ମୁମ୍ବାଇ: ଫିଲ୍ମ ସୁଟିଂ ଆରମ୍ଭ କରିବାକୁ ମହାରାଷ୍ଟ୍ର ସରକାରଙ୍କ ଅନୁମତି ମିଳିବା ପରେ ବି-ଟାଉନର ଦବଙ୍ଗ ବୟ ସଲମାନ ଖାନ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେବାକୁ ସ୍ଥିର କରିସାରିଲେଣି । ସେ ନିଜର ତିନୋଟି ଫିଲ୍ମକୁ ପାଖାପାଖି ରିଲିଜ କରିବା ପାଇଁ ଯୋଜନା ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଏହି କ୍ରମରେ ସାମିଲ ଅଛି ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’, ‘କଭି ଇଦ କଭି ଦିୱାଲୀ’ ଓ ‘ଗନ୍ସ ଅଫ ନର୍ଥ’ । ହେଲେ ଏହି ଫିଲ୍ମ ମଧ୍ୟରେ ‘ରାଧେ’ର ସୁଟିଂ ପାଖାପାଖି ଶେଷ ହୋଇସାରିଛି । ଯାହାର କେବଳ ପୋଷ୍ଟ ପ୍ରଡକ୍ସନ କାମ ଆଉ ଏକ ଗୀତ ସୁଟିଂ ହେବାର ଅଛି ।
ସଲମାନ ଏହି ଫିଲ୍ମ ଉପରେ ପ୍ରଥମେ କାମ କରିବାକୁ ଚାହୁଁଛନ୍ତି । ତାଙ୍କ ଟିମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ତାଙ୍କ ପୁରା ଧ୍ୟାନ ପ୍ରଭୁ ଦେବାଙ୍କ ନିର୍ଦ୍ଦେଶିତ ‘ରାଧେ’ ଫିଲ୍ମ ଉପରେ । କାରଣ ଏହି ଫିଲ୍ମଟିକୁ ସେ ଏବର୍ଷ ଇଦରେ ରିଲିଜ କରିଥାଆନ୍ତେ । ହେଲେ ଦେଶରେ ଚାଲିଥିବା ଲଡକାଉନ ପାଇଁ ଏହା ସମ୍ଭବ ହୋଇପାରିନଥିଲା । ଏଥି ନିମନ୍ତେ ସେ ଏହା ଉପରେ ଶୀଘ୍ର କାମ କରି ଦର୍ଶକଙ୍କୁ ସରପ୍ରାଇଜ ଦେବାକୁ ଚାହୁଁଛନ୍ତି ।
ଫିଲ୍ମର ସବୁ ସୁଟିଂ ଶେଷ ହୋଇଥିବାବେଳେ ଆଉ ଗୋଟିଏ ଗୀତର ସୁଟିଂ ମଧ୍ୟ ବାକି ଅଛି । ଯେଉଁଥିରେ ଦିଶା ପଟାନୀଙ୍କ ସହ ସଲମାନ ରୋମାନ୍ସ କରୁଥିବାର ନଜର ଆସିବେ । ଆଉ ଫିଲ୍ମ ମେକର୍ସ ଏହାକୁ ଏବର୍ଷ ଦୀପାବଳିରେ ରିଲିଜ କରିବାକୁ ମଧ୍ୟ ଯୋଜନା ଚଲାଇଛନ୍ତି ।