ମୁମ୍ବାଇ: ନୂଆବର୍ଷ ପାଳିବା ପରେ କାମକୁ ଫେରିଛନ୍ତି ବଲିଉଡ଼ ଅଭିନେତା ବିକି କୌଶଲ । ବିକିଙ୍କୁ ବିଦାୟ ଦେବା ପାଇଁ ଏୟାରପୋର୍ଟରେ ବିକିଙ୍କ ସହ ପହଞ୍ଚିଛନ୍ତି ପତ୍ନୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫ । ସେ ବିକିଙ୍କୁ ଏୟାରପୋର୍ଟରେ ଛାଡ଼ିବା ପରେ ହଗ୍ କରି ଦେଇଛନ୍ତି ବିଦାୟ । ନବବିବାହିତ ଯୋଡ଼ିଙ୍କ ଏହି ବିଦାୟକାଳୀନ ମୁହୂର୍ତ୍ତର ଭିଡି଼ଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।
ବିକି ନିଜର ଆଗାମୀ ଫିଲ୍ମର ସୁଟିଂ ପାଇଁ ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି । ଶନିବାର ରାତିରେ ବିକିଙ୍କୁ ବିଦାୟ ଦେବା ପାଇଁ ଏୟାରପୋର୍ଟରେ ପହଞ୍ଚିଥିଲେ କ୍ୟାଟ୍ । କ୍ୟାଟ୍ ଏକ କମଳା ରଙ୍ଗର ଆଉଟଫିଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ସେପଟେ ବିକି ଏକ ବ୍ରାଉନ ରଙ୍ଗର ସ୍ବେଟସାର୍ଟ ସହିତ ଡେନିମ ଜିନ୍ସ ପିନ୍ଧିଥିଲେ । ବିକି କାର୍ରୁ ବାହାରକୁ ବାହାରିବା ପୂର୍ବରୁ କ୍ୟାଟ୍ ବିକିଙ୍କୁ ହଗ୍ କରିଥିଲେ । ଏହାପରେ ଏୟାରପୋର୍ଟ ଭିତରକୁ ପ୍ରବେଶ କରିଥିଲେ ଏହି ଉରି ଆକ୍ଟର ।
ଗୋପନୀୟ ଉତ୍ସବର ଆୟୋଜନ କରି ରାଜସ୍ଥାନର ସିକ୍ସ ସେନ୍ସେସ ହୋଟେଲରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏହି କପଲ୍ । ସେମାନଙ୍କ ବିବାହ ଉତ୍ସବରେ ଖୁବ ଅତିଥି ସାମିଲ ହୋଇଥିଲେ । ବିବାହ ପରେ ମାଳଦ୍ବୀପରେ ହନିମୁନ୍ ମନାଇଥିଲେ ବିକି ଓ କ୍ୟାଟ୍ । ତେବେ ଗତ କିଛି ଦିନ ତଳେ ଏହି ଯୋଡ଼ି ମୁମ୍ବାଇର ଜୁହୁ ନିକଟରେ ନିଜ ନୂଆ ଘରର ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେମାନେ ଏଠାକୁ ସ୍ଥାନାନ୍ତରିତ ହୋଇଥିଲେ ।
ଏହା ବି ପଢନ୍ତୁ: Kapoor's Newyear Party: ଭାବି କରୀନାଙ୍କ ସହ ନୂଆବର୍ଷ ପାଳିଲେ ସୋହା
ଉଭୟଙ୍କ କାମ ସମ୍ପର୍କରେ ଆଲୋଚନା କଲେ ବିକି ମେଘ୍ନା ଗୁଲଜାରଙ୍କ ଆଗାମୀ ଫିଲ୍ମ Sam Bahadurରେ ନଜର ଆସିବେ । ଏଥିରେ ଅନ୍ୟ କଳାକାର ଭାବେ ଦଙ୍ଗଲ ଗର୍ଲ ସନାୟା ମଲହୋତ୍ରା ଓ ଫାତିମା ସନା ଶେଖ ନଜର ଆସିବେ । ସେପଟେ କ୍ୟାଟ୍ରିନା ନିର୍ଦ୍ଦେଶକ ବିଜୟ ସେଥୁପତିଙ୍କ ଫିଲ୍ମ Merry Christmasର ସୁଟିଂ ସେଟ୍କୁ ଫେରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ