ହାଇଦ୍ରାବାଦ: OpenAI (ଓପନଏଆଇ) ସିଇଓ ପଦରୁ ବିଦା ହେଲେ ସାମ ଅଲ୍ଟମ୍ୟାନ । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ କମ୍ପାନୀ ପକ୍ଷରୁ ତାଙ୍କୁ ବହିଷ୍କୃତ କରାଯାଇଥିବା ନେଇ ଘୋଷଣା କରାଯାଇଛି । ବହୁ ବିଚାର ବିମର୍ଷ ପରେ ଅଲ୍ଟମ୍ୟାନଙ୍କୁ ଏହି ପଦରୁ ହଟାଯାଇଥିବା କମ୍ପାନୀ ପକ୍ଷରୁ ବ୍ଲଗରେ ଉଲ୍ଲେଖ କରାଯାଇଛି । କୃତ୍ରିମ ବୁଦ୍ଧିମତା(AI) ଦୁନିଆରେ ସାମ ଅଲ୍ଟମ୍ୟାନଙ୍କ ନାମ ଖୁବ୍ ଜଣାଶୁଣା ଅଟେ ।
ଗତବର୍ଷ ନଭେମ୍ବର ମାସରେ ଓପନଏଆଇ ଚାଟଜିପିଟିକୁ ବଜାରକୁ ଆଣିଥିଲା । ଚାଟଜିପିଟିକୁ ନେଇ ଜନସାଧାରଣଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏହା ବିଶ୍ବର ସବୁଠାରୁ ଲୋକପ୍ରିୟ ସଫ୍ଟଓ୍ବେୟାର ଆପ୍ଲିକେସନ ହୋଇଥିଲା । ଏହାରି ଭିତରେ ଅନେକ ସ୍ଥାନରେ ଏହାର ଦୂରୁପଯୋଗ କରାଯାଉଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଥିଲା । କିଛିଦିନ ଭିତରେ ଚାର୍ଟବୋଟ 1 ମିଲିୟନ ୟୁଜରବେସ ହାସଲ କରିଥିଲା । ଓପନ ଏଆଇର ସମସ୍ତ ଭାର ଉଠାଇଥିଲେ ସାମ ଅଲ୍ଟମ୍ୟାନ । ଏହାରି ଭିତରେ ଓପନଏଆଇ ସିଇଓ ପଦରୁ ସାମ ଅଲ୍ଟମାନଙ୍କୁ ବହିଷ୍କାର କରାଯାଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବୋର୍ଡର ସଦସ୍ୟମାନେ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନଥିବା କାରଣରୁ ଅଲ୍ଟମାନଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି ।
ଅଲ୍ଟମ୍ୟାନଙ୍କ ବହିଷ୍କାରକୁ ସହ୍ୟ କରିପାରିଲେନି ଗ୍ରୋଗ: ତେବେ ଏହାରି ଭିତରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ସାମ୍ ଅଲ୍ଟମ୍ୟାନଙ୍କ ବହିଷ୍କାର ପରେ ଓପନଏଆଇର ସହ ସଂସ୍ଥାପକ ଗ୍ରୋଗ ବ୍ରୋକମ୍ୟାନ ମଧ୍ୟ ଇସ୍ତଫା ଦେଇଛନ୍ତି । ସାମ୍ ଅଲ୍ଟମ୍ୟାନଙ୍କ ବହିଷ୍କୃତ ହେବାର କିଛି ଘଣ୍ଟା ପରେ ହିଁ ସେ ଇସ୍ତଫା ପତ୍ର ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଯେ, ଅଲ୍ଟମ୍ୟାନଙ୍କ ବହିଷ୍କାରକୁ ସହିପାରି ନାହାନ୍ତି ଗ୍ରୋଗ ।
ଏନେଇ ଗ୍ରୋଗ ବ୍ରୋକମ୍ୟାନ ଟ୍ବିଟ କରି କହିଛନ୍ତି, "8 ବର୍ଷ ପୂର୍ବେ ମୋର ଆପାର୍ଟମେଣ୍ଟରେ ସମସ୍ତେ ମିଶି କାମ ଆରମ୍ଭ କରିବା ପରେ ମାନବ ସମାଜର ମଙ୍ଗଳ ପାଇଁ ଯାହା କରିଥିଲୁ ସେଥିପାଇଁ ମୁଁ ଗର୍ବ ଅନୁଭବ କରୁଛି । ଏକାଠି ମିଶି କଠିନ ଏବଂ ଭଲ ସମୟ କାଟିଛୁ । ଅନେକ ଅସୁବିଧା ସତ୍ତ୍ବେ ସଫଳତା ହାସଲ କରିବା ମୋ ପାଇଁ ଅସମ୍ଭବ ରହିଥିଲା । କିନ୍ତୁ ଆଜିର ଖବର ଆଧାରରେ ମୁଁ କମ୍ପାନୀ ଛାଡୁଛି ।"
ଏହା ମଧ୍ୟ ପଢନ୍ତୁ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓପନଏଆଇ ସିଇଓ, ଭାରତରେ AI ସୁଯୋଗ ଉପରେ କଲେ ଆଲୋଚନା
ଓପନଏଆଇ ସିଇଓ ପଦ ସମ୍ଭାଳିବେ ଭାରତୀୟ ବଂଶୋଦ୍ଭବ: ସାମ୍ ଅଲ୍ଟମ୍ୟାନ୍ ପଦ ଛାଡିବା ପରେ ଭାରତୀୟ ବଂଶୋଦ୍ଭବ ମୀରା ମୂର୍ତ୍ତିଙ୍କୁ ସିଇଓ ଦାୟିତ୍ବ ଦିଆଯାଇଛି । ଏହା ପୂର୍ବରୁ ମୀରା ମସ୍କଙ୍କ କମ୍ପାନୀ ଟେସଲାରେ କାର୍ଯ୍ୟ କରିଥିଲେ । ଏହାପରେ ସେ 2018 ମସିହାରେ ଓପନଏଆଇରେ ଯୋଗ ଦେଇଥିଲେ ଏବଂ ପରେ ପରେ କମ୍ପାନୀର ମୁଖ୍ୟ ଟେକ୍ନୋଲୋଜି ଅଧିକାରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ ।
ତେବେ ସାମ ଅଲ୍ଟମ୍ୟାନ ନିଜ ବହିଷ୍କାରକୁ ସ୍ବୀକାର କରିଛନ୍ତି। ସେ ଟ୍ବିଟରରେ ଲେଖିଛନ୍ତି, "ଓପନଏଆଇରେ ଯେତିକି ସମୟ ବିତାଇଛି ତାହା ମୋର ଅତ୍ୟନ୍ତ ପ୍ରିୟ ଥିଲା । ଏହା ବ୍ୟକ୍ତିଗତ ଭାବେ ମୋ ପାଇଁ ଅନେକ ପରିବର୍ତ୍ତନ ଆଣିଥିଲା । ଭାବୁଛି ସାରା ବିଶ୍ବ ପାଇଁ ଏହା କିଛି ପରିବର୍ତ୍ତନ ଆଣିଥିବ । ମୁଁ ଦକ୍ଷ ବ୍ୟକ୍ତିଙ୍କ ସହ କାର୍ଯ୍ୟ କରି ଅନେକ କିଛି ଶିଖିଛି ଏବଂ ମୋତେ ଭଲ ଲାଗିଛି । କହିବା ପାଇଁ ଆହୁରି ଅନେକ କିଛି ରହିଛି । ଆଗକୁ କ'ଣ ହେବ ତାହା ପରବର୍ତ୍ତୀ ସମୟରେ ଜଣାଯିବ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ