ହାଇଦ୍ରାବାଦ: ମା'ଙ୍କ ଆଗମନକୁ ନେଇ ଉତ୍ସବମୁଖର ଧରାପୃଷ୍ଠ । ସ୍ବାଗତ ପାଇଁ ସଜେଇ ହୋଇଛି କାଶତଣ୍ଡୀ । ଗାଁ ଠୁ ସହର ସବୁଆଡ ଚଳଚଞ୍ଚଳ । ଆରମ୍ଭ ହୋଇଛି ଷୋଡଶ ଉପଚାର । ମା'ଙ୍କ ଆରଧନା ପାଇଁ ସମସ୍ତେ ତତ୍ପର ଥିବା ବେଳେ ବଲିଉଡ ଅବା କେମିତି ପଛରେ ରହିବ । ଭାରତୀୟ ସିନେମାର ଆରମ୍ଭରୁ ହିଁ ଗୀତ ମାଧ୍ୟମରେ ମାଁଙ୍କ ଆରଧନା କରାଯାଉଛି । ସେ 1975ର ଜୟ ସନ୍ତୋଷୀ ମା ହେଉ କିମ୍ବା 2006ର ଫିଲ୍ମ ବିବାହ । ବଲିଉଡରେ ମା'ଙ୍କ ଉପାସନା ବହୁ ପୁରୁଣା ।
ସିନେମା ମାଧ୍ୟମରେ ମାଙ୍କୁ ପ୍ରଥମେ ଆରଧନା କରିଥିଲା ଫିଲ୍ମ ‘ଜୟ ସନ୍ତୋଷୀ ମାତା’ । ଫିଲ୍ମର ଆରତୀ ଉତାରୁ ମେ ସନ୍ତୋଷୀ ମାତା କି ଏବେବି ଆମ ମନରେ ଭକ୍ତି ଭାବ ଜାଗ୍ରତ କରିଥାଏ । ପରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ନେଇ ଆସିଲେ ଆଉ ଏକ ମାତାଙ୍କ ଗୀତ । ‘ଓ ସେରାୱାଲି’ ଗୀତରେ ଗର୍ବା କରୁଥିବାର ନଜର ଆସିଲେ ଏଭର ବିୟୁଟି ରେଖା ଓ ବିଗ-ବି । 1980ରେ ଜିତେନ୍ଦ୍ର ଓ ରିନା ରଏଙ୍କ ସୁପରହିଟ୍ ଫିଲ୍ମ ‘ଆଶା’ରେ ବୈଷ୍ଣୋଦେବୀଙ୍କୁ ଆରାଧନା କରାଗଲା । ‘ତୁନେ ମୁଝେ ବୁଲାୟା ସେରାୱାଲିଏ’ ଗୀତ ଏବେବି ଆମ ମନରେ ସତେଜ ।
1985 ‘ମର୍ଦ’ ଫିଲ୍ମରେ ଅମିତାଭ ବଚ୍ଚନ ଗୀତ ମାଧ୍ୟମରେ ମାଁଙ୍କୁ ଅଭିଯୋଗ ଜଣାଇଥିଲେ। ସେ ସମୟରେ ଦର୍ଶକଙ୍କ ଆଖିରେ ଲୁକ ଭରିଦେଇଥିଲା ଏହି ଗୀତ । ନିଜ ଶିଶୁକୁ ବଞ୍ଚାଇବା ପାଇଁ ମାଙ୍କ ଶରଣ ପଶିଥିଲେ ଜୟାପ୍ରଦା ଓ ଜିତେନ୍ଦ୍ର । ଫିଲ୍ମ ‘ସ୍ବର୍ଗ ସେ ସୁନ୍ଦର’ରେ ‘ମାତା ପ୍ରକଟ ହୋ’ ଗୀତ ଜରିଆରେ ମାଁଙ୍କୁ ଗୁହାରି ଜଣାଇଥିଲେ ଜୟା । ସମୟ ପରିବର୍ତ୍ତନ ହେବା ସହ ସିନେମାର ମାନ, ଗୀତରେ ମଧ୍ୟ ପରିବର୍ତ୍ତନ ଆସିଲା ମାତ୍ର ଆରଧନାରେ ଏବେବି କୌଣସି ପରିବର୍ତ୍ତନ ଆସିନାହିଁ। 1996ରେ ଫିଲ୍ମ ‘ଖିଲାଡିଓ କା ଖିଲାଡି’ ଫିଲ୍ମରେ ମାଙ୍କ ଗୀତର ପରିଭାଷାକୁ ପରିବର୍ତ୍ତନ କରିଥିଲେ ଅକ୍ଷୟ । ‘ମା ସେରୱାଲିଏ ତେରା ସେର୍ ଆ ଗେୟା’ ଗୀତକୁ ଶୁଣିଲେ ଏବେବି ଶିହରଣ ସୃଷ୍ଟି ହୋଇଯାଏ ।
ଯେ ପର୍ଯ୍ୟନ୍ତ ଭାରତୀୟ ସିନେମା ରହିଛି ସେ ପର୍ଯ୍ୟନ୍ତ ମାଙ୍କୁ ଭିନ୍ନ ଭିନ୍ନ ଉପାୟରେ ଆରଧନା କରାଯିବ । ଭକ୍ତି ଓ ବିଶ୍ବାସର ପ୍ରତୀକ ମା । ସିନେମା ଓ ବିଶ୍ବାସ ପରସ୍ପରର ପରିପୂରକ । ସିନେମା ମାଧ୍ୟମରେ ମା'ଙ୍କ ଆରାଧନା ତ ଯୁଗ ଯୁଗରୁ ରହିଆସିଛି, ଆଗକୁ ରହିବ ମଧ୍ୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ