ବେଜିଂ: ଆରମ୍ଭ ହୋଇଛି ମଙ୍ଗଳ ଗ୍ରହକୁ ଚଳିତବର୍ଷର ଦ୍ବିତୀୟ ସ୍ପେଶକ୍ରାଫ୍ଟର ଯାତ୍ରା । ଚଳିତ ସପ୍ତାହ ଆରମ୍ଭରେ ୟୁଏଇ ନିଜର ପ୍ରଥମ ମଙ୍ଗଳ ଅଭିଯାନ ଜାପାନରୁ ଲଞ୍ଚ କରିଥିବା ବେଳେ ଗୁରୁବାର ଲଞ୍ଚ ହୋଇଛି ଚୀନରେ ମଙ୍ଗଳ ଯାତ୍ରାର ରୋଭର ମିଶନ । ସେହିପରି ଆଗକୁ ଆମେରିକା ନିଜର ବର୍ତ୍ତମାନ ସୁଦ୍ଧାର ସବୁଠାରୁ ଅଧିକ ବିକଶିତ ସ୍ପେଶ କ୍ରାଫ୍ଟ ପରବରଭରେନ୍ସ ରୋଭର ମିଶନକୁ ଲଞ୍ଚ କରିବାର ଯୋଜନା ରହିଛି ।
ତେବେ ଗୁରୁବାର ଲଞ୍ଚ ହୋଇଥିବା ଏହି ମିଶନଟି ଚୀନର ଏକ ବହୁ ପ୍ରତୀକ୍ଷିତ ମିଶନ । ମଙ୍ଗଳ ଗ୍ରହରେ ସ୍ପେଶ କ୍ରାଫ୍ଟ ଲଞ୍ଚ କରାଇବା ଅତି କଷ୍ଟକର ବ୍ୟାପାର ହୋଇଥିବା ବେଳେ ଏଥିରେ ଏପର୍ଯ୍ୟନ୍ତ କେବଳ ୟୁରୋପ, ଆମେରିକା ଓ ଭାରତ ସଫଳତା ହାସଲ କରିପାରିଛି । ଏହି ତାଲିକାରେ ନିଜ ନାମକୁ ସାମିଲ କରିବା ପାଇଁ ଚୀନ ପ୍ରୟାସ କରି ଏହି ରୋଭର ମିଶନ ଲଞ୍ଚ କରିଥିବା ଜଣା ପଡିଛି ।
ଏହି ମିଶନଟିର ନାମ ରହିଛି ତିଆନୱେନ-1 । ଏହି ସ୍ପେଶକ୍ରାଫ୍ଟଟିକୁ ଦୀର୍ଘତମ ମାର୍ଚ୍ଚ-5 କ୍ୟାରିଅର ରକେଟ ଦ୍ବାରା ହୈନାନ ଦ୍ବୀପରୁ ଲଞ୍ଚ କରାଯାଇଥିଲା ।
ଉଭୟ ଅର୍ବିଟର ଓ ରୋଭର ଥିବା ଚୀନର ଟାଣ୍ଡେମ ସ୍ପେଶକ୍ରାଫ୍ଟଟି ଅନ୍ୟଙ୍କ ପରି ମଙ୍ଗଳ ଗ୍ରହରେ ପହଞ୍ଚିବା ପାଇଁ 7ମାସ ସମୟ ଲାଗିବ । ଯଦି ଯୋଜନା ମୁତାବକ ସବୁକିଛି ସଫଳ ହୁଏ ତେବେ ତିଆନୱେନ-1 ମଙ୍ଗଳଗ୍ରହର ଭୂପୃଷ୍ଠ ତଳେ ଜଳର ସ୍ଥିତି ଅନୁସନ୍ଧାନ କରିବାରେ ସଫଳ ହେବ । ଏଥିସହ ମଙ୍ଗଳଗ୍ରହରେ ଜୀବନର ସତ୍ତା ଅନୁସନ୍ଧାନ କରିବାରେ ମଧ୍ୟ ସଫଳତା ହାସଲ ହେବା ନେଇ ଚୀନ ଆଶା ପୋଷଣ କରିଛି ।

ମଙ୍ଗଳ ଗ୍ରହରେ ପହଞ୍ଚିବା ପାଇଁ ଏହା ଚୀନର ପ୍ରଥମ ପ୍ରୟାସ ନୁହେଁ । 2011 ମସିହାରେ ଋଷିଆର ସହାୟତାରେ ଚୀନ ନିଜ ପ୍ରଥମ ବିଫଳ ଚେଷ୍ଟା କରିସାରିଛି । ଏଥିରେ ଚାଇନିଜ ଅର୍ବିଟର ଏକ ଋଷିଆନ ମିଶନରେ ମଙ୍ଗଳ ଗ୍ରହର ଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ପୃଥିବୀର କକ୍ଷ ପରିତ୍ୟାଗ କରିବା ସମୟରେ ଏହି ସ୍ପେଶ କ୍ରାଫ୍ଟଟି ମହାକାଶରେ ହଜିଯାଇଥିଲା । କାଜାଖସ୍ତାନରୁ ହୋଇଥିବା ଏହି ମିଶନ ଲଞ୍ଚିଂର ପରିଣାମ ସ୍ବରୂପ ସ୍ପେଶକ୍ରାଫ୍ଟଟି ମହାକାଶରେ ହିଁ ଜଳି ପୋଡି ପାଉଁଶ ହୋଇଯାଇଥିଲା ।
ପ୍ରଥମ ଥରର ବିଫଳ ଚେଷ୍ଟା ପରେ ଚଳିତ ଥର ଚୀନ ଏକାକୀ ଏହି ବୀର ପ୍ରୟାସ କରିଛି । ଏହି ମିଶନରେ ଚୀନ ଏକାସାଙ୍ଗେ ଫାଷ୍ଟ-ଟ୍ରାକିଂ ଓ ଅର୍ବିଟର ଲଞ୍ଚିଂ କରିବାକୁ ଯାଉଛି । ତେବେ ବିଗତ କିଛି ଦଶନ୍ଧି ହେବ ଚୀନରେ ଅତି ଗୁପ୍ତ ଭାବେ ମହାକାଶ ବିଜ୍ଞାନରେ ଗବେଷଣା ପ୍ରକ୍ରିୟାରେ ବିକାଶ ହୋଇଥିବା ଦେଖାଯାଇଛି । ଏମିତିରେ 2003 ମସିହାରେ ୟାଙ୍ଗ ଲିୱେଇ ଚୀନର ପ୍ରଥମ ମହାକାଶଚାରୀ ପାଲଟିଥିଲେ । ସେହିପରି ଚେଞ୍ଜ-4 କୌଣସ ଦେଶର ପ୍ରଥମ ସ୍ପେଶକ୍ରାଫ୍ଟ ଭାବେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାରେ ଇତିହାସ ରଚିଥିଲା ।

ଚୀନର ଆରମ୍ଭ ହୋଇଥିବା ମିଶନକୁ ନେଇ ୱାଶିଂଟନସ୍ଥିତ ହେରିଟେଜ ଫାଉଣ୍ଡେସନ ଚାଇନିଜ ଏରୋସ୍ପେଶ ପ୍ରୋଗ୍ରାମର ବିଶେଷଜ୍ଞ ଡିନ ଚେଙ୍ଗଙ୍କ କହିବା ଅନୁଯାୟୀ ଏହି ମିଶନରେ ଚୀନି ଗର୍ବ ଗୌରବର ବାହକ ।
ମଙ୍ଗଳ ଗ୍ରହରେ ଅବତରଣ କରିବା ନିଜ ଭିତରେ ହିଁ ଏକ ବହୁତ ବଡ ଚ୍ୟାଲେଞ୍ଜ । ଏଯାବତ୍ କେବଳ ଆମେରିକାରେ ମଙ୍ଗଳଗ୍ରହର ପୃଷ୍ଠରେ ଅବତରଣ କରିବାରେ ସକ୍ଷମ ହୋଇଛି । ସେପଟେ 1976ରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଆମେରିକା 7 ଥର ମଙ୍ଗଳ ମିଶନ ଆୟୋଜନ କରିସାରିଛି । ଚଳିତବର୍ଷ ଏହା ନିଜର 8ମ ମିଶନରେ ପରଜର୍ଭରେନ୍ସକୁ ଲାଲ୍ ଗ୍ରହ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହାପୂର୍ବରୁ ମଙ୍ଗଳ ଗ୍ରହ ଅଭିମୁଖେ ଯାତ୍ରା କରିଥିବା ନାସାର ଇନସାଇଟ ଓ କ୍ୟୁରିଓସିଟି ରୋଭର ଏବେ ବି ନିଜ କାର୍ଯ୍ୟ ଜାରି ରଖିଛନ୍ତି ।
ଏହା ବ୍ୟତୀତ ମଙ୍ଗଳ ଗ୍ରହର କକ୍ଷପଥରେ ଥାଇ 6ଟି ସ୍ପେଶକ୍ରାଫ୍ଟ ଅନୁଧ୍ୟାନ ଜାରି ରଖିଛନ୍ତି । ଏଥିରେ ଆମେରିକାର 3, ୟୁରୋପର 2 ଓ ଭାରତର ଗୋଟିଏ ସ୍ପେଶକ୍ରାଫ୍ଟ ସାମିଲ ରହିଛି । ସେପଟେ ଚଳିତବର୍ଷର ଅନ୍ୟ ଦୁଇ ମିଶନ ପରି ଚୀନ ମଧ୍ୟ ନିଜ ମଙ୍ଗଳ ମିଶନର ତଥ୍ୟକୁ ନିୟନ୍ତ୍ରଣାଧିନ ରଖିଛି ।

ଚଳିତ ମାସ ନେଚର ଆଷ୍ଟ୍ରୋନୋମିରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଚୀନ ମିଶନର ମୁଖ୍ୟ ଇଞ୍ଜିନିୟର ୱାନ ୱେଇକ୍ସିଂ କହିଛନ୍ତି କି 2021 ମସିହା ଫେବୃଆରୀରେ ତିଆନୱେନ ମଙ୍ଗଳ ଗ୍ରହର କକ୍ଷ ପଥରେ ଅବତରଣ କରିବ । ଏହାପରେ ରୋଭରଟି ମଙ୍ଗଳ ଗ୍ରହର ଉଟୋପିଆ ପ୍ଲାନିଟିଆରେ ଲଞ୍ଚିଂ ପାଇଁ ପ୍ରସ୍ତୁତି ଆରମ୍ଭ କରିବ । ମଙ୍ଗଳ ଗ୍ରହରେ ଏହି ସ୍ଥାନରେ ଭୂପୃଷ୍ଠ ତଳେ ବରଫ ରହିଥିବାର ସନ୍ଧାନ କରିବା ସହଜ ହୋଇପାରିବା ନେଇ ନାସା ସୂଚନା ଦେଇ ସାରିଛି ।
ତେବେ ଫେବୃଆରୀରରେ ଚୀନର ଏହି ସ୍ପେଶକ୍ରାଫ୍ଟ ମଙ୍ଗଳ ଗ୍ରହର କକ୍ଷ ପଥରେ ପହଞ୍ଚିବା ପରେ ଏପ୍ରିଲ କିମ୍ବା ମେ ମାସରେ ଏହା ପୃଷ୍ଠରେ ଲ୍ୟାଣ୍ଡିଂ କରିବ । ଯୋଜନା ମୁତାବକ ଯଦି ସବୁକିଛି ଠିକ୍ ଚାଲେ ତେବେ ଗଲ୍ଫ କାର୍ଟ ସାଇଜ 240 କିଲୋଗ୍ରାମର ସୌର ଶକ୍ତି ଚାଳିତ ରୋଭରଟି ମଙ୍ଗଳ ଗ୍ରହରେ 3 ମାସ ଧରି କାର୍ଯ୍ୟକାରୀ ହେବ । ସେହିପରି ଅର୍ବିଟର 2 ବର୍ଷ ଯାଏଁ କାର୍ଯ୍ୟକାରୀ ହୋଇପାରିବ ।
ସେପଟେ 26 ମାସରେ ଥରେ ସୂର୍ଯ୍ୟ, ପୃଥିବୀ ଓ ମଙ୍ଗଳ ଗ୍ରହ ଗୋଟିଏ ପାର୍ଶ୍ସରେ ଆବସ୍ଥିତ ହେଉଥିବା ବେଳେ ଏହି ସମୟରେ ମଙ୍ଗଳ ଓ ପୃଥିବ ସବୁଠାରୁ ନିକଟତମ ଦୂରତାରେ ରୁହନ୍ତି । ତେଣୁ ଏହି ସମୟରେ ଅନେକ ମଙ୍ଗଳ ମିଶନ ଲଞ୍ଚିର ଯୋଜନା ଆରମ୍ଭ ହୋଇଥାଏ ।

ଚଳିତବର୍ଷର 3ଟି ମଙ୍ଗଳ ମିଶନକୁ ନେଇ ଆୟୋଜିତ ଏକ ଅନଲାଇନ ପ୍ୟାନେଲ ବୈଠକରେ ସ୍ପେଶ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଥୋମାସ ଜେଲିବୋର ଅତି ଉତ୍କୃଷ୍ଟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଚଳିତବର୍ଷର 3ଟି ମିଶନ ମଧ୍ୟରେ କୌଣସି ତୁଳନା ନାହିଁ । ପ୍ରତ୍ୟେକ ମିଶନ ଜ୍ଞାନ କୌଶଳ ଓ ବିଜ୍ଞାନର ଏକ ଅଦ୍ଭୂତ ନିଦର୍ଶନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ