ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ତିନି ମାସ ହେବାକୁ ବସିଲାଣି । ଆଉ ତାଙ୍କ କେସରେ କଡାକଡି ଯାଞ୍ଚ କରୁଥିବା ସିବିଆଇକୁ ହତ୍ୟା ହେବା ନେଇ କୌଣସି ସୁରାକ ମିଳିନାହିଁ । ଯାହାକୁ ଆଧାର କରି ବର୍ତ୍ତମାନ ତାଙ୍କ ଆତ୍ମହତ୍ୟା କାରଣ ଜାଣିବା ପାଇଁ ଲାଗିପଡିଛି ସିବିଆଇ । ହେଲେ ସୁଶାନ୍ତଙ୍କ ମୃତ୍ୟୁ ପରଠୁ ତାଙ୍କ ସହ ସମ୍ପୃକ୍ତ ଥିବା ଅନେକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ ତାଙ୍କ କେସରେ ଡ୍ରଗ କନେକ୍ସନ ଥିବା କଥା ସାମ୍ନାକୁ ଆସିଥିଲା । ଆଉ ଏବେ ତାଙ୍କ ଭଉଣୀ ପ୍ରିୟଙ୍କା ସିଂଙ୍କୁ ନେଇ ନୂଆ ଖବର ଚର୍ଚ୍ଚାରେ ।
ଶୁଣିବାକୁ ମିଳୁଛି ଯେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରିୟଙ୍କା ନୋମିନୀ ଥିଲେ । ଯାହା ଭାଇରାଲ ହେଉଥିବା ଏକ ହ୍ବାଟ୍ସଆପ ଚାଟରୁ ଜଣାପଡିଛି । ଏହି ଚାଟ ମେ 20ର । ଆକ୍ଟରଙ୍କ ଆତ୍ମହତ୍ୟାର ଠିକ୍ ମାସେ ପୂର୍ବରୁ । ଯେବେ ସୁଶାନ୍ତ ଭଉଣୀଙ୍କୁ ନିଜର ନୋମିନୀ କରିଥିଲେ । ସେହିପରି ସୁଶାନ୍ତ ବ୍ୟାଙ୍କ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ ସେହି ଚାଟରେ ।
ପ୍ରକାଶ ଥାଉକି ସୁଶାନ୍ତଙ୍କ କେସରେ ସନ୍ଦେହ ଘେରରେ ଥିବା ରିଆ ଚକ୍ରବର୍ତ୍ତୀଙ୍କୁ ନେଇ ନିକଟରେ ଶୁଣିବାକୁ ମିଳୁଥିଲା ଯେ ସେ ସୁଶାନ୍ତଙ୍କ ସବୁ ଆର୍ଥିକ କାରବାର ହ୍ୟାଣ୍ଡେଲ କରୁଥିଲେ । ଏହାକୁ ଆଧାର କରି ବର୍ତ୍ତମାନ ପ୍ରିୟଙ୍କାଙ୍କ ନୋମିନୀ କଥା ସାମ୍ନାକୁ ଆସିଛି ।