ହାଇଦ୍ରାବାଦ: ଅରବପତି ଏଲନ ମସ୍କଙ୍କ ପିଛା ଛାଡୁନି ବିବାଦ। ମନେ ହେଉଛି ମସ୍କଙ୍କୁ ସୁହାଉନି ଟ୍ବିଟର ! ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେଉଛନ୍ତି ଅରବପତି । ଗୁରୁବାର ଟ୍ବିଟରର ବ୍ଲୁ ଟିକ୍ ୟୁଜର୍ସଙ୍କୁ ୨ଘଣ୍ଟା ପାଇଁ କଣ୍ଟେଣ୍ଟ ଅପଲୋଡ୍ କରିବାକୁ ସୁବିଧା ଦେଇ ଫସିଯାଇଛି ଟ୍ବିଟର । ଏବେ କପିରାଇଟ୍ ଅଭିଯୋଗ ଆଣି ଏକ ମ୍ୟୁଜିକ୍ କମ୍ପାନୀ ଟ୍ବିଟର ବିରୁଦ୍ଧରେ ମାମଲା ରୁଜୁ କରିଛି । ନ୍ୟାସନାଲ ମ୍ୟୁଜିକ୍ ପବ୍ଲିଶର୍ସ ଆସୋସିଏସନ ଏଲନ୍ ମସ୍କଙ୍କ କମ୍ପାନୀ ଟ୍ବିଟର ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ବିନା ଅନୁମତିରେ ଟ୍ବିଟରରେ ନିଜ ପ୍ଲାଟଫର୍ମରେ ମ୍ୟୁଜିକ୍ ଅପଲୋଡ଼ କରି କପିରାଇଟ୍ ନିୟମକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ନ୍ୟାସନାଲ ମ୍ୟୁଜିକ୍ ପବ୍ଲିଶର୍ସ ଆସୋସିଏସନ ଟ୍ବିଟରକୁ ପ୍ରାୟ ୨ହଜାର କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି । ପ୍ରତି ଗୀତ ପାଇଁ 1 କୋଟି ଜରିମାନା ଦେବା ପାଇଁ ଦାବି କରିଛି ।
ବାସ୍ତବରେ, 17ଟି ସଙ୍ଗୀତ ପ୍ରକାଶକଙ୍କ ପକ୍ଷରୁ ଟେନିସି ରାଜ୍ୟ ଫେଡେରାଲ କୋର୍ଟରେ ଏ ସମ୍ପର୍କରେ ଏକ ମକଦ୍ଦମା ଦାୟର କରାଯାଇଛି । ମ୍ୟୁଜିକ ପବ୍ଲିସରମାନେ ଦାଖଲ ହୋଇଥିବା ମାମଲାରେ ଦର୍ଶାଇଛନ୍ତି ଯେ ଟ୍ୱିଟର ସେମାନଙ୍କ ସଂଗୀତକୁ ବିନା ଅନୁମତିରେ ଅପଲୋଡ କରିଛି । ଯାହାକି ଆଇନ ସଙ୍ଗତ ନୁହେଁ । NMPA ଏହାର ଦାଖଲ ହୋଇଥିବା ମକଦ୍ଦମାରେ ପ୍ରାୟ 1700 ଗୀତର ଏକ ତାଲିକା ଅଂଶୀଦାର କରିଛି ଯାହା ବିନା ଅନୁମତିରେ ଟ୍ୱିଟରରେ ଅପଲୋଡ୍ ହୋଇଛି । ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ପ୍ରତ୍ୟେକ କପିରାଇଟ୍ ଉଲ୍ଲଂଘନ ପାଇଁ ଆସୋସିଏସନ କୋର୍ଟକୁ 150,000 ଡଲାର ପର୍ଯ୍ୟନ୍ତ ଜୋରିମାନା ଦେବାକୁ କହିଛି ।
ଓ୍ବାର୍ଣ୍ଣଂ ପରେ ମଧ୍ୟ ମାନିଲାନି ଟ୍ବିଟର ଆସୋସିଏସନ: ଆସୋସିଏସନ ଏହା ମଧ୍ୟ ଦାବି କରିଛି ଯେ, 'ଟ୍ୱିଟରକୁ କପିରାଇଟ୍ ବିଷୟରେ ଅବଗତ କରାଯାଇଛି, କିନ୍ତୁ କମ୍ପାନୀ କୌଣସି ପଦକ୍ଷେପ ନେଇ ନାହିଁ ଏବଂ ବର୍ତ୍ତମାନ ବିଭିନ୍ନ ଆକାଉଣ୍ଟ କ୍ରମାଗତ ଭାବରେ ବିଷୟବସ୍ତୁ ଅପଲୋଡ୍ କରୁଛି ଯାହା କପିରାଇଟ୍ ନିୟମ ବିରୁଦ୍ଧ ଅଟେ । କୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଏକ ଗୀତ ଉଲ୍ଲେଖ କରାଯାଇଛି ଯେଉଁଥିରେ 2 ଲକ୍ଷରୁ ଅଧିକ ଭ୍ୟୁ ରହିଛି । ଏହି ଗୀତ ବାରବାଡିଆନ କଣ୍ଠଶିଳ୍ପୀ ରିହାନାଙ୍କର ଅଟେ ଯେଉଁଥିରେ 2,21,000 ଭ୍ୟୁ ଏବଂ 15,000 ଲାଇକ୍ ଥିଲା । ଅଦାଲତରୁ କ୍ଷତିପୂରଣ ବାବଦରେ NMPA ଗୀତ ପିଛା 1 କୋଟିରୁ ଅଧିକ ଟଙ୍କା ଦାବି କରିଛି । ତେବେ ବର୍ତ୍ତମାନ ଟ୍ବିଟର କିମ୍ବା ଏଲନ ମସ୍କଙ୍କ ତରଫରୁ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଆସିନି ।
କହିରଖୁଛୁ କି, ଗୁରୁବାର ଟ୍ବିଟର ବ୍ଲୁ ଟିକ୍ ୟୁଜର୍ସଙ୍କୁ ୨ଘଣ୍ଟା ପାଇଁ କଣ୍ଟେଣ୍ଟ ଅପଲୋଡ଼ କରିବାକୁ ସୁବିଧା ଦେଇଥିଲା । ଏହି ସର୍ଭିସ୍ ଅନୁମତି ମିଳିବା ପରେ ୟୁଜର୍ସମାନେ ଟ୍ବିଟରରେ ଜୋରଦାର ଅପଲୋଡ଼ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ