ହାଇଦ୍ରାବାଦ: ପୃଥିବୀଠାରୁ ପ୍ରାୟ 3 ଲକ୍ଷ 75 ହଜାର କିଲୋମିଟର ଦୂରରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରି ଇତିହାସ ସୃଷ୍ଟି କରିଥିବା ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ଏବଂ ରୋଭର ବର୍ତ୍ତମାନ ସ୍ଲିପ୍ ମୋଡରେ ରହିଛନ୍ତି । ତେବେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ କୃଷ୍ଣପକ୍ଷ ସରି ଆସୁଥିବା ବେଳେ ପୁଣି ରୋଭର ପ୍ରଜ୍ଞାନ ଏବଂ ବିକ୍ରମ ଲ୍ୟାଣ୍ଡର ଜାଗ୍ରତ ହେବା ନେଇ ଆଶା କରାଯାଉଛି । ଦକ୍ଷିଣ ମେରୁରେ 14 ଦିନ ରାତି ପରେ ସେପ୍ଟେମ୍ବର 22 ତାରିଖ ଅର୍ଥାତ ଶୁକ୍ରବାର ଦିନ ରାତି ପାହିବ ଏବଂ ସୂର୍ଯ୍ୟୋଦୟ ପରେ ଆଲୋକ ଦକ୍ଷିଣ ପୋଲାର ଅଞ୍ଚଳରେ ପହଞ୍ଚିବ। ତେବେ ଶିବଶକ୍ତି ପଏଣ୍ଟରେ ରୋଭର ପ୍ରଜ୍ଞାନ ଏବଂ ବିକ୍ରମ ଲ୍ୟାଣ୍ଡର ସୂର୍ଯ୍ୟାଲୋକ ପଡିବା ପରେ ପୁଣି ସେମାନଙ୍କୁ ଜାଗ୍ରତ କରିବା ନେଇ ଇସ୍ରୋ ପକ୍ଷରୁ ଚେଷ୍ଟା ଜାରି ରହିଛି । ପ୍ୟାନେଲ ଉପରେ ସୂର୍ଯ୍ୟାଲୋକ ପଡିବା ପରେ ପୁଣି ଥରେ ଚନ୍ଦ୍ରପୃଷ୍ଠର ତଥ୍ୟ ସନ୍ଧାନ କରିବେ ବୋଲି ଆଶା କରାଯାଉଛି ।
ଚନ୍ଦ୍ରଯାନ-3 ସହିତ ଯୋଗାଯୋଗ ପାଇଁ ଇସ୍ରୋର ପ୍ରସ୍ତୁତି: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ବୈଜ୍ଞାନିକମାନେ ଚନ୍ଦ୍ରଯାନ-3 ସହିତ ପୁନଃ ସମ୍ପର୍କ ସ୍ଥାପନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ବୁଧବାର ଦିନ ଇସ୍ରୋ ପକ୍ଷରୁ ମାଇକ୍ରୋ ବ୍ଲଗିଂ ସାଇଟ୍ X (ପୂର୍ବର ଟ୍ୱିଟର)ରେ ଏକ ଅପଡେଟ୍ ଦିଆଯାଇଛି । ISRO ପକ୍ଷରୁ କୁହାଯାଇଛି, "ଶିବ ଶକ୍ତି ପଏଣ୍ଟରେ ସୂର୍ଯ୍ୟୋଦୟ ଆଶା କରାଯାଉଛି । ଖୁବଶୀଘ୍ର ବିକ୍ରମ ଏବଂ ପ୍ରଜ୍ଞାନ ଆବଶ୍ୟକ ପରିମାଣର ସୂର୍ଯ୍ୟ କିରଣ ପାଇବେ । 22 ସେପ୍ଟେମ୍ବରରେ ପୁଣି ସେମାନେ ଜାଗ୍ରତ ହେବେ । ସେମାନଙ୍କ ସହ ପୁନଃ ଯୋଗାଯୋଗ କରିବା ପାଇଁ ଆମେ ପ୍ରସ୍ତୁତି ଜାରି ରଖିଛୁ ।"
ISRO ଚେୟାରମ୍ୟାନ୍ ଏସ୍ ସୋମନାଥ କହିଛନ୍ତି ଯେ, ଲ୍ୟାଣ୍ଡର ଏବଂ ରୋଭର ପାର୍କିଂ ହୋଇଥିବା ଶିବ ଶକ୍ତି ପଏଣ୍ଟରେ ସୂର୍ଯ୍ୟୋଦୟ ପରେ ଏହାର ପେଲୋଡ୍ ପୁନର୍ବାର କାର୍ଯ୍ୟକ୍ଷମ ହେବ । ଇସ୍ରୋର ଟିମ୍ 21 ଏବଂ 22 ସେପ୍ଟେମ୍ବରରେ ପୁନର୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିବ । ଆମେ ଆଶା କରୁଛୁ ଯେ, ବିକ୍ରମ ଲ୍ୟାଣ୍ଡର ଏବଂ ରୋଭର ପ୍ରଜ୍ଞାନ ପୁନଃ କାର୍ଯ୍ୟ ଆରମ୍ଭ କରିବେ ।"
ଅଗଷ୍ଟ 23 ତାରିଖରେ ଇତିହାସ ରଚିଥିଲା ଚନ୍ଦ୍ରଯାନ: ଅଗଷ୍ଟ 23ତାରିଖ... ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରି ଇତିହାସ ରତିଥିଲା ଚନ୍ଦରଯାନ-3 । ଏହାପରେ ପେଲୋଡଗୁଡ଼ିକ ସେଠାରେ 14 ଦିନ କାର୍ଯ୍ୟ କରିଥିଲେ । ଚନ୍ଦ୍ର ପୃଷ୍ଠରେ ସଲଫର, ଆଇରନ୍ ଏବଂ ଅମ୍ଳଜାନ ସମେତ ଅନ୍ୟାନ୍ୟ ଖଣିଜ ପଦାର୍ଥର ଉପସ୍ଥିତି ନିଶ୍ଚିତ କରିବା ସହିତ ଲ୍ୟାଣ୍ଡର ଏବଂ ବିକ୍ରମ ମଧ୍ୟ ପରସ୍ପରର ଚମତ୍କାର ଫଟୋ ଉଠାଇ ପୃଥିବୀକୁ ପଠାଇଥିଲେ । ଏହା ବ୍ୟତୀତ ଚନ୍ଦ୍ର ପୃଷ୍ଠରେ ଭୂକମ୍ପ ବା କମ୍ପନ ମଧ୍ୟ ରେକର୍ଡ କରାଯାଇଥିଲା ।
ତେବେ ଅବତରଣର 14 ଦିନ ପରେ ଅର୍ଥାତ ସୂର୍ଯ୍ୟାସ୍ତ ପୂର୍ବରୁ ଇସ୍ରୋ ପକ୍ଷରୁ କମାଣ୍ଡ ପଠାଯାଇଥିଲା । ନିର୍ଦ୍ଦେଶ ଅନୁସାରେ ବିକ୍ରମ ଲ୍ୟାଣ୍ଡର 40 ମିଟର ଉପରକୁ ଉଠି ପୁଣି ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ପୂର୍ବରୁ ପ୍ରଜ୍ଞାନ ସ୍ଲିପ ମୋଡ୍କୁ ଚାଲିଯାଇଥିବା ବେଳେ ସେପ୍ଟେମ୍ବର 4 ତାରିଖରେ ବିକ୍ରମ ମଧ୍ୟ ସ୍ଲିପ ମୋଡକୁ ଚାଲିଯାଇଥିଲା ।
କହିରଖୁଛୁ କି, ଲ୍ୟାଣ୍ଡର ଏବଂ ରୋଭରରେ ସ୍ଥାପିତ ସୋଲାର ପ୍ୟାନେଲ ଉପରେ ସୂର୍ଯ୍ୟ କିରଣ ପଡ଼ିବା ଦ୍ୱାରା ବ୍ୟାଟେରୀଗୁଡ଼ିକ ଚାର୍ଜ ହୋଇଥାଏ । ତେବେ ଲଞ୍ଚ ପୂର୍ବରୁ ଏହାକୁ -150 ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ପରୀକ୍ଷଣ କରାଯାଇଥିଲା । କିନ୍ତୁ ଚନ୍ଦ୍ରପୃଷ୍ଠର ରାତିର ତାପମାତ୍ରା -200 ଡିଗ୍ରୀ ସେଲସିୟସରୁ କମ ରହିଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନଥିବା କୁହାଯାଇଛି ।
ବିକ୍ରମ ଏବଂ ପ୍ରଜ୍ଞାନ କାର୍ଯ୍ୟକ୍ଷମ ପରେ କେଉଁ ଫାଇଦା ହେବ: ଚନ୍ଦ୍ରପୃଷ୍ଠରେ ଖଣିଜ ପଦାର୍ଥ ଏବଂ ଜଳର ସନ୍ଧାନରେ ରହିଥିବା ଭାରତର ମୁନ୍ ମିଶନ ଚନ୍ଦ୍ରୟାନ-3ର ଲ୍ୟାଣ୍ଡର ଏବଂ ରୋଭର ପୁନର୍ବାର କାର୍ଯ୍ୟ ଆରମ୍ଭ କରେ, ତେବେ ଏହା ସମଗ୍ର ବିଶ୍ୱରେ ଭାରତର ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବ। ବିଶେଷକରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରିମୋଟ ସେନ୍ସିଂ, ରିମୋଟ ନେଭିଗେସନ୍, ରିମୋଟ ମାଇନିଂ, ଡିଜିଟାଲ କଣ୍ଟ୍ରୋଲ ଡ୍ରାଇଭିଂ ଏବଂ ହିଟ୍ ସିଲଡିଂର ଅଦୃଶ୍ୟ ଟେକ୍ନୋଲୋଜିର ଦ୍ୱାର ଖୋଲିବ । ଚନ୍ଦ୍ରପୃଷ୍ଠର ଆହାରୁ ତଥ୍ୟ ସଂଗ୍ରହ କରିପାରିବେ ରୋଭର ପ୍ରଜ୍ଞାନ ଏବଂ ବିକ୍ରମ ଲ୍ୟାଣ୍ଡର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ