ମୁମ୍ବାଇ: ବି-ଟାଉନ କୁଇନ କଙ୍ଗନା ରାଣାୱାତଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ନୈରାଶଜନ ଖବର ସାମ୍ନାକୁ ଆସିଛି । କିଛି ଦିନ ହେବ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ବି-ଟାଉନର ଅନେକ କଳାକାରକୁ ଟାର୍ଗେଟ କରି ଚର୍ଚ୍ଚାରେ ଆସିଥିଲେ । ଏବେ ପୁଣି ଏକ ପୁରୁଣା ମାମଲାକୁ ନେଇ ଚର୍ଚ୍ଚାରେ ଆସିଛନ୍ତି ଦୁଇ ଭଉଣୀ ।
କଙ୍ଗନା ଓ ରଙ୍ଗୋଲୀଙ୍କୁ ମୁମ୍ବାଇ କୋର୍ଟ ଏକ ସମନ ଜାରି କରିଛି । ଅଭିନେତା ଆଦିତ୍ୟ ପଞ୍ଚୋଲିଙ୍କ ଦ୍ବାରା ଦାଏର ଅପରାଧିକ ମାନହାନି ମାମଲାରେ ଏବେ ମୁମ୍ବାଇ କୋର୍ଟ କଙ୍ଗନାଙ୍କୁ ସମନ ଜାରି କରିଛନ୍ତି ।
ଆସନ୍ତା ଜୁଲାଇ 26 ତାରିଖରେ ଏହି ସମନର ଶୁଣାଣି ହେବ । ପୂର୍ବରୁ ଆଦିତ୍ୟ ଦାବି କରିଥିଲେ ଯେ କଙ୍ଗନା ଅନେକ ବର୍ଷ ହେବ ତାଙ୍କ ପ୍ରତିଛବି ଖରାପ କରିଆସୁଛନ୍ତି ।
ଅନ୍ୟପଟେ ଆଦିତ୍ୟ ଏକ ସାକ୍ଷାତକାରରେ କହିଥିଲେ ଯେ, କଙ୍ଗନା ଓ ରଙ୍ଗୋଲୀ ତାଙ୍କ ପତ୍ନୀ, ପୁଅ ଓ ଝିଅଙ୍କୁ ମଧ୍ୟ ଏହି ମାମଲାରେ ସମ୍ପୃକ୍ତ କରିଥିଲେ । ଯାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ତାଙ୍କୁ ତାଙ୍କ ପରିବାରର ଚିନ୍ତା ଅଛି । ତେଣୁ ସେ କଙ୍ଗନାଙ୍କ ଅତ୍ୟାଚାର ଆଉ ସହିବାକୁ ଚାହୁଁ ନାହାଁନ୍ତି ।
2017ରେ କଙ୍ଗନା ଏକ ଟିଭି ସାକ୍ଷାତକାରରେ ଆଦିତ୍ୟଙ୍କୁ ନେଇ ଅପମାନଜନକ କଥା କହିଥିଲେ । ଯାହା ଦେଖିବା ପରେ ତାଙ୍କ ବିରୋଧରେ ଅନ୍ଧେରି ମାଜିଷ୍ଟ୍ରେଟ କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ ଆଦିତ୍ୟ ଓ ତାଙ୍କ ପତ୍ନୀ ଜରିନା । ପରେ କଙ୍ଗନାଙ୍କ ଭଉଣୀ ମଧ୍ୟ ଟ୍ବିଟରେ କଙ୍ଗନାଙ୍କ ସମର୍ଥନ କରି ଆଦିତ୍ୟଙ୍କ ବିରୋଧରେ ଅନେକ କଥା ପୋଷ୍ଟ କରିଥିଲେ ।