ମୁମ୍ବାଇ: ଚୁଲବୁଲି ଓ ବବଲି ଅଭିନେତ୍ରୀ କାଜଲ ଆଜି ନିଜର 46ତମ ଜନ୍ମଦିନ ପାଳନ କରୁଛନ୍ତି । 1974 ଅଗଷ୍ଟ 5 ମୁମ୍ବାଇରେ ଜନ୍ମିତ କାଜୋଲ ମା' ତନୁଜା ଓ ଜେଜେମାଆ ଶୋଭନାଙ୍କ ଭଳି ବଲିଉଡର ସଫଳ ଅଭିନେତ୍ରୀ । କାଜୋଲଙ୍କ ପିତା ସୋମୁ ମୁଖାର୍ଜୀ ଫିଲ୍ମ ନିର୍ଦ୍ଦେଶକ ଥିଲେ । ଅନ୍ୟପଟେ କାଜଲଙ୍କ ସାନ ଭଉଣୀ ତନୀଷା ମଧ୍ୟ ବଲିଉଡର ଅଭିନେତ୍ରୀ । ଏହି ଅବସରରେ ଜାଣିବା ସିଂଘମ ଅଜୟ ଦେବଗନଙ୍କ ପତ୍ନୀ କାଜଲଙ୍କ କିଛି ଖାସ୍ କଥା...
ବଲିଉଡରେ କାଜଲ 27 ବର୍ଷ ପୂରଣ କରିସାରିଲେଣି । 1996ରେ ‘ବେଖୁଦୀ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ କାଜଲ। ସେତେବେଳେ କାଜଲ ସ୍କୁଲରେ ପଢ଼ୁଥିଲେ। ଫିଲ୍ମଟି ରାହୁଲ ରବୈଲଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିଲା । ‘ବେଖୁଦି’ ଫିଲ୍ମଟି ପ୍ରେମ କାହାଣୀ ଉପରେ ଆଧାରିତ । ସେହିପରି ତାଙ୍କ ଅପୋଜିଟ କମଲ ସଦାନା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
ତାଙ୍କ ଦ୍ବିତୀୟ ଫିଲ୍ମ ‘ବାଜିଗର’ 1993ରେ ରିଲିଜ ହୋଇଥିଲା । ଯାହା ବ୍ଲକବଷ୍ଟର ସାଜିବା ସହ କାଜଲଙ୍କୁ ରାତାରାତି ଲୋକପ୍ରିୟ ଅଭିନେତ୍ରୀର ମୁକୁଟ ପିନ୍ଧାଇଥିଲା । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିଥିଲେ କିଙ୍ଗ ଖାନ ଶାହରୁଖ ଖାନ । ଏହି ଦୁଇଜଣ ଯୋଡି ଏଯାବତ ମଧ୍ୟ ଦର୍ଶକଙ୍କ ଫେଭରେଟ ଯୋଡି ମଧ୍ୟରେ ଅନ୍ୟତମ । ଦୁଇଜଣ ଏକାଠି ବଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ଦେଇସାରିଛନ୍ତି ।
1997ରେ କାଜଲଙ୍କ ଅଭିନୀତ ଫିଲ୍ମ ‘ଗୁପ୍ତ’ ରିଲିଜ ହୋଇଥିଲା। ଏଥିରେ ନେଗେଟିଭ ରୋଲ କରିଥିଲେ ସେ। ଫିଲ୍ମରେ ତାଙ୍କ ଦମଦାର ଅଭିନୟ ପାଇଁ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା।
‘ମିନ୍ସାରା କାନ୍ନାଭୁ’ ଫିଲ୍ମରେ ସେ ପ୍ରଭୁଦେବାଙ୍କ ସହ ନଜର ଆସିଥିଲେ। ଏହା ଏକ ତାମିଲ ଫିଲ୍ମ । ଫିଲ୍ମଟି ତାଙ୍କ ତାମିଲ ଡେବ୍ୟୁ ଫିଲ୍ମ ଥିଲା ।
ହୁଏତଃ କାଜଲଙ୍କ ଫ୍ୟାନ୍ସଙ୍କୁ ତାଙ୍କ ଖାସ୍ ଅଭ୍ୟାସ ବିଷୟରେ ଜଣାନାହିଁ । କୋଟି କୋଟି ଟଙ୍କାର ମାଲିକିଆଣି କାଜଲ ଅନଲାଇନ ସପିଂ କରିବାକୁ ଖୁବ୍ ପସନ୍ଦ କରନ୍ତି । ଏକଥାର ଖୁଲାସା ତାଙ୍କ ସ୍ବାମୀ ଅଜୟ ଫିଲ୍ମ ନିର୍ମାତା କରନ ଜୋହରଙ୍କ ଟକ ଶୋରେ କରିଥିଲେ ।
ସେ ବ୍ରାଣ୍ଡ ଜିନିଷ କିଣିବାକୁ ପସନ୍ଦ କରନ୍ତି ନାହିଁ । ତାଙ୍କୁ ଯେଉଁ ଜିନିଷ ଶସ୍ତାରେ ଅନଲାଇନରେ ମିଳେ, ତାହା ସେ କିଣି ନିଅନ୍ତି । ଅନ୍ୟପଟେ କାଜଲ ମଧ୍ୟ ସ୍ବାମୀଙ୍କ ବିଷୟରେ ଖୁଲାସା କରି କହିଥିଲେ କି ଅଜୟ ବହୁତ ଅଲଗା ମଣିଷ ସେ କୌଣସି ପାର୍ଟିରେ ଯିବାକୁ ପସନ୍ଦ କରନ୍ତି ନାହିଁ । ତାଙ୍କର ଏହି ଗୁଣକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ ।