ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଧ ଫିଲ୍ମ ବ୍ୟତୀତ ସାମାଜିକ କାର୍ଯ୍ୟ କରିବାକୁ ସବୁବେଳେ ଭଲ ପାଆନ୍ତି । ସେ ଗତ କିଛି ମାସରୁ ଦେଶବାସୀଙ୍କ ସେବା ଦିନ, ରାତି କରିଆସୁଛନ୍ତି । ଲକଡାଉନରେ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଦିନ ମଜୁରିଆ ଓ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରେ ପହଞ୍ଚାଇବାରେ ସେ ଏଯାବତ ଚେଷ୍ଟା ଚଳାଇଛନ୍ତି । ତାଙ୍କ ଅଭିଯାନ ଦ୍ବାରା ଅନେକ ଲୋକ ସୁରକ୍ଷିତ ନିଜ ନିଜ ଘରେ ପହଞ୍ଚିସାରିଲେଣି । ଖାଲି ଦେଶରେ ନୁହେଁ ସେ ବିଦେଶରେ ମଧ୍ୟ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଆଣିବାରେ ସହଯୋଗ କରୁଛନ୍ତି । ନିଜ ମାହାନ କାର୍ଯ୍ୟ ପାଇଁ ଏବେ ସେ ସମସ୍ତଙ୍କ ଭଗବାନ ସାଜିଛନ୍ତି। ଆଜି ଏହି ଶାନଦାର ବ୍ୟକ୍ତିଙ୍କ 47ତମ ଜନ୍ମଦିନ । ତେବେ ଆସନ୍ତୁ ଏହି ଅବସରରେ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...
ସୋନୁ 1973 ଜୁଲାଇ 30ରେ ପଞ୍ଜାବରେ ଜନ୍ମ ହୋଇଥିଲେ । ସେ ନିଜର ପ୍ରାଥମିକ ଶିକ୍ଷା ପଞ୍ଜାବରେ ଶେଷ କରିଥିଲେ । ଆଉ ତାପରର ପାଠପଢା ସେ ନାଗପୁରରେ କରିଥିଲେ । ସେ ଇଞ୍ଜିନିୟର ଡିଗ୍ରୀ ହାସଲ କରିଛନ୍ତି । ଇଞ୍ଜିନିୟରିଂ ପାଠ ପଢୁଥିବା ସମୟରେ ତାଙ୍କ ମନରେ ଅଭିନୟ କରିବାର ଭାବନା ଜାତ ହୋଇଥିଲେ । ଯାହାପରେ ସେ ମଡେଲିଂ ଆରମ୍ଭ କରିଥିଲେ ।
ମଡଲିଂ କରୁଥିବା ସମୟରେ ସେ ମିଷ୍ଟର ଇଣ୍ଡିଆ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ସେହିପରି ସେ ନିଜ ଅଭିନୟ କ୍ୟାରିୟର 1999ରେ ଆସିଥିବା ଏକ ତାଲିମ ଫିଲ୍ମ ‘କଲ୍ଲାଝାଗର’ରୁ ଆରମ୍ଭ କରିଥିଲେ । ସୋନୁ 2002ରେ ବଲିଉଡରେ ଫିଲ୍ମ ‘ଶାହୀଦ ଏ ଆଜମ’ରୁ ଡେବ୍ୟୁ କରିଥିଲେ । ଯେଉଁଥିରେ ସେ ସ୍ବାଧୀନ ସଂଗ୍ରାମୀ ଭଗତ ସିଂଙ୍କ ଭୂମିକାରେ ଅଭିନୟ କରିଥିଲେ।
ସେ ତାମିଲ, ତେଲୁଗୁ, କନ୍ନଡ, ହିନ୍ଦୀ ଓ ପଞ୍ଜାବୀ ଫିଲ୍ମରେ ମଧ୍ୟ ଅଭିନୟ କରିସାରିଛନ୍ତି । ସେ ଅନେକ ବଲିଉଡ ଫିଲ୍ମରେ ମଧ୍ୟ ନଜର ଆସିସାରିଛନ୍ତି । ହେଲେ 2010ରେ ଆସିଥିବା ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ’ରେ ତାଙ୍କ ଖଳନାୟକ ଅବତାର ସମସ୍ତଙ୍କୁ ଦିୱାନା କରିଥିଲେ । ଏହି ଫିଲ୍ମ ପରଠୁ ସେ ବଲିଉଡର ଫେମସ ଅଭିନେତା ସାଜିଥିଲେ । ଫିଲ୍ମରେ ନେଗେଟିଭ ରୋଲ ପାଇଁ ତାଙ୍କୁ ଆଇଫା ଆୱାର୍ଡ ମଧ୍ୟ ମିଳିଥିଲା ।
ସୋନୁ ସୁସ୍ମିତା ସେନଙ୍କ ସହ ଟିଭିର କମେଡି ଶୋକୁ ମଧ୍ୟ ଜଜ କରିସାରିଛନ୍ତି । ସେହିପରି ସେ ଫିଲ୍ମ ‘ୟୁବା’, ‘କହାଁ ହୋ ତୁମ’, ‘ସିଶା’, ‘ଆଶିକ ବନାୟା ଆପନେ’, ‘ଯୋଦ୍ଧା ଆକବର’, ‘ଏକ ବିବାହ ଐସା ଭି’, ‘ବୁଢା ହୋଗା ତେରା ବାପ’, ‘ମ୍ୟାକ୍ସିମମ’, ‘ରମୈୟା ବସ୍ତାବୈୟା’ ଓ ‘ରାଜକୁମାର’ ଭଳି ଫିଲ୍ମରେ ଅଭିନୟ କରିଥିଲେ ।
ତାଙ୍କ ଲଭଲାଇଫ ମଧ୍ୟ ଶାନଦାର ଥିଲା । ସେ 1996 ସେପ୍ଟେମ୍ବର 25ରେ ସୋନାଲିଙ୍କୁ ବିବାହ କରିଥିଲେ । ଦୁଇଜଣଙ୍କ ବିବାହକୁ 26 ବର୍ଷ ବିତି ଗଲାଣି । ସୋନାଲି ମିଡିଆ ଲାଇମଲାଇଟରୁ ସବୁବେଳେ ଦୂରେଇ ରୁହନ୍ତି । ସୋନାଲିଙ୍କ ସହ ସୋନୁଙ୍କ ସାକ୍ଷାତ ଇଞ୍ଜିନିୟରିଂ ପଢୁଥିବା ସମୟରେ ହୋଇଥିଲା । ସୋନୁ ପଞ୍ଜାବୀ ହୋଇଥିବା ବେଳେ ସୋନାଲି ତାମିଲିୟନ । ସୋନୁଙ୍କ ଦୁଇ ପୁଅ ଅୟାନ ଓ ଈଶାନ୍ତ ଅଛନ୍ତି ।
ପ୍ରକାଶ ଥାଉକି ସୋନୁ ଏବେ ନିଜ ବର୍ଥଡେ ସେଲିବ୍ରେଶନ କରୁନାହାଁନ୍ତି । ଏହା ପଛରେ ଏକ କାହାଣୀ ଅଛି । ସେ ଏକ ସାକ୍ଷାତକାରରେ ଖୁଲାସା କରିଥିଲେ ଯେ ଯେବେଠୁ ତାଙ୍କ ମା'ଙ୍କ ନିଧନ ହୋଇଛି, ସେହି ସମୟ ପରଠୁ ସେ ଆଉ ନିଜ ଜନ୍ମଦିନ ପାଳନ କରୁନାହାଁନ୍ତି । ହେଲେ ଜନ୍ମଦିନରେ ସେ ପରିବାର ସହ ସମୟ ବିତାଇବାକୁ ଭଲ ପାଆନ୍ତି ।