ମୁମ୍ବାଇ: ନିଜ ଦମଦାର ସଙ୍ଗୀତ ଜରିଆରେ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିସାରିଛନ୍ତି ଅର୍ଜୁନ କାନୁନଗୋ । ସେ ନିଜ ସଙ୍ଗୀତରେ ଦର୍ଶକଙ୍କ ସହ ନିର୍ଦ୍ଦେଶକଙ୍କ ମନ ମଧ୍ୟ କିଣିଛନ୍ତି । ଆଉ ଖୁବଶୀଘ୍ର ସେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଭାଇଜାନ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ରେ ନଜର ଆସିବେ।
ବର୍ତ୍ତମାନ ସେ ବଲିଉଡରେ ପଦାର୍ପଣ କରିବାକୁ ପ୍ରସ୍ତୁତ ହୋଇସାରିଲେଣି । ଏକ ସାକ୍ଷାତକାରରେ ଏନେଇ ସେ ସମସ୍ତଙ୍କୁ ଜଣାଇଥିଲେ କି କେମିତି ତାଙ୍କୁ ସଲମାନ ଏହି ଫିଲ୍ମରେ କାମ କରିବାର ସୁଯୋଗ ଦେଇଥିଲେ । ସେ କହିଥିଲେ ଦୁଇ ବର୍ଷ ପୂର୍ବେ ସଲମାନଙ୍କୁ ସେ ସାକ୍ଷାତ କରିଥିଲେ । ସେହି ସମୟରେ ସଲମାନ ତାଙ୍କୁ ନିଜ ଫିଲ୍ମ ‘ରେସ-3’ ପାଇଁ ଗୋଟିଏ ଗୀତ ଗାଇବାକୁ ଅଫର ଦେଇଥିଲେ । ‘ରେସ-3’ରେ ସେହି ଗୀତରେ ସାକିବ ସଲୀମ ଓ ଜ୍ୟାକଲିନ ଫର୍ଣ୍ଣାଡିଜ ଥିଲେ ।
ହେଲେ ସେ ଗୀତକୁ ରିଲିଜ କରାଯାଇନଥିଲା । ସେପଟେ ‘ବାରିସେଂ’ର ମ୍ୟୁଜିକ ଭିଡିଓ ଜାରି ହେବା ପରେ ସେ ଗୀତଟିକୁ ସଲମାନଙ୍କୁ ଦେଖାଇଥିଲେ । ଗୀତ ଦେଖିବା ପରେ ସଲମାନ ତାଙ୍କୁ କହିଥିଲେ ସେ ସ୍କ୍ରିନରେ ଭଲ ଦେଖାଯାଉଛନ୍ତି । ଆଉ ତାଙ୍କ ଆଗାମୀ ଫିଲ୍ମରେ ସେ କାମ କରନ୍ତୁ ବୋଲି ଚାହୁଁଥିଲେ । ଏପରି ତାଙ୍କୁ ‘ରାଧେ’ ଫିଲ୍ମର ଅଫର ମିଳିଥିଲା।
ପ୍ରକାଶ ଥାଉ କି ‘ରାଧେ’ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଫେମସ ନିର୍ଦ୍ଦେଶକ, କୋରିଓଗ୍ରାଫର ତଥା ଅଭିନେତା ପ୍ରଭୁଦେବା । ଏବର୍ଷ ଇଦରେ ଫିଲ୍ମକୁ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ । ଫିଲ୍ମରେ ସଲମାନଙ୍କ ବ୍ୟତୀତ ଦିଶା ପଟାନୀ, ରଣଦୀପ ହୁଡ୍ଡା ଓ ଜ୍ୟାକି ଶ୍ରଫ ଆଦି ମୁଖ୍ୟ ଭୂମିକାରେ ନଜର ଆସିବେ।