ମୁମ୍ବାଇ: ଅଜୟ ଦେବଗନ ଜଣାଶୁଣା ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ ଏବଂ ନିର୍ମାତା ରୂପେ ବେଶ୍ ଲୋକପ୍ରିୟ । ସେ ହିନ୍ଦୀ ସିନେମାର ଅନ୍ୟତମ ପ୍ରଭାବଶାଳୀ ଅଭିନେତା ଭାବରେ ସବୁବେଳେ ବିବେଚିତ ହୁଅନ୍ତି । ଯିଏ ଶହେରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି । ଦୁଇଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଚାରିଟି ଚଳଚ୍ଚିତ୍ର ପୁରସ୍କାର ସମେତ ଅଜୟ ଅନେକ ପ୍ରଶଂସା ଲାଭ କରିଛନ୍ତି । 2016ରେ ସେ ଭାରତ ସରକାରଙ୍କ ଦ୍ବାରା ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଆଜି ଏହି ମହାନ ଅଭିନେତା 52 ବର୍ଷରେ ପାଦ ଥାପିଛନ୍ତି । ତାଙ୍କ ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା କିଛି ତାଙ୍କ ବଲିଉଡ କ୍ୟାରିୟର ବିଷୟରେ କିଛି କଥା...
ଅଜୟ 1991ରେ ଆସିଥିବା ଫିଲ୍ମ ‘ଫୁଲ ଔର କାଣ୍ଟେ’ ସହିତ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଥମ ଫିଲ୍ମରୁ ସେ ବଲିଉଡର ଲୋକପ୍ରିୟ ଅଭିନେତା ସାଜିଥିଲେ । କାରଣ ‘ଫୁଲ ଔର କାଣ୍ଟେ’ ସୁପରଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା । ଫିଲ୍ମରେ ତାଙ୍କ ଆକ୍ସନଠୁ ନେଇ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳିଥିଲା।
ଏହା ପରେ ସେ ‘ଜିଗର’, ‘ସଂଗ୍ରାମ’, ‘ଦିଲୱାଲେ’ ଏବଂ ‘ଦିଲଜଲେ’ ଭଳି ସଫଳ ଫିଲ୍ମରେ ଅଭିନୟ କରୁଥିବା ଆକ୍ସନ୍ ହିରୋ ଭାବରେ ପ୍ରତିଷ୍ଠିତ ହୋଇଥିଲେ ।
ସେ ‘ଜଖମ’, ‘ହମ ଦିଲ୍ ଦେ ଚୁକେ ସନମ୍’, ‘କମ୍ପାନୀ’, ‘ଦେୱାନେଙ୍ଗି’ ଏବଂ ଭଗତ ସିଂଙ୍କ କିମ୍ବଦନ୍ତୀ ଅଭିନୟ କରିଛନ୍ତି। ‘ଗୋଲମାଲ’ ସଫଳତା ପରେ ‘ଫନ୍ ଅନଲିମିଟେଡ’ ଓ ‘ଗୋଲମାଲ ରିଟର୍ଣ୍ଣସ’, ‘ଅଲ୍ ଦ ବେଷ୍ଟ’, ‘ଗୋଲମାଲ 3’, ‘ସିଂଘମ’ ଓ ‘ଦୃଷ୍ୟମ’ ସହିତ ଅନେକ ଆକ୍ସନ-କମେଡିରେ ଦମଦାର ଅନ୍ଦାଜ ସମସ୍ତଙ୍କୁ ଦେଖାଇଥିଲେ ।
ପ୍ରଡକ୍ସନ କମ୍ପାନୀ ଅଜୟ ଦେବଗନ ଫିଲ୍ମସ ଜରିଆରେ ଅନେକ ଫିଲ୍ମ ପ୍ରଯୋଜିତ ମଧ୍ୟ କରିସାରିଛନ୍ତି ଅଜୟ । ଯାହା 2000ରେ ପ୍ରତିଷ୍ଠିତ ହୋଇଥିଲା। 2008 ମସିହାରେ ସେ ‘ୟୁ ମିଂ ଔର ହମ୍’ ସହିତ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିଥିଲେ।
ଯଦି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେବା ତାହାଲେ ସେ 1999 ମସିହାରେ ବି-ଟାଉନର ଫେମସ ଅଭିନେତ୍ରୀ କାଜଲଙ୍କୁ ବିବାହ କରିଥିଲେ। ଦୁଇଜଣଙ୍କ ଝିଅ ନିଶା ଓ ପୁଅ ୟୁଗ ମଧ୍ୟ ଅଛନ୍ତି । ଅନସ୍କ୍ରିନରେ ଏହି ଯୋଡିଙ୍କ କେମେଷ୍ଟ୍ରି ସବୁବେଳେ ଦର୍ଶକଙ୍କ ମନ କିଣିଥାଏ ।
ଫିଲ୍ମ ‘ଇଶ୍କ’, ‘ପ୍ୟାର ତୋ ହୋନା ହି ଥା’, ‘ଗୁଣ୍ଡାରାଜ’, ‘ଦିଲ୍ କ୍ୟା କରୋ’, ‘ରାଜୁ ଚାଚା’, ‘ୟୁ ମିଂ ଔର ହମ୍’, ‘ଟୋନପୁର କା ସୁପରହିରୋ’, ‘ହଲଚଲ’, ‘ତାନଜୀ’ ଭଳି ଫିଲ୍ମରେ ଅଭିନୟ କରିସାରିଛନ୍ତି ଏହି ଯୋଡି।
ଯଦି ଅଜୟଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ମେ ଡେରେ ନଜର ଆସିବେ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ମଧ୍ୟ ସେ ତୁଲାଉଛନ୍ତି । ଏହାବ୍ୟତୀତ ସେ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘ମୈଇଦାନ’ରେ ଅଭିନୟ କରୁଛନ୍ତି ।
ଜନ୍ମଦିନ ଅବସରରେ ଅଜୟଙ୍କୁ ଇଟିଭି ଭାରତ ପକ୍ଷରୁ ଶୁଭେଚ୍ଛା ଓ ଶୁଭକାମନା