ମୁମ୍ବାଇ: ଇଡି(Enforcement Directorate) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜ । ଦୁଇ ଶହ କୋଟି ଟଙ୍କା ଠକେଇ ମାମଲାରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ତାଙ୍କୁ ଦୀର୍ଘ ୭ ଘଣ୍ଟା ଧରି ପଚରାଉଚରା କରିଛି । ଆଜି(ଗୁରୁବାର) ମଧ୍ୟ ଅଭିନେତ୍ରୀ ଜାକଲିନଙ୍କୁ ଇଡି ପୁଣିଥରେ ପଚରାଉଚରା ପାଇଁ ଡାକିଥିବା ଅଧିକାରୀ ସୂତ୍ରରୁ ସୂଚନା ମିଳିଛି ।
ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଦ୍ବାରା ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜାକଲିନଙ୍କ ସମ୍ପୃକ୍ତି ଥିବାର ସୁରାକ୍ ମିଳିଛି । ଏନେଇ ଇଡି ତାଙ୍କୁ ପଚରାଉଚରା କରୁଛି । ବୁଧବାର ଜେରା ସମୟରେ ଜାକଲିନଙ୍କ ଠାରୁ ମାମଲା ସମ୍ବନ୍ଧୀୟ କିଛି ପ୍ରମାଣ ମଧ୍ୟ ଉପସ୍ଥାପିତ ହୋଇଛି । ଏପରିକି ଅଭିନେତ୍ରୀଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇଥିବା ସୂତ୍ରରୁ ଜଣାପଡିଛି ।
କହିରଖୁଛୁ କି, ଏହି ବଡ ଧରଣର ଠକେଇ ମାମଲାରେ ଜାକିଲନଙ୍କ ସମ୍ପୃକ୍ତ ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ରବିବାର ଦିନ ଇଡି ଲୁକଆଉଟ ସର୍କୁଲାର ଆଧାରରେ ଅଭିନେତ୍ରୀଙ୍କୁ ଦେଶ ବାହାରକୁ ଯିବାରୁ ମୁମ୍ବାଇ ଏୟାରପୋର୍ଟରେ ଅଟକାଇ ଥିଲା । କୁହାଯାଉଛି କି, ନିକଟରେ ଇଡି ଜାକଲିନ ଫର୍ଣ୍ଣାଣ୍ଡିଜଙ୍କ କିଛି ଘନିଷ୍ଠ ସହଯୋଗୀଙ୍କୁ ପଚରାଉଚରା କରିଛି, ସେମାନେ ସୁକେଶ ଏବଂ ଜାକଲିନଙ୍କ ବାବଦରେ କିଛି ମହତ୍ତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଠକେଇ କରିଥିବା ଅଭିଯୋଗରେ ଗିରଫ ହୋଇ ଏବେ ତିହାର ଜେଲରେ ଅଛନ୍ତି । ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କ ବିରୁଦ୍ଧରେ ଦାୟର ହୋଇଥିବା ଏକ ଆଇନଗତ ମାମଲାରେ ସହୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ସେ ଏହି ଟଙ୍କା ଠକିଛନ୍ତି । ଏନେଇ ନିକଟରେ ଚନ୍ଦ୍ରଶେଖରଙ୍କ ବିରୁଦ୍ଧରେ ହୋଇଥିବା ଚାର୍ଜସିଟିରେ ଜାକଲିନଙ୍କ ସହ ତାଙ୍କ ସମ୍ପର୍କ ଥିବା ଇଡି କହିଛି । ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ଚନ୍ଦ୍ରଶେଖର ଆଣିଥିବା ୨୦୦ କୋଟି ଜାକଲିନଙ୍କ ପାଖକୁ ପଠାଇଥିବା ମଧ୍ୟ ଇଡି ସନ୍ଦେହ କରୁଛି ।