ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କେସରେ ଏଯାବତ ତଦନ୍ତ ଚାଲିଛି । ହେଲେ ତାଙ୍କ ମୃତ୍ୟୁ ଏବେ ମଧ୍ୟ ସମସ୍ତଙ୍କ ପାଇଁ ରହସ୍ୟ ଘେରରେ । ସେପଟେ ଏହି କେସରେ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ନାମ ବାରମ୍ବାର ସାମନାକୁ ଆସୁଛି । ଇତିମଧ୍ୟରେ ରିଆଙ୍କ ଲିଗାଲ ଟିମର ବୟାନ ସାମ୍ନାକୁ ଆସିଛି ।
ଲିଗାଲ ଟିମ ବୟାନ ଜାରି କରି ରିଆଙ୍କ ପକ୍ଷ ରଖିଛନ୍ତି । ଏହି ବୟାନ ଅନୁଯାୟୀ ରିଆ ଓ ସୁଶାନ୍ତ ପରସ୍ପରକୁ ଅନେକ ବର୍ଷରୁ ଜାଣିଥିଲେ । ଆଉ ଧୀରେ ଧିରେ ଦୁଇଜଣଙ୍କ ମଧ୍ୟରେ ଭଲ ବନ୍ଧୁତା ସୃଷ୍ଟି ହୋଇଥିଲା । 2019 ଏପ୍ରିଲରେ ରିଆ ଓ ସୁଶାନ୍ତ ଏକ ପାର୍ଟିରେ ସାକ୍ଷାତ କରିଥିଲେ । ଏହାପରଠୁ ଦୁଇଜଣ ପରସ୍ପରକୁ ଡେଟ କରିବା ଆରମ୍ଭ କରିଦେଇଥିଲେ ।
ସେହିପରି ରିଆ ଶିବସେନା ଯୁବ ନେତା ଆତିଦ୍ୟ ଠାକେରଙ୍କୁ ଜାଣିନାହାଁନ୍ତି କିମ୍ବା ତାଙ୍କ ସହ କେବେ ମଧ୍ୟ ସାକ୍ଷାତ କରିନାହାଁନ୍ତି । ରିଆଙ୍କ ଚୁପକୁ ତାଙ୍କ ଦୁର୍ବଳତା ମନେ କରିବା କଥା ନୁହେଁ । ସୁଶାନ୍ତଙ୍କ ପରିବାର ଶିକ୍ଷିତ ଓ ପାରିବାରରେ ଜଣେ ଆଇପିଏସ ଅଧିକାରୀ ଓପି ସିଂ ମଧ୍ୟ ଅଛନ୍ତି । ରିଆଙ୍କ ଉପରେ ଲାଗିଥିବା ସବୁ ଅଭିଯୋଗ ମିଥ୍ୟ ଓ ମନଗଢା କାହାଣୀ । ବିହାର ପୋଲିସର ଏଫଆଇଆର ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟରେ ରୁଜୁ କରାଯାଇଛି । ଏହି ବେଆଇନ ଯାଞ୍ଚର ଅଂଶ ରିଆ ହୋଇପାରିବେ ନାହିଁ । ସେ ଇଡି ଯାଞ୍ଚରେ ସହଯୋଗ କରୁଛନ୍ତି । ମୁମ୍ବାଇ ପୋଲିସ ଓ ଇଡିଙ୍କୁ ରିଆଙ୍କ ସବୁ ଆର୍ଥିକ ଷ୍ଟେଟମେଣ୍ଟ ଦିଆଯାଇଛି । ଯାହାକି ଏହି ଅଭିଯୋଗକୁ ସ୍ପଷ୍ଟ ରୂପେ ମିଥ୍ୟା ସାବ୍ୟସ୍ତ କରୁଛି । ରିଆଙ୍କ ଆକାଉଣ୍ଟ ସହ ଆୟକର ରିଟର୍ଣ୍ଣ ଇଡି ଦ୍ବାରା ଯାଞ୍ଚ କରାଯାଇଛି । ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ । ସୁଶାନ୍ତଙ୍କ ଆକାଉଣ୍ଟରୁ ରିଆ ଏକ ଟଙ୍କା ମଧ୍ୟ ଟ୍ରାନ୍ସଫର କରିନାହାଁନ୍ତି । ସୁଶାନ୍ତଙ୍କ ଭଉଣୀ 2019 ଡିସେମ୍ବରରେ ରିଆଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏଥିପାଇଁ ତାଙ୍କ ଉପରେ ଏପରି ଅଭିଯୋଗ ଲଗାଯାଇଛି । ସୁଶାନ୍ତଙ୍କ ପରିବାର ସହ ରିଆଙ୍କର ପୂର୍ବରୁ ଭଲ ସମ୍ପର୍କ ନଥିଲା ବୋଲି ଲିଗାଲ ଟିମ ଜାରି କରିଥିବା ବୟାନରେ କୁହାଯାଇଛି ।