ମୁମ୍ବାଇ: ଆଜି ହେଉଛି ବି-ଟାଉନର ମୋଗାମ୍ବୋ ଅମରିଶ ପୁରୀଙ୍କ 89ତମ ଜନ୍ମ ବାର୍ଷିକୀ । ସେ ବଲିଉଡର ଏପରି ଜଣେ ଖଳନାୟକ ଥିଲେ ଯିଏ ତାଙ୍କ ଅଭିନୟ ଦ୍ବାରା ସମସ୍ତଙ୍କ ହୃଦୟ ଜିତିଥିଲେ | ସେ ନିଜ ଦମଦାର ଡାଇଲଗ୍ ସହିତ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ପରଦାରେ ତାଙ୍କର ଅଭିନୟ ଦେଖି ଦର୍ଶକମାନେ ମଧ୍ୟ ଡରି ଯାଇଥିଲେ । ଅମରିଶ ପୁରୀ ଆଜି ଆମ ସହିତ ନାହାଁନ୍ତି ସତ କିନ୍ତୁ ତାଙ୍କ ଦ୍ବାରା କରାଯାଇଥିବା ପ୍ରତ୍ୟେକ ଚରିତ୍ର ଆଜି ବି ଲୋକପ୍ରିୟ।
ଜନ୍ମ ବାର୍ଷିକୀ ଅବସରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା...
ଅମରିଶ 1932 ଜୁନ 22ରେ ପଞ୍ଜାବର ନୱାସହରରେ ଜନ୍ମ ହୋଇଥିଲେ । ସ୍ବାଧୀନତା ପରେ ସେ ଅଭିନୟରେ ଭାଗ୍ୟ ପରୀକ୍ଷା କରିବାକୁ ମୁମ୍ବାଇ ଆସିଥିଲେ । ଅମରିଶଙ୍କର ଦୁଇ ବଡ଼ ଭାଇ ମଦନ ପୁରୀ ଏବଂ ଚମାନ ପୁରୀ ଇଣ୍ଡଷ୍ଟ୍ରିରେ ପୂର୍ବରୁ ନିଜ ପରିଚୟ ସ୍ଥାପନ କରିସାରିଥିଲେ । ଅମରିଶ ନିଜ ବଡ ଭାଇଙ୍କ କହିବା ଅନୁଯାୟୀ ମୁମ୍ବାଇ ଆସିଥିଲେ କିନ୍ତୁ ପ୍ରଥମ ଅଡିଶନରେ ଅଭିନେତାଙ୍କୁ ରିଜେକ୍ଟ କରାଯାଇଥିଲା ।
ଅଡିଶନରୁ ରିଜେକ୍ଟ ହେବା ପରେ ଅମରିଶ ଏକ ବ୍ୟାଙ୍କରେ ଚାକିରୀ କରିଥିଲେ । ପରେ ଥିଏଟର କରିବା ମଧ୍ୟ ଆରମ୍ଭ କରିଥିଲେ । ଅମରିଶଙ୍କୁ ଉଭୟ ବ୍ୟାଙ୍କ ଏବଂ ଥିଏଟର କାମ ଏକାଠି କରିବାରେ ଅସୁବିଧା ହୋଇଥିଲା । ଯାହା ପରେ ସେ ଅଭିନୟ ବାଛିବା ପାଇଁ ବ୍ୟାଙ୍କ ଚାକିରୀ ଛାଡି ଦେଇଥିଲେ ।
ତାଙ୍କ ଏହି ନିଷ୍ପତ୍ତି ତାଙ୍କୁ ବଡ ସଫଳତା ଯୋଗାଇଥିଲା । ନିଜ ଅଭିନୟ କ୍ୟାରିୟରରେ ସେ 500ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କ ସୁପରଡୁପର ହିଟ୍ ଫିଲ୍ମ ଗୁଡିକ ହେଲା, ‘ମିଷ୍ଟର ଇଣ୍ଡିଆ’, ‘ନାୟକ’, ‘କରନ ଅର୍ଜୁନ’, ‘ଦିଲୱାଲେ ଦୁଲହନିୟା ଲେ ଜାଏଙ୍ଗେ’, ‘ନାଗିନ’ ।
ସେହିପରି ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ ସାଧାରଣ ଥିଲା । ଅମରିଶ ଏମିତି ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ଥିଲେ, ଯାହାଙ୍କର କୌଣସି ଅଭିନେତ୍ରୀଙ୍କ ସହ ସମ୍ପର୍କ ରହିନଥିଲା । ଯେବେ ସେ ବ୍ୟାଙ୍କରେ ଚାକିରୀ କରୁଥିଲେ ସେହି ସମୟରେ ତାଙ୍କ ସାକ୍ଷାତ ଉର୍ମିଲା ଦେବକରଙ୍କ ସହ ହୋଇଥିଲା । ଅମରିଶ ପଞ୍ଜାବୀ ପରିବାରରୁ ଥିବା ବେଳେ ଉର୍ମିଲା ସାଉଥ ଇଣ୍ଡିଆନ ଥିଲେ ।
ଆରମ୍ଭ ସମୟରେ ଦୁଇ ପରିବାର ଏହି ବିବାହ ପାଇଁ ପ୍ରସ୍ତୁତ ନଥିଲେ । ହେଲେ ପରେ ଦୁଇଜଣଙ୍କ ପରିବାର ବିବାହ ପାଇଁ ରାଜି ହୋଇଯାଇଥିଲେ । ଆଉ 1957 ମସିହାରେ ଉର୍ମିଲା ଓ ଅମରିଶ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।
ପ୍ରକାଶ ଥାଉକି 2005 ଜାନୁଆରୀ 27ରେ ସେ ଦୁନିଆକୁ ଛାଡି ଚାଲିଯାଇଥିଲେ । ମୃତ୍ୟୁ ସମୟରେ ସେ 72 ବର୍ଷ ବୟସର ଥିଲେ ।