ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ବିକ୍କୀ କୌଶଲଙ୍କୁ ବଲିଉଡରେ ବର୍ତ୍ତମାନ କୌଣସି ପରିଚୟର ଆବଶ୍ୟକ ନାହିଁ । କାରଣ ସେ ନିଜ ଶାନଦାର ଅଭିନୟ ଜରିଆରେ ନିଜର ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିସାରିଲେଣି। ସେ ଫେମସ ଯୁବ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ। ସେ ‘ମସାନ’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଆଉ ଏହାପରେ ସେ କେବେ ମଧ୍ୟ ପଛକୁ ବୁଲି ଚାହିଁନାହାଁନ୍ତି । ଆଜି ଏହି ଶାନଦାର ଅଭିନେତାଙ୍କ ଜନ୍ମଦିନ। 32 ବର୍ଷରେ ପଦାର୍ପଣ କଲେ ସେ । ତେବେ ଏହି ଅବସରରେ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...
ତାଙ୍କ ଜନ୍ମ 1988 ମେ 16ରେ ସ୍ୟାମ କୌଶଲଙ୍କ ଘରେ ହୋଇଥିଲା । ଯିଏ ଜଣେ ଫେମସ ଆକ୍ସନ ନିର୍ଦ୍ଦେଶକ । ତାଙ୍କର ଛୋଟ ଭାଇ ସନ୍ନି କୌଶଲ ଅଛନ୍ତି । ସନ୍ନି ମଧ୍ୟ ଅକ୍ଷୟ କୁମାରଙ୍କ ଫିଲ୍ମ ଗୋଲ୍ଡ ଜରିଆରେ ବଲିଉଡରେ ଡେବ୍ୟୁ କରିସାରିଛନ୍ତି।
ବିକ୍କୀଙ୍କ ପିତା ପ୍ରଥମେ ଜଣେ ଷ୍ଟଣ୍ଟମ୍ୟାନ ରୂପେ କାମ କରୁଥିଲେ। ଆଉ ପୁରା ପରିବାର ମୁମ୍ବାଇର ଏକ ଚଲରେ ରହୁଥିଲା।
ବିକ୍କୀ ଇଲୋକ୍ଟ୍ରନିକ୍ସ ଓ ଦୂରସଞ୍ଚାରରେ ରାଜୀବ ଗାନ୍ଧୀ ଟେକ୍ନୋଲୋଜି ସଂସ୍ଥା, ମୁମ୍ବାଇରେ ଇନଞ୍ଜିନିୟରିଂ କରିଥିଲେ । ତାଙ୍କୁ ପାଠ ପଢିବା ସହ ଡାନ୍ସିଂ ଓ ଟ୍ରାଭଲିଂ କରିବାକୁ ଖୁବ୍ ଭଲ ଲାଗେ। ଅଭିନେତା ବ୍ୟତୀତ ସେ ଜଣେ ଟ୍ରେଣ୍ଡ ଡାନ୍ସର ମଧ୍ୟ।
ଇନଞ୍ଜିନିୟରିଂ ଶେଷ କରିବା ପରେ ତାଙ୍କୁ ଏକ ଚାକିରୀର ଅଫର ମିଳିଥିଲା। ହେଲେ ସେ ଅଭିନେତା ହେବାକୁ ସବୁବେଳେ ଚାହୁଁଥିଲେ। ଏଥି ନିମନ୍ତେ ଚାକିରୀ ଅଫରକୁ ରିଜେକ୍ଟ କରି ଫିଲ୍ମ ମୁହାଁ ହୋଇଥିଲେ। ସେ ଅନେକ ଆକ୍ଟିଂ ୱାର୍କଶପରେ ଭାଗ ନେଇଥିଲେ । ଏହାବ୍ୟତୀତ ସେ ଥିଏଟରରେ ମଧ୍ୟ କାମ କରିଥିଲେ ।
ନୀରଜ ଘେବନଙ୍କ ଦ୍ବାରା ନିର୍ଦ୍ଦେଶିତ ନିଜ ଡେବ୍ୟୁ ଫିଲ୍ମ ‘ମସାନ’ ପାଇଁ ବିକ୍କୀ ଅନେକ ପୁରସ୍କାରରେ ପୁରସ୍କୃତ ହୋଇଥିଲେ। ବହୁତ କମ ଫ୍ୟାନ୍ସଙ୍କୁ ଏହା ଜଣା ଯେ ଡେବ୍ୟୁ ଫିଲ୍ମ ପୂର୍ବରୁ ସେ ‘ଲଭ ଶବ ତେ ଚିକେନ ଖୁରାନା’ ଓ ‘ବମ୍ବେ ଭେଲଭେଟ’ ଭଳି ଫିଲ୍ମରେ ଛୋଟ ରୋଲରେ ଅଭିନୟ କରିଥିଲେ ।
ଖାଲି ଏତିକି ନୁହେଁ ସେ ‘ଗ୍ୟାଙ୍ଗ୍ସ ଅଫ ୱାସେପୁର 2’ରେ ଅନୁରାଗ କଶ୍ୟପଙ୍କ ସହ ମିଶି ସହ-ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ । ସେ ସ୍ବାଦିଷ୍ଟ ଖାଦ୍ୟ ଖାଇବାର ସୌଖୀନ । ସେ ପ୍ରାୟତଃ ଗୁପଚୁପ, ଜଲେବୀ-ରାବଡି, ଆଲୁ ପରଟା ଓ ସ୍ବିଟ ଡିଶ ଖାଇବାକୁ ପସନ୍ଦ କରନ୍ତି।
ସୁପରହିଟ୍ ଫିଲ୍ମ ‘ଉରି- ଦ ସର୍ଜିକାଲ ଷ୍ଟ୍ରାଇକ’ ପାଇଁ ସେ କିଟୋ ଡାଏଟ ନେଇ ନିଜ ଶରୀରର ଓଜନ ବଢାଇଥିଲେ । ସେ ପାଖାପାଖି 5 ମାସ ପର୍ଯ୍ୟନ୍ତ ସେନା ପ୍ରଶିକ୍ଷଣ ନେଇଥିଲେ ଓ ମାର୍ଶଲ ଆର୍ଟ ମଧ୍ୟ ଅଭ୍ୟାସ କରିଥିଲେ। ଏହି ଫିଲ୍ମ ପାଇଁ ବିକ୍କୀଙ୍କୁ ନ୍ୟାସନାଲ ଆୱାର୍ଡ ମଧ୍ୟ ମିଳିଥିଲା।
ସେ ‘ଉରି’, ‘ମସାନ’, ‘ରାଜି’, ‘ସଞ୍ଜୁ’ରେ ଶାନଦାର ଅଭିନୟ କରି ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲେ। ଆଗାମୀ ଦିନରେ ସେ ଉଧମ ସିଂ ଭୂମିକାରେ ନଜର ଆସିବେ।