ମୁମ୍ବାଇ: ଶ୍ରୀରାମ ରାଘବନଙ୍କ ଥ୍ରିଲର ଡ୍ରାମା ଫିଲ୍ମ ‘ଅନ୍ଧାଧୁନ’ ଟ୍ୟାଲେଣ୍ଟଟେଡ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କୁ ଜାତୀୟ ପୁରସ୍କାର ଜିତାଇଛି । ଏହି ବ୍ଲକବଷ୍ଟର ଫିଲ୍ମ ଚୀନ ସିନେ ବଜାରରେ ରିଲିଜ ହୋଇ ସଫଳତା ଅର୍ଜନ କରିଥିଲା । ଆଉ ଏବେ ଜାପାନ ସିନେ ପ୍ରେମୀ ଏହି ଫିଲ୍ମ ଦେଖିବାକୁ ଯାଉଛନ୍ତି । ଆଜ୍ଞା ହଁ, ଏମାସ 15ରେ ଜାପାନରେ ରିଲିଜ ହେବ ଆୟୁଷ୍ମାନ, ତବ୍ବୁ ଓ ରାଧିକା ଆପ୍ଟେଙ୍କ ଅଭିନୀତ ଏହି ସୁପରହିଟ୍ ଫିଲ୍ମ ।
ପୂର୍ବରୁ ‘ଅନ୍ଧାଧୁନ’ ଚୀନ, କୋରିଆ, ରୁଷିଆ ଏବଂ କାଜିକସ୍ତାନରେ ରିଲିଜ ହୋଇସାରିଛି । ଗତ ବର୍ଷ ଏହି ଫିଲ୍ମଟି ଭାରତରେ ଅକ୍ଟୋବରରେ ରିଲିଜ ହୋଇଥିଲା । ଫିଲ୍ମଟି ଜାତୀୟ ଚଳଚ୍ଚିତ୍ର ସମାରୋହରେ ଅନେକ ପୁରସ୍କାର ମଧ୍ୟ ଜିତିସାରିଛି । ଏବର୍ଷର ସର୍ବଶ୍ରେଷ୍ଠ ଫିଲ୍ମ ମଧ୍ୟ ‘ଅନ୍ଧାଧୁନ’ ।
ପ୍ରକାଶ ଥାଉକି ଭାଏକମ 18 ମୋଶନ ପିକ୍ଚର ଦ୍ବାରା ନିର୍ମିତ ଏହି ଫିଲ୍ମ ଇରୋସ ଇଣ୍ଟରନ୍ୟାସନାଲ ଦ୍ବାରା ଅନ୍ତରାଷ୍ଟ୍ରୀୟ ସ୍ତରରେ ବିତରିତ କରାଯାଇଛି । ଫିଲ୍ମରେ ଆୟୁଷ୍ମାନ ଜଣେ ଅନ୍ଧ ବ୍ୟକ୍ତି ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ କିଣିବାରେ ସଫଳ ହୋଇଥିଲେ। ଆଉ ଏବେ ତାଙ୍କ ଅଭିନୀତ ଫିଲ୍ମ ‘ବାଲା’ ମଧ୍ୟ ବକ୍ସ ଅଫିସରେ ଶାନଦାର ଆୟ କରିବାରେ ଲାଗିଛି । ଫିଲ୍ମରେ ସେ ଜଣେ ଚନ୍ଦା ବ୍ୟକ୍ତି ଭୂମିକାରେ ନଜର ଆସୁଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ଭୂମି ପେଡନେକର ଓ ୟାମୀ ଗୌତମ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ରିଲିଜର ମାତ୍ର 4 ଦିନ ମଧ୍ୟରେ ଫିଲ୍ମଟି 50 କୋଟି କ୍ଲବରେ ସାମିଲ ହୋଇସାରିଲାଣି ।