ନୂଆଦିଲ୍ଲୀ: 51ତମ ଦାଦାସାହେବ ଫାଲକେ ସମ୍ମାନ ଘୋଷିତ । ଅଭିନେତା ରଜନୀକାନ୍ତଙ୍କୁ ଏହି ପୁରସ୍କାର ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି । । କଳା ଜଗତକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଏନେଇ ଥଲାଇଭାଙ୍କୁ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।
ଗୁରୁବାର ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ‘ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତ ଯିଏ ଇତିହାସର ଜଣେ ମହାନ ଅଭିନେତା । ତାଙ୍କୁ 2020 ପାଇଁ ଦାଦାସାହେବ ଫାଲକେ ପୁରସ୍କାର ଘୋଷଣା କରି ଖୁସି ଅନୁଭବ ହେଉଛି । ଅଭିନେତା, ନିର୍ମାତା ଏବଂ ସ୍କ୍ରିନ୍ ରାଇଟର୍ ଭାବରେ ତାଙ୍କର ଅବଦାନ ଆଇକନିକ୍ । ମୁଁ ଜୁରିଙ୍କୁ ଧନ୍ୟବାଦ ଜଣାଉଛି ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରିଥିବାରୁ ।’
ସେହିପରି ଗୃହମନ୍ତ୍ରୀ ଅମିତ୍ ଶାହ ଟ୍ବିଟରେ ଲେଖିଛନ୍ତି,‘ରଜନୀକାନ୍ତ ଜଣେ ମହାନ ଅଭିନେତା । ଯାହାର ଅଭିନୟ ଏବଂ ସିନେମାଟିକ୍ ପ୍ରତିଭାର ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ତାଙ୍କୁ ମୋର ଶୁଭେଚ୍ଛା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଲେଖିଛନ୍ତି,‘ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଲୋକପ୍ରିୟ ଅଭିନେତା ରଜନୀକାନ୍ତ ଜୀଙ୍କୁ ଅଭିନନ୍ଦନ । ଭାରତୀୟ ସିନେମା ପାଇଁ ତାଙ୍କର ଅବଦାନ ଅତୁଳନୀୟ ।’
ପ୍ରକାଶ ଥାଉକି, 51ତମ ଦାଦାସାହେବ ଫାଲକେ ପୁରସ୍କାର ଜୁରିରେ ସାମିଲ ଥିଲେ ଆଶା ଭୋସଲେ, ସୁଭାଷ ଘାଇ, ମୋହନଲାଲ ଓ ଶଙ୍କର ଭଳି ସେଲିବ୍ରିଟି।