ନୂଆଦିଲ୍ଲୀ: ବିଶ୍ବରେ କମିନି କୋରୋନା କୋପ । ମହାମାରୀର ସ୍ଥିତି ଅପେକ୍ଷାକୃତ ସ୍ବାଭାବିକ ହୋଇଥିବା ବେଳେ ପୁଣି କୋଭିଡ଼ର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି । ତେବେ କୋଭିଡ଼ର ନୂଆ ଭାରିଏଣ୍ଟ ବିପକ୍ଷରେ କୋଭାକ୍ସିନ ବୁଷ୍ଟର ଡୋଜ ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ଟିକାର ବୁଷ୍ଟର ଡୋଜ ଶରୀରରେ ଆଣ୍ଟିବଡ଼ି କ୍ଷମତା ବୃଦ୍ଧି କରୁଛି ବୋଲି ଜଣାପଡ଼ିଛି । ତେବେ ଏ ନେଇ ICMR ଓ ଭାରତ ବାଓଟେକ୍ ଗବେଷଣା କରିବା ପରେ ସୂଚନା ଦେଇଛି ।
ଅଧ୍ୟୟନରେ ୫୧ ଜଣ ଅଂଶଗ୍ରହଣକାରୀଙ୍କୁ ସାମିଲ କରାଯାଇଥିଲା । ସେମାନେ ୨ ଡୋଜ କୋଭାକ୍ସିନ ଟିକା ନେଇସାରିବା ପରେ ତୃତୀୟ ଡୋଜ ଟିକା ନେଇଥିଲେ । ବୁଷ୍ଟର ଡୋଜ ନେଇ ସାରିଥିବା ବ୍ୟକ୍ତିଙ୍କ ଉପରେ ଓମିକ୍ରନର ସଂକ୍ରମଣ କ୍ଷମତା ଉପରେ ଗବେଷଣା କରାଯାଇଥିଲା । ଏହି ଗବେଷଣାର ରିପୋର୍ଟ ମାର୍ଚ୍ଚ ୨୪ ତାରିଖ Travel Medicine ପତ୍ରିକାରେ ପ୍ରକାଶିତ ହୋଇଛି । ଓମିକ୍ରନ ଭାରିଏଣ୍ଟ କ୍ଷେତ୍ରରେ ଏହା ପ୍ରଭାବଶାଳୀ ପ୍ରମାଣିତ ହୋଇଛି ।
ଡେଲଟା, ବିଟା, ଓମିକ୍ରନ ଭାରିଏଣ୍ଟ, ବି ୱାନ ବିପକ୍ଷରେ ଆଣ୍ଟିବଡ଼ି କ୍ଷମତା ବଢୁଥିବା ଦେଖିବାକୁ ମିଳିଛି । ତୃତୀୟ ଡୋଜ ଟିକା ନେବା ପରେ ଆଣ୍ଟିବଡ଼ି ଭାଇରସ ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ ରହିଛି । ଏଭଳି କ୍ଷେତ୍ରରେ ଭାଇରସର ସଂକ୍ରମଣ କ୍ଷମତାକୁ ହ୍ରାସ କରିବା ପାଇଁ ବୁଷ୍ଟର ଡୋଜ ନିହାତି ନେବା ଆବଶ୍ୟକ । ଯାହାକି ଆମ ଶରୀର ମଧ୍ୟରେ ଆଣ୍ଟିବଡ଼ିକୁ ଜାଗ୍ରତ କରିଥାଏ ଏବଂ ଏହା ଭୂତାଣୁଠାରୁ ଶରୀରକୁ ରକ୍ଷା କରିଥାଏ ।
ସେପଟେ ଗତକାଲି(ରବିବାର)ଠାରୁ ଘରୋଇ ଭ୍ୟାକ୍ସିନେସନ ସେଣ୍ଟରରେ ବୁଷ୍ଟର ଡୋଜ ଉପଲବ୍ଧ ରହିଛି ବୋଲି ସରକାର ସୂଚନା ଦେଇଛନ୍ତି । କେବଳ ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ଏହି ବୁଷ୍ଟର ଡୋଜ ରହିଛି । ଏହି ନିର୍ଦ୍ଦିଷ୍ଟ ବୟସ୍କ ବ୍ୟକ୍ତି ଯେଉଁମାନେ ଦ୍ବିତୀୟ ଡୋଜ ନେବାର ୯ ମାସ ହୋଇସାରିଛି ସେମାନେ ବୁଷ୍ଟର ଡୋଜ ନେବା ପାଇଁ ଯୋଗ୍ୟ ବୋଲି କୁହାଯାଇଛି ।
@PTI