ମୁମ୍ବାଇ: ବିବାଦ ଘେରରେ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ପୃଥ୍ବୀରାଜ’ । ସମସ୍ୟା ଘେରରେ ମେକର୍ସ । ଏହି ଫିଲ୍ମଟି ସାହାସୀ ରାଜ ପୃଥ୍ବୀରାଜ ଚୌହାନଙ୍କ ଜୀବନ ଏବଂ ବୀରତ୍ବ ଉପରେ ଆଧାରିତ। ଫିଲ୍ମର ନାମକୁ ନେଇ କରଣୀ ସେନା ଆପତ୍ତି ଉଠାଇଛନ୍ତି। ଏହାର ନାମ ପରିବର୍ତ୍ତନ କରାଯିବା ଉଚିତ ବୋଲି ସଂଗଠନ କହିଛି।
କରଣୀ ସେନାର ଯୁବ ଶାଖାର ସଭାପତି ସୁରଜିତ ସିଂ କହିଛନ୍ତି, ‘ମହାନ ପୃଥ୍ବୀରାଜ ଚୌହାନଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମଟି ଥିବା ବେଳେ କେବଳ ନାଁଟିକୁ ‘ପୃଥ୍ବୀରାଜ’ କିପରି ରଖାଯାଇଛି । ଆମେ ଚାହୁଁ ଫିଲ୍ମର ନାମ ତାଙ୍କ ପୁରା ନାମରେ ରଖାଯାଉ ଏବଂ ତାଙ୍କୁ ସମ୍ମାନ ଦିଆଯାଉ।’
ଖାଲି ଏତିକି ନୁହେଁ କରଣୀ ସେନାଙ୍କ ଆପତ୍ତି ଏଠାରେ ଶେଷ ହୋଇନାହିଁ, ସେମାନେ ଚାହୁଁଛନ୍ତି ଯେ ଫିଲ୍ମ ରିଲିଜ ହେବା ପୂର୍ବରୁ ସେମାନଙ୍କୁ ପ୍ରଥମେ ଦେଖାଯିବା ଉଚିତ୍ । ସେହିପରି ସୁରଜିତ ସିଂ ଆହୁରି କହିଛନ୍ତି ଯେ ଯଦି ନିର୍ମାତା ଆମର ପରାମର୍ଶକୁ ଅନୁସରଣ କରନ୍ତି ନାହିଁ, ତେବେ ସେ ମଧ୍ୟ ଏହାର ପରିଣାମ ସହିବାକୁ ପ୍ରସ୍ତୁତ ହେବା ଉଚିତ୍। ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ’ ସମୟରେ ନିର୍ମାତାଙ୍କ ସହ ଯାହା ଘଟିଥିଲା, ଏହି ଫିଲ୍ମ ପାଇଁ ମଧ୍ୟ ସମାନ ଘଟଣା ଘଟିବ ।