ନୂଆଦିଲ୍ଲୀ: ବଲିଉଡର ଫିଟନେସ ଷ୍ଟାର ଜନ୍ ଅବ୍ରହାମ ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ପଶୁଙ୍କ ପ୍ରତି ଆଦର ଓ ଭଲପାଇବା, ପଶୁଙ୍କ ଅଧିକାର ପାଇଁ ସ୍ବର ଉଠାଇବାକୁ ନେଇ ପିପୁଲ୍ସ ଫର ଦ ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ ବା (ପେଟା) ସଂସ୍ଥା ଜନଙ୍କୁ “ପର୍ସନ ଅଫ ଦ ଇୟର” ଭାବରେ ଚୟନ କରିଛନ୍ତି ।
ଏହି ସୂଚନା ପେଟା ଦ୍ବାରା ଏକ ବୟାନରେ ଦିଆଯାଇଛି ।
ଅନୁଷ୍ଠାନ ଏହାର ସରକାରୀ ବୟାନରେ କହିଛି ଯେ, କୌଣସିଟି ଜୀବଜନ୍ତୁ ବିପଦରେ ଥିବା ଜନ ଦେଖିଲେ ନିଶ୍ଚିନ୍ତ ରୂପେ ତା ପ୍ରତି ସହାନୁଭୂତି ଦେଖାଇବା ସହ ସାହାଯ୍ୟର ହାତ ବଢ଼ାଇଥାନ୍ତି । ପାରୁ ପର୍ଯ୍ୟନ୍ତ ଜୀବଟିକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥାନ୍ତି । ଅନେକ ଲୋକ ହୁଏତ ଏହା ଜାଣିନଥିବେ ଅଭିନୟ ବ୍ୟତୀତ ଜନଙ୍କର ବାଇକ ଓ ପଶୁ ପକ୍ଷୀଙ୍କ ପ୍ରତି ଏକ ବିଶେଷ ଦୁର୍ବଳତା ବି ରହିଛି । ଜୀବଜନ୍ତୁଙ୍କ ଅଧିକାର ନେଇ ସୋସିଆଲ ମିଡିଆରେ ବାର୍ତ୍ତା ବି ସେୟାର କରନ୍ତି ଏବଂ ସ୍ବର ମଧ୍ୟ ଉତ୍ତୋଳନ କରନ୍ତି ।
ନିକଟରେ ଜନ୍ ଇ-ରିଟେଲର୍ସମାନଙ୍କୁ ଏକ ଚିଠି ଲେଖିଥିଲେ । ଏଥିରେ ଜୀବନ୍ତ ପଶୁ ଆଦିଙ୍କ ନେଣଦେଣ ରୋକିବାକୁ ଅପିଲ କରିଥିଲେ ଜନ । ଖାଲି ସେତିକି ନୁହେଁ ସର୍କସରେ ପଶୁପକ୍ଷୀଙ୍କ ବ୍ୟବହାରକୁ ବି ବାରମ୍ବାର ବିରୋଧ କରି ଆସିଛନ୍ତି ସେ ।
ଗତ ମାସରେ ଦିୱାଲୀ ଅବସରରେ ଜନ୍ ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଜନଙ୍କୁ ତାଙ୍କ ଛୋଟ କୁକୁର ସହିତ ଦେଖିବାକୁ ମିଳିଥିଲା । ଏହି ଫଟୋ ମାଧ୍ୟମରେ ହିଁ ଜନ ନିଜ ଫ୍ୟାନ୍ସ ମାନଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଥିଲେ । ଜନଙ୍କ ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହୋଇଥିଲା ।
କିଛି ଦିନ ପୂର୍ବରୁ, ଏକ ସାକ୍ଷାତକାରରେ ଜନ୍ କହିଥିଲେ ଯେ, ଲୋକମାନଙ୍କୁ ଜୀବଜନ୍ତୁଙ୍କ ପ୍ରତି ଥିବା ଚିନ୍ତାଧାରାକୁ ବଦଳେଇ ବାକୁ ପଡିବ । ଜୀବଜନ୍ତୁଙ୍କୁ ସର୍ବଦା ଭଲପାଇବା ଉଚିତ । ଜନଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହୋଇଥିଲା ।