ମୁମ୍ବାଇ: ଲକଡାଉନ ଯୋଗୁଁ ଥିଏଟର ବନ୍ଦ ଥିବାବେଳେ ଅନେକ ଫିଲ୍ମର ରିଲିଜ ଡେଟ୍ ଘୁଞ୍ଚିଛି । ଏପରି ସମୟରେ କିଛି ଛୋଟ ବଜେଟର ଫିଲ୍ମ ଅନଲାଇନ ପ୍ଲାଟଫର୍ମକୁ ଥିଏଟର ଧରି ନେଇଛନ୍ତି । ବର୍ତ୍ତମାନ ଲୋକେ ସେଠାରେ ସକ୍ରିୟ ଥିବାବେଳେ ଲକଡାଉନ ଖୋଲିଲେ ରିଲିଜ ପାଇଁ ଭିଡ ଲାଗିବ । ତେଣୁ ଅନେକ ଫିଲ୍ମ ଏବେ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ କରୁଛନ୍ତି ।
ଏହି ତାଲିକାରେ ସାମିଲ ହୋଇଛି ସୁଜିତ ସିରକାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ଗୁଲାବୋ ସିତାବୋ । ପୂର୍ବରୁ ଏପ୍ରିଲ 17ରେ ଏହା ରିଲିଜ ହେବାର ଥିଲା । ହେଲେ ଲକଡାଉନ ଯୋଗୁଁ ଏବେ ଏହାକୁ ଅନଲାଇନରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ଫିଲ୍ମ ମେକର୍ସ । ଆଗାମୀ ଜୁନ 12ରେ ଏହାର ଆମାଜନ ପ୍ରାଇମ ଭିଡିଓରେ ପ୍ରିମିୟର ହେବ । ଏନେଇ ଫିଲ୍ମର ଲିଡ୍ ଆକ୍ଟର ଆୟୁଷ୍ମାନ ଖୁରାନା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।
ସେ ଲେଖିଛନ୍ତି ଯେ ଆପଣଙ୍କ ପାଇଁ ଆଗୁଆ ବୁକିଂ । ଜୁନ 12ରେ ଗୁଲାବୋ ସିତାବୋର ୱାର୍ଲଡ ପ୍ରିମିୟର । ଫାର୍ଷ୍ଟ ଡେ ଫାର୍ଷ୍ଟ ଷ୍ଟ୍ରିମ କରିବାକୁ ଆସିଯାଆନ୍ତୁ । ଫିଲ୍ମ ହଲ ଭଳି ପ୍ରଥମ ଦିନର ଶୋ ଦେଖିବାକୁ ସମସ୍ତଙ୍କୁ ଅନୁରୋଧ । ପ୍ରକାଶ ଥାଉ କି ଗୁଲାବୋ ସିତାବୋରେ ଅନ୍ୟତମ ଲିଡ୍ ଆକ୍ଟର ହେଉଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ପ୍ରଥମ ଥର ଉଭୟ ଏକାଠି ସିଲଭର ସ୍କ୍ରିନରେ ଆକ୍ଟିଂ କରିବେ । ତେବେ ଏପର୍ଯ୍ୟନ୍ତ ଏହି କମେଡି ଫିଲ୍ମର ଟ୍ରେଲର ଆସିନାହିଁ ।
ପୂର୍ବରୁ ଅଙ୍ଗ୍ରେଜି ମିଡିୟମ ମଧ୍ୟ ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇସାରିଛି । ଲକଡାଉନ ଖୋଲିଲେ ଅନେକ ବିଗ୍ ବଜେଟ ଫିଲ୍ମ ରିଲିଜ ପାଇଁ ଲାଇନରେ ଅଛନ୍ତି । ଏହାସହ ପ୍ରଥମେ କିଛି ମାସ ଦର୍ଶକ କମ ମଧ୍ୟ ହୋଇପାରନ୍ତି । ଏହିସବୁ ଦୃଷ୍ଟିରୁ ଅନେକ ମିଡିୟମ ବଜେଟ୍ ଫିଲ୍ମ ଅନଲାଇନ ପ୍ଲାଟଫର୍ମରେ ଫିଲ୍ମ ରିଲିଜ କରିବାକୁ ସ୍ଥିର କରିଛନ୍ତି ।