ମୁମ୍ବାଇ: ଶିବସେନାରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିବା ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ବି-ଟାଉନର କୁଇନ କଙ୍ଗନା ରାଣାୱତଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି । ସେ ଶିବସେନାରେ ସାମିଲ ହେବା ପରେ ନିଜ ପ୍ରତିକ୍ରିୟାରେ କଙ୍ଗନାଙ୍କ ସହ ବାକ୍ ଯୁଦ୍ଧରେ ଭାଗ ନେବାକୁ ତାଙ୍କର କୌଣସି ଆଗ୍ରହ ନାହିଁ ବୋଲି ଜଣାଇଥିଲେ । ଆଉ କହିଥିଲ ଯେ କଙ୍ଗନାଙ୍କୁ ପ୍ରକୃତରେ ଯୋଗ୍ୟତାଠାରୁ ଅଧିକ ଗୁରୁତ୍ବ ଦିଆଯାଇଛି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।
କଥାଟି ହେଲା ଯେ ନିକଟରେ କଙ୍ଗନା ନିଜ ଏକ ବୟାନରେ ଉର୍ମିଲାଙ୍କୁ ‘ସଫ୍ଟ ପର୍ଣ୍ଣ ଷ୍ଟାର’ କହିଥିଲେ । ଯାହାକୁ ଆଧାର କରି ଉର୍ମିଲା ବର୍ତ୍ତମାନ ତାଙ୍କୁ କଡା ଜବାବ ଦେଇଛନ୍ତି । ଆଜ୍ଞା ହଁ, ସେ ଶିବସେନାରେ ସାମିଲ ହେବା ଅବସରରେ ଏକ ସାକ୍ଷାତକାରରେ ଯୋଗ ଦେଇ କଙ୍ଗନାଙ୍କ ବିଷୟରେ ବଖାଣିଛନ୍ତି ମନ କଥା ।
ଆଉ କହିଛନ୍ତି, ‘ଶିବସେନାର ମହିଳା ଡେଣା ଶକ୍ତିଶାଳୀ ଏବଂ ମୁଁ ଏହି ଡେଣା ସହିତ କାମ କରିବାକୁ ଚାହିଁବି । ମୁଁ ନିଶ୍ଚିତ ଭାବେ କଙ୍ଗନାଙ୍କ ସହିତ କୌଣସି ବାକ୍ ଯୁଦ୍ଧରେ ଭାଗ ନେବି ନାହିଁ । ମୁଁ ତାଙ୍କ ପ୍ରଶଂସକ ନୁହେଁ ଏବଂ ମୁଁ ଭାବୁଛି ଆମେ ସମସ୍ତେ ତାଙ୍କ ବିଷୟରେ ଅଧିକ କଥା ହୋଇଛୁ ଯାହାର ସେ ପ୍ରକୃତରେ ଯୋଗ୍ୟ ନୁହେଁ । ତେଣୁ ମୁଁ ଭାବୁ ନାହିଁ ଯେ ତାଙ୍କ ବିଷୟରେ କିଛି କହିବାକୁ ଅଛି ମୋ ପାଖରେ । ଆମେ ଏକ ଗଣତାନ୍ତ୍ରିକ ଦେଶରେ ବାସ କରୁଛୁ ଏବଂ ଆମ ଦେଶର ସମସ୍ତ ନାଗରିକଙ୍କର ବାକ୍ ସ୍ବାଧୀନତାର ଅଧିକାର ଅଛି, ତେବେ ସେ ଯାହା କରିବାକୁ ଚାହୁଁଛନ୍ତି ତାଙ୍କୁ କରିବାକୁ ଦିଅ । ମୁଁ ଆଜି ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ତାଙ୍କୁ ସମାଲୋଚନା କରିବାକୁ ଏହି ସାକ୍ଷାତକାର ଯୋଗ ଦେଇନାହିଁ । କିନ୍ତୁ ଆପଣ ତାଙ୍କ ବିଷୟରେ ପଚାରିବାରୁ ମୁଁ ପ୍ରତିକ୍ରିୟା ରଖିଛି । ତେଣୁ ମୋତେ ଲାଗୁଛି ଯେ ଆମେ ତାଙ୍କ ବିଷୟରେ ଆଉ ଆଲୋଚନା କରିବା ଉଚିତ୍ ନୁହେଁ ।’
ପ୍ରକାଶ ଥାଉକି ଉର୍ମିଲା ଓ କଙ୍ଗନାଙ୍କ ମଧ୍ୟରେ ଏହି ବିବାଦ ସେହି ସମୟରେ ସୃଷ୍ଟି ହୋଇଥିଲା ଯେବେ କଙ୍ଗନା ଏକ ବୟାନରେ କହିଥିଲେ ଯେ ଉର୍ମିଲା ତାଙ୍କ ସଂଘର୍ଷର ପରିହାସ କରୁଛନ୍ତି । ସେ ଜଣେ ସଫ୍ଟ ପର୍ଣ୍ଣ ଷ୍ଟାର ।
@IANS