ମୁମ୍ବାଇ: ଆଜି ପୁରାଦେଶ 73ତମ ସ୍ବାଧୀନତା ଦିବସ ପାଳନ କରିବା ସହ ଭାଇ-ଭଉଣୀଙ୍କ ନିବିଡ ସମ୍ପର୍କକୁ ସାବ୍ୟସ୍ତ କରୁଥିବା ରାକ୍ଷୀ ପୂର୍ଣ୍ଣିମାକୁ ମଧ୍ୟ ଧୁମଧାମରେ ପାଳନ କରିଛନ୍ତି । ଯେଉଁଠାରେ ସୋସିଆଲ ମିଡିଆରେ ରାକ୍ଷୀର ରଙ୍ଗ ଦେଖିବାକୁ ମିଳୁଛି, ସେହିଠାରେ ବଲିଉଡରେ ମଧ୍ୟ ଭାଇ-ଭଉଣୀଙ୍କ ପ୍ରେମ ଜୋର ଧରିଛି । ଆଜ୍ଞା ହଁ, ଆମେ ଏଠାରେ କଥା ହେଉଛୁ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ଫିଲ୍ମ ନିର୍ମାତା କରନ ଜୋହରଙ୍କ ପୁଅ ୟଶଙ୍କ ବିଷୟରେ ।
ଆଜିର ଏହି ମହାନ୍ ଦିନରେ ଆଲିୟା ସବୁ କାମ ଛାଡି କରନଙ୍କ ଦୁଇ ଝାଆଁଳା ପୁଅ, ଝିଅ ୟଶ ଓ ରୁହ ସହ ପୁରା ସମୟ ବିତାଇବାରେ ବ୍ୟସ୍ତ ହୋଇଯାଇଥିଲେ । ଆଉ ୟଶଙ୍କ କୁନି ହାତରେ ରାକ୍ଷୀ ବାନ୍ଧି ବଡ ଭଉଣୀ ସାଜିଛନ୍ତି ।
ଏହି ଅବସରରେ କରନ ଇନଷ୍ଟାଗ୍ରାମରେ ଆଲିୟା ଓ ୟଶଙ୍କ ସୁନ୍ଦର ଫଟୋ ସେୟାର କରିଛନ୍ତି । ଆଉ ଫଟୋରେ ଲେଖିଛନ୍ତି ‘ଆଲିୟା ଦିଦି’ । ଅନ୍ୟପଟେ ରେଡ ଟି-ସର୍ଟରେ ୟଶ ସବୁଥର ପରି କ୍ୟୁଟ ନଜର ଆସୁଛନ୍ତି ।
ସେହିପରି କରନ ଆଉ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ଇଣ୍ଡଷ୍ଟ୍ରି ଭଉଣୀଙ୍କ ସହ ରାକ୍ଷୀ ସେଲିବ୍ରେଶନ କରୁଥିବାର ଦେଖାଯାଉଛନ୍ତି ।
ପ୍ରକାଶ ଥାଉକି କରନ ଆଜିକାଲି ନିଜର ଆଗାମୀ ମଲ୍ଟି ଷ୍ଟାରର ଫିଲ୍ମ ‘ତଖ୍ତ’ରେ ବ୍ୟସ୍ତ ଅଛନ୍ତି । ଏହି ପିରିୟଡ ଡ୍ରାମା ଫିଲ୍ମରେ ଅଭିନେତା ରଣବୀର ସିଂ, କରୀନା କପୁର, ଆଲିୟା , ଭୂମି ପେଡନେକର, ଜାହ୍ନବୀ କପୁର ଓ ଅନିଲ କପୁର ମୁଖ୍ୟ ଭୂମିକାରେ ଦେଖାଯିବେ । ଅନ୍ୟପଟେ ଆଲିୟା ବର୍ତ୍ତମାନ ପିତା ମହେଶ ଭଟ୍ଟଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ‘ସଡ଼କ2’ର ସୁଟିଂରେ ବ୍ୟସ୍ତ । ଏହାସହ ସେ ଫିଲ୍ମ ‘ତଖ୍ତ’, ସଲମାନ ଷ୍ଟାରର ‘ଇନସାଂଆଲ୍ଲା’, ‘ବ୍ରହ୍ମାସ୍ତ୍ର’ ଏବଂ ‘ଟ୍ରିପଲ ଆରର’ରେ ମଧ୍ୟ ନଜର ଆସିବେ ।