ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ନିଜର ଆଗାମୀ ଫିଲ୍ମ 'ଗୁଲାବୋ ସିତାବୋ'ର ସୁଟିଂରେ ଜୋରସୋରରେ ବ୍ୟସ୍ତ । ତାଙ୍କର ଏହି ଫିଲ୍ମକୁ ନେଇ ଦର୍ଶକ ଖୁବ୍ ଉତ୍ସାହିତ ଅଛନ୍ତି । କାରଣ ପ୍ରଥମଥର ଦର୍ଶକ ଏହି ଫିଲ୍ମରେ ଅମିତାଭଙ୍କ ସହ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଦମଦାର ଅଭିନୟ ଦେଖିବାକୁ ଯାଉଛନ୍ତି । ଇତିମଧ୍ୟରେ ସାମ୍ନାକୁ ଆସିଛି 'ଗୁଲାବୋ ସିତାବୋ'ରୁ ବିଗ-ବିଙ୍କ ଫାଷ୍ଟ ଲୁକ । ଯାହାକୁ ଟ୍ବିଟରରେ ସେୟାର କରିଛନ୍ତି ଫିଲ୍ମ କ୍ରିଟିକ ତରଣ ଆଦର୍ଶ ।
ଫିଲ୍ମରେ ସେ ଜଣେ ବୃଦ୍ଧ ଭୂମିକାରେ ଅଭିନୟ କରୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫିଲ୍ମର ପ୍ରଥମ ଲୁକରେ 76 ବର୍ଷିୟ ଅମିତାଭ ଆଖିରେ ଚଷମା ଲଗାଇ ଆଉ ମୁଣ୍ଡରେ ସ୍କାର୍ଫ ବାନ୍ଧି ଲମ୍ବା ଦାଢିରେ ବୁଢା ନଜର ଆସୁଛନ୍ତି । ଏହି ଲୁକରେ ବିଗ-ବି ଆଦୌ ଚିହ୍ନା ପଡୁନାହାଁନ୍ତି ।
ଫିଲ୍ମ ସୁଟିଂ ପାଇଁ ଅମିତାଭ ପ୍ରଥମଥର ଲକ୍ଷ୍ନୌରେ ପହଞ୍ଚିଛନ୍ତି । ସେଠାରେ ହେଉଥିବା ସୁଟିଂ ସମୟରେ ତାଙ୍କ ଫ୍ୟାନ୍ସଙ୍କ ଭିଡ ଖୁବ୍ ଦେଖିବାକୁ ମିଳୁଛି । ସୁଟିଂ ଯେଉଁ ଯେଉଁ ସ୍ଥାନରେ ହେଉଛି ସେଠାରେ ପୂର୍ବରୁ ତାଙ୍କ ପ୍ରଶଂସକ ପହଞ୍ଚିଯାଉଛନ୍ତି କେବଳ ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ।
ଶୁଣିବାକୁ ମିଳୁଛି ଯେ ଆସନ୍ତା ଅଗଷ୍ଟ ପର୍ଯ୍ୟନ୍ତ ଲକ୍ଷ୍ନୌରେ ରହିବେ ବିଗ-ବି । ଜୁହି ଚତୁର୍ବେଦୀଙ୍କ ଲିଖିତ ଏବଂ ସୁଜିତ ସରକାରଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଫିଲ୍ମର ସୁଟିଂ ମହମୂଦାବାଦ ହାଉସରେ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଅମିତାଭଙ୍କ ଲୁକ ଟେଷ୍ଟ ସହ ଫିଲ୍ମର କିଛି ସିନ ସୁଟ କରାଯାଇଛି ।
ପ୍ରକାଶ ଥାଉକି ଫିଲ୍ମରେ ଅମିତାଭ ଯେଉଁଠାରେ ଘର ମାଲିକ ଭୂମିକାରେ ଦେଖାଯିବେ ସେହିଠାରେ ଆୟୁଷ୍ମାନ ତାଙ୍କ ଘରେ ଭଡାରେ ରହୁଥିବାର ନଜର ଆସିବେ । ଅନ୍ୟପଟେ ଅଭିନେତ୍ରୀ ଅର୍ଚ୍ଚନା ଶୁକ୍ଳା ଫିଲ୍ମରେ ଆୟୁଷ୍ମାନଙ୍କ ମା' ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମଟିକୁ ଆସନ୍ତା ବର୍ଷ ଏପ୍ରିଲ 24ରେ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ ।