ମୁମ୍ବାଇ: 2020 ଏମିତି ବର୍ଷ ଯାହା ସାରା ବିଶ୍ବବାସୀଙ୍କ ପାଇଁ ଖରାପ ସାବ୍ୟସ୍ତ ହୋଇଛି । ଏହି ବର୍ଷ କୋରୋନା ମହାମାରୀ ଆମ ଜୀବନରେ ପ୍ରବେଶ କରିଥିବା ବେଳେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ରତ୍ନକୁ ଛଡାଇ ନେଇଛି । ସେପଟେ ସେଲିବ୍ରିଟି ଏହି କାଳ ବର୍ଷକୁ ବିଦାୟ ଦେବା ପାଇଁ ଅନାଇ ବସିଛନ୍ତି । ଇତିମଧ୍ୟରେ ଲୋକପ୍ରିୟ ଅଭିନେତା ତଥା ଗାୟକ ଦିଲଜିତ ଦୋସାଞ୍ଝ 2020ରେ ସକାରତ୍ମକ ଭାବ ରଖିବା ବିଷୟରେ ଆଲୋଚନା କରିଛନ୍ତି ।
ନିକଟରେ ଦିଲଜିତ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସହ ଟ୍ବିଟର ୱାର କରି ଇଣ୍ଟରନେଟ ସେନ୍ସେଶନ ପାଲଟି ଥିଲେ । ଦୁଇଜଣଙ୍କ ଟ୍ବିଟର ୱାର ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ସୃଷ୍ଟି ହୋଇଥିଲା । ହେଲେ ଏବେ ସେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ସେ ଜଣାଇଛନ୍ତି 2020ରେ ଆସିଥିବା ସମସ୍ୟାରେ କିପରି ସେ ସକାରତ୍ମକ ଭାବ ସାମ୍ନା କରିଥିଲେ ।
ଆଉ କହିଛନ୍ତି, ‘ଆପଣ ହୁଏତ କିଛି କଥାରେ ହସନ୍ତି କିମ୍ବା କାନ୍ଦନ୍ତି । ମୁଁ ମୋର ଆଇସୋଲେସନରେ ଖୁସି ରହିବାକୁ ପସନ୍ଦ କଲି । ଏହା ମୋ ପାଇଁ ଏକ ବଡ ସୃଜନଶୀଳତାର ସମୟ ଥିଲା । ନିଶ୍ଚିତ ଭାବରେ କାମରେ କ୍ଷତି ହୋଇଥିଲା । ହେଲେ ସମସ୍ତେ ଏହି ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି । ସମସ୍ତଙ୍କର କାମରେ କ୍ଷତି ହୋଇଛି । ତେବେ ମୁଁ କାହିଁକି ଚିତ୍କାର କରିଥାଆନ୍ତି? ଏକ ପରିସ୍ଥିତିରେ ଆମକୁ ସକାରାତ୍ମକ କିମ୍ବା ନକାରାତ୍ମକ ହେବାକୁ ପଡିବ କି ନାହିଁ ଏହା ଆମ ଉପରେ ନିର୍ଭର କରେ । ମୁଁ ଖୁସି ହେବାକୁ ପସନ୍ଦ କଲି । ମୋର ସଙ୍ଗୀତର ପ୍ରଶଂସକମାନେ ମୋତେ ଜଣେ ସଙ୍ଗୀତଜ୍ଞ ଭାବରେ ମୋର ମୂଳକୁ ଫେରିବାକୁ କହୁଥିଲେ । ତେଣୁ ମୁଁ ଏକ ପାରମ୍ପାରିକ ପଞ୍ଜାବୀ ଲୋକଗୀତ ଆଲବମରେ କାମ କରିଛି । ଏଗୁଡ଼ିକ ହେଉଛି ଗୀତ ଯାହା ମୁଁ ଶୁଣି ବଢିଥିଲି । ଆଉ ବର୍ତ୍ତମାନ ସମୟ ଆସିଯାଇଛି ସେହି ଗୀତଗୁଡିକ ମୋ ପାଇଁ କଣ ମହତ୍ବ ରଖେ ତାହା ଦୁନିଆକୁ ଜଣାଇବା ପାଇଁ ।’