସିବିଆଇ କଲ କଲେ ମୁଁ ପୁରା ସହଯୋଗ କରିବି । ମୁମ୍ବାଇ ପୋଲିସ ପୂର୍ବରୁ ମୋ ବୟାନ ନେଇସାରିଛି ।’