ମୁମ୍ବାଇ: ଚର୍ଚ୍ଚିତ ଅଭିନେତା ଆଦିତ୍ୟ ପଞ୍ଚୋଲୀଙ୍କ ବିରୋଧରେ ଜଣେ ଅଭିନେତ୍ରୀ ନିକଟରେ ମୁମ୍ବାଇର ଭାର୍ସୋଭା ପୋଲିସ ଷ୍ଟେସନରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ଆଉ ସିନେମା ଜଗତରେ ସେ ପାଦ ଦେବା ସମୟରେ ପଞ୍ଚୋଲୀ ତାଙ୍କୁ ବ୍ଲାକମେଲ କରିଥିବା ମଧ୍ୟ ମାମଲାରେ ଉଲ୍ଲେଖ କରିଥିଲେ ଅଭିନେତ୍ରୀ ।
ଅନ୍ୟପଟେ ଏସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ଆଦିତ୍ୟ । ଗତ ମାସରେ ଆଦିତ୍ୟଙ୍କ ବିରୋଧରେ ଭାରତୀୟ ଆଇପିସି ଧାରା 376, 328,384,342, 323 ଏବଂ 506 ଅନୁଯାୟୀ ପୋଲିସ ମାମଲା ରୁଜୁ କରିଥିଲା ।
ପୋଲିସକୁ ଦେଇଥିବା ବୟାନରେ ଅଭିନେତ୍ରୀ କହିଛନ୍ତି ଯେ, ଆଦିତ୍ୟ 2004ରେ ତାଙ୍କୁ ସାକ୍ଷାତ କରିଥିଲେ । ସେହି ସମୟରେ ସେ ବଡ ଅଭିନେତ୍ରୀ ହେବାର ସ୍ବପ୍ନ ନେଇ ମୁମ୍ବାଇ ଆସିଥିଲେ । ଆଉ ଏକଦା ଆଦିତ୍ୟ ତାଙ୍କ ଡ୍ରିଙ୍କ୍ସରେ କିଛି ନିଶା ଦ୍ରବ୍ୟ ମିଶାଇଥିଲେ । ଘରକୁ ଛାଡିବା ସମୟରେ ନିଛାଟିଆ ସ୍ଥାନରେ କାର ରଖି ତାଙ୍କ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ସେ ତାଙ୍କ ଫଟୋ ଉଠାଇ ନେଇଥିଲେ ଯାହା ବିଷୟରେ ସେ ଅଜଣା ଥିଲେ ।
କିଛି ଦିନ ପରେ ଆଦିତ୍ୟଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଆଉ ସେହି ସମୟରେ ପତିପତ୍ନୀ ସମ୍ପର୍କରେ ରହିବା ପାଇଁ ଆଦିତ୍ୟ ତାଙ୍କୁ କହିଥିଲେ । ମାତ୍ର ଆଦିତ୍ୟ ଅଭିନେତ୍ରୀଙ୍କ ପିତାଙ୍କ ବୟସ ହୋଇଥିବାରୁ ସେ ଏଥିପାଇଁ ମନା କରିଥିଲେ ।
ଏହାପରେ ଆଦିତ୍ୟ ତାଙ୍କୁ ଫଟୋ ଦେଖାଇ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ । ମୁମ୍ବାଇରେ ତାଙ୍କର କେହି ନଥିବାରୁ ଆଦିତ୍ୟ ଫାଇଦା ଉଠାଇଥିଲେ ବୋଲି ବୟାନରେ କହିଛନ୍ତି ଅଭିନେତ୍ରୀ । ପ୍ରକାଶ ଥାଉକି ଆଦିତ୍ୟଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସେ ଜାମିନ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଦିନଦୋଷୀ ଅଦାଲତ ତାଙ୍କୁ ଜୁଲାଇ 19 ପର୍ଯ୍ୟନ୍ତ ଜାମିନ ଦେଇଛି । 19ରେ ତାଙ୍କ ଯାଚିକା ଉପରେ ଆଗାମୀ ଶୁଣାଣି ହେବ ।