ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏଯାବତ ତଦନ୍ତ ଚାଲିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ତରଫରୁ ଯାଞ୍ଚ ଜାରି ଅଛି । ସେହିପରି ଅନେକ ଲୋକଙ୍କ ବୟାନ ରେକର୍ଡ ହୋଇସାରିଲାଣି । ନିକଟରେ ସିବିଆଇ ଟିମ ସୁଶାନ୍ତଙ୍କ ପରିବାର ବୟାନ ରେକର୍ଡ ପାଇଁ ଫରିଦାବାଦରେ ପହଞ୍ଚିଥିଲା । ଆଉ ଏବେ ଇଡି ସୁଶାନ୍ତଙ୍କ ପିତା କେକେ ସିଂଙ୍କୁ ପଚରାଉଚରା କରିଛନ୍ତି । ନିକଟରେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂଙ୍କ ସହ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିଥିଲେ ଇଡି । ସୋମବାର କେକେଙ୍କ ବୟାନ ଦିଲ୍ଲୀରେ ନିଆଯାଇଥିଲା ।
ପ୍ରକାଶ ଥାଉକି, ରିଆଙ୍କ ସମେତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ସେହିପରି ସୁଶାନ୍ତଙ୍କ ଫ୍ଲାଟମେଟ ତଥା ତାଙ୍କ କ୍ରିଏଟିଭ ମ୍ୟାନେଜର ସିଦ୍ଧାର୍ଥ ପିଠାନୀ, ଏକ୍ସ ବିଜନେସ ମ୍ୟାନେଜର ସୃତି ମୋଦି ମଧ୍ୟ ଇଡି ଅଫିସରେ ବୟାନ ଦେଇସାରିଛନ୍ତି ।
ରିଆଙ୍କ ବିରୋଧରେ କେକେ ବିହାରରେ ମନି ଲଣ୍ଡରିଂ ଅଭିଯୋଗ ଲଗାଇ ଏଫଆଇଆର ରୁଜୁ କରିଥିଲେ । ଯାହାକୁ ଆଧାର କରି ଇଡି ନିଜ ଯାଞ୍ଚ ଚଳାଇଛି । ଅନ୍ୟପଟେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପରିବାରଠୁ ନେଇ ଫ୍ୟାନ୍ସଙ୍କ ସହ ଅନେକ ସେଲିବ୍ରିଟି ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚ ଦାବି କରିଆସୁଛନ୍ତି ।