ଲେଖକ- ଡଃ ଅନନ୍ତ ଏସ
ହାଇଦ୍ରାବାଦ: ମାଇଗ୍ରେସନ ବା ପ୍ରବାସ ଦେଶ ଓ ଦେଶ ବାହାରେ ବହୁ ସମୟ ଧରି ଲାଗି ରହିଛି । ଯଦି ଆମେ ଇତିହାସର ପୃଷ୍ଠା ଲେଉଟାଇବା ତେବେ ଆର୍ଯ୍ୟମାନେ ମଧ୍ୟ ବାହାରୁ ଆସିଥିଲେ । ତେବେ ଏହି ଧାରାରେ ଏଯାବତ ରୋକ ଲାଗିନାହିଁ । ସେହିପରି ଭାରତୀୟ ମଧ୍ୟ ବହୁ ସଂଖ୍ୟାରେ ଦେଶ ଛାଡ଼ି ବିଦେଶ ଗସ୍ତ କରିବାରେ ଲାଗିଛନ୍ତି । ବିଦେଶ ମନ୍ତ୍ରଣାଳୟର ଏକ ତଥ୍ୟ ଅନୁସାରେ ୩.୨ କୋଟି ଭାରତୀୟ ବିଦେଶରେ ପ୍ରବାସୀ ଭାବେ ଜୀବନ ଯାପନ କରୁଛନ୍ତି । ଏମାନଙ୍କ ମଧ୍ୟରୁ ୧.୩୨ କୋଟି ଏନଆଇଆଇ ଥିବା ବେଳେ ୧.୮୬ କୋଟି ବିଦେଶର ନାଗରିକତା ଗ୍ରହଣ କରିଛନ୍ତି ।
ଆନୁମାନିକ ଭାବେ ପ୍ରତିବର୍ଷ ଅତି କମରେ ୨୫ ଲକ୍ଷ ଭାରତୀୟ ପ୍ରବାସୀ ହୋଇଯାଉଛନ୍ତି । ଅକ୍ଟୋବର ୨୦୨୨ରୁ ସେପ୍ଟେମ୍ବର ୨୦୨୩ ମଧ୍ୟରେ ୯୬,୯୧୭ ଭାରତୀୟ ବେଆଇନ ଭାବେ ଆମେରିକାରେ ପ୍ରବେଶ କରୁଥିବା ବେଳେ ଧରାପଡିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ପର୍ଯ୍ୟଟକ ଭିସା ନେଇ ବିଦେଶ ଯାଉଥିବା ବେଳେ ସେଠାରୁ ଆଉ ଫେରନ୍ତି ନାହିଁ। ଏବେ ଛୋଟ ସହରରୁ ମଧ୍ୟ ଛାତ୍ରଛାତ୍ରୀ ଅଧ୍ୟୟନ ପାଇଁ ବିଦେଶ ଗସ୍ତ କରୁଛନ୍ତି । ହାଇଦ୍ରାବାଦ ଏବଂ ଗୁଣ୍ଟୁର ଜିଲ୍ଲାର ସର୍ବାଧିକ ଛାତ୍ର TOFEL ଏବଂ GRE ପରୀକ୍ଷାରେ ଭାଗ ନେଉଛନ୍ତି । ୨୦୨୨ର ଏକ ପରିସଂଖ୍ୟାନ ଅନୁସାରେ ସମଗ୍ର ବିଶ୍ବରୁ ୧୨.୩ ପ୍ରତିଶତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଭାଗ ନେଉଛନ୍ତି । ଯେତେବେଳେ କି ଏହାର ଏକ ବର୍ଷ ପୂର୍ବରୁ ଏହି ପ୍ରତିଶତ ମାତ୍ର ୭.୨ ପ୍ରତିଶତ ଥିଲା ।
ସମଗ୍ର ଦେଶରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ସର୍ବାଧିକ ସଂଖ୍ୟକ ଛାତ୍ର ଏହି ପରୀକ୍ଷା ଦେଉଛନ୍ତି । ଆଉ ଏହା ସତ ଯେ ବିଦେଶ ଯିବାକୁ ଚାହୁଁଥିବା ଅଧିକାଂଶ ଛାତ୍ର ଧନୀ ଘରୁ ଆସିଥାନ୍ତି । ଏକ ଆକଳନରୁ ଜଣାପଡିଛି ଯେ ଗତ ବର୍ଷ ୭୦୦୦ କୋଟିପତି ଭାରତୀୟ ପାସପୋର୍ଟରୁ ତ୍ୟାଗ କରିଥିଲେ । ତାଙ୍କର ହାରାହାରି ସମ୍ପତ୍ତି ପ୍ରାୟ ୮ କୋଟି ଥିଲା । ଚୀନ ଏବଂ ଋଷ ପରେ ଏହା ହେଉଛି ସବୁଠାରୁ ବଡ ସଂଖ୍ୟା । ୨୦୧୩-୨୨ ମଧ୍ୟରେ ୪୮,୫୦୦ ଧନୀ ଭାରତୀୟ ଦେଶ ଛାଡିଛନ୍ତି । ଯଦିଓ ଭାରତର ୧.୪ ବିଲିୟନ ଜନସଂଖ୍ୟା ସାମ୍ନାରେ ଏହି ସଂଖ୍ୟାଗୁଡିକ ବହୁତ ଛୋଟ ମନେହୁଏ, କିନ୍ତୁ ଏହା ସତ ଏତେ ସଂଖ୍ୟାର ଭାରତୀୟ ଦେଶ ତ୍ୟାଗ କରୁଥିବା ନିଶ୍ଚିତ ଚିନ୍ତାର କାରଣ । ଏହାକୁ ଗମ୍ଭୀର ଭାବରେ ବିଚାର କରାଯିବା ଉଚିତ ।
ମାଇଗ୍ରେସନର କାରଣ:- ବିଦେଶକୁ ଯାଉଥିବା ଅଧିକାଂଶ ଲୋକ ଅନୁଭବ କରନ୍ତି ଯେ ସେମାନେ ଏଠାରେ ଭଲ ରୋଜଗାର କରିପାରିବେ ନାହିଁ କିମ୍ବା ସେମାନଙ୍କର ଭବିଷ୍ୟତର ସୁଯୋଗ ଭାରତରେ ଭଲ ହୋଇନପାରେ । ୨୦୧୭ ମସିହାରୁ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେଉଥିବା ବେଳେ କୋଭିଡ ପରିସ୍ଥିତି ଏହାକୁ ଆହୁରି ଜଟିଳ କରିଥିଲା । କୋଭିଡ ମହାମାରୀ ପାଇଁ ୩.୨ କୋଟି ଲୋକ ଗରିବ ସୀମା ରେଖା ତଳେ ରହିଛନ୍ତି । ଗତ ୫ ବର୍ଷ ମଧ୍ୟରେ ଏହାର ସଂଖ୍ୟାରେ ବୃଦ୍ଧି ଘଟିଛି । ବେରୋଜଗାର ବୃଦ୍ଧି ପାଇଛି । ବିରୋଧୀ ବିଚାରଧାରା ଉପରେ ଚାପ ପଡୁଛି । ଏହି ସମସ୍ତ କାରଣରୁ ଲୋକେ ଦେଶ ବାହାରକୁ ଯିବାକୁ ଚାହୁଁଛନ୍ତି । ଭାରତରେ କର୍ମଜୀବୀ ବୟସ ଶ୍ରେଣୀଙ୍କ ସଂଖ୍ୟା ଅଧିକ । ୨୦୩୧ ସୁଦ୍ଧା ଏହି ଜନସଂଖ୍ୟା ୫୮.୮%ରେ ପହଞ୍ଚିବ । ୧୫-୬୫ ବର୍ଷୀୟ ଲୋକଙ୍କୁ କର୍ମଜୀବୀ ବୟସ ଶ୍ରେଣୀ ଭାବେ ଗଣାଯାଏ ।
ଏହା ବି ପଢନ୍ତୁ- National Education Day: କଣ ଭାରତରେ ଗୁଣାତ୍ମକ ଉଚ୍ଚଶିକ୍ଷା ସ୍ବପ୍ନ କି ? ପଢନ୍ତୁ ଏହି ଆଲେଖ୍ୟ
ଗତ ଦଶନ୍ଧିରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଦ୍ବିଗୁଣିତ ହୋଇଛି । ତେବେ କୌଣସି ବି ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବୃଦ୍ଧି ଓ ହ୍ରାସ ସାଧାରଣ । କିନ୍ତୁ ଯେତେବେଳେ ଲୋକେ ଅନୁଭବ କରନ୍ତି ଯେ ସେମାନଙ୍କର ଆୟ ସହିତ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ପୂରଣ କରିବା କଷ୍ଟସାଧ୍ୟ, ସେତେବେଳେ ସେମାନଙ୍କର ଚିନ୍ତାଧାରା ପରିବର୍ତ୍ତନ ଆସିଥାଏ । ସରକାର ଚାହିଁଲେ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବେ । ବିମୁଦ୍ରୀକରଣ, ଜିଏସଟି ଏବଂ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ଖର୍ଚ୍ଚରେ ବଡ ଶିଳ୍ପ ଗୁଡିକର ଅଭିବୃଦ୍ଧି ଏହି ସ୍ଥିତିକୁ ଆହୁରି ଜଟିଳି କରିଛି । ଯାହାଦ୍ବାରା ଯୁବକମାନେ ସେମାନଙ୍କର ଭବିଷ୍ୟତ ଦୁର୍ବଳ ବୋଲି ଅନୁଭବ କରୁଛନ୍ତି ।
ଆଶାୟୀ ଯୁବପିଢି ଦେଖୁଛନ୍ତି ଯେ ସରକାରୀ ନୀତି ଯୋଗୁଁ ନିମ୍ନ ଏବଂ ମଧ୍ୟମ ସ୍ତରରେ ସୁଯୋଗ ହଜିଯାଉଛି, କିଛି ବଡ କମ୍ପାନୀ ଏଥିରେ ଉପକୃତ ହେଉଛନ୍ତି । ଜାତି, ଧର୍ମ ଏବଂ ରାଜନୈତିକ ରଣନୀତି ଯୋଗୁଁ ଯୁବପିଢିଙ୍କ ଭବିଷ୍ୟତ ଉପରେ ପ୍ରଭାବ ପଡୁଛି । ସରକାର ହୁଏତ ଏହି ସତ୍ୟରୁ ମୁହଁ ଫେରାଇ ପାରନ୍ତି, କିନ୍ତୁ ପରିସଂଖ୍ୟାନ ଆଉ କିଛି କହୁଛି । ୨୦୧୯ ପରେ ଆମେ ଦେଖିପାରୁଛୁ ଯେ NRI ମାନେ ଭାରତଠାରୁ ଦୂରରେ ରହୁଛନ୍ତି । ସେମାନେ ଭାରତ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଟିକସ ବ୍ୟବସ୍ଥାରେ କୌଣସି ସ୍ବଚ୍ଛତା ରହୁନାହିଁ ।
ସରକାରଙ୍କୁ କଣ କରିବା ଉଚିତ: ୧୯୭୦ରୁ ୯୦ ଦଶକ ମଧ୍ୟରେ ଯେଉଁ 'ବ୍ରେନ୍ ଡ୍ରେନ୍' କଥା କୁହାଯାଉଥିଲା, ଏବେ ସେ ନେଇ ପୁଣି ଚର୍ଚ୍ଚା କରାଯାଉଛି । ଯଦି ଏପରି ସ୍ଥିତି ଲାଗି ରୁହେ, ତେବେ ଆମ ଅନ୍ୟ ଦେଶକୁ ପଛରେ ପକାଇବା ପରିବର୍ତ୍ତେ ନିଜେ ସେମାନଙ୍କ ଉପରେ ନିର୍ଭରଶୀଳ ହୋଇଯିବା । ଏଣୁ ସରକାରଙ୍କୁ ସର୍ବପ୍ରଥମେ ବିକେନ୍ଦ୍ରୀକରଣ ଉପରେ ଧ୍ୟାନ ଦେବା ଉଚିତ । ସରକାର ଯେଉଁ ଆଇନ ପ୍ରଣୟନ କରୁଛନ୍ତି ତାହା ଉପରେ ଭଲ ଭାବେ ବିଚାର କରିବା ଉଚିତ । ଦେଶବାସୀ ଯେପରି ନିଜ ପ୍ରତିଭାର ସଦୁପଯୋଗ କରିପାରିବେ, ନିଜର ଦକ୍ଷତା ବିକାଶ କରିପାରିବେ ସେ ନେଇ ସରକାର ବ୍ୟବସ୍ଥା କରିବା ଦରକାର ।
ସରକାର ସିଧାସଳଖ ଲାଭାନ୍ବିତ ହେବା ପରିବର୍ତ୍ତେ କିପରି ଦେଶର ମୁଳଦୁଆ ଦୃଢୀଭୂତ ହୋଇପାରିବେ, ଲୋକଙ୍କ ଦକ୍ଷତାର ବିକାଶ ହେବ ସେ ଦିଗରେ ଧ୍ୟାନ ଦେବା ଆବଶ୍ୟକ । ବିଶେଷ କରି ସ୍ବାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ସରକାର ଗୁରୁତ୍ବାରୋପ କରିବା ଦରକାର । ଏହି ୨ କ୍ଷେତ୍ରରେ ବହୁଳ ମାତ୍ରାରେ ନିବେଶ କରିବାର ଆବଶ୍ୟକ ରହିଛି । ସରକାରଙ୍କୁ ଏହା ଭାବିବା ଆବଶ୍ୟକ ଯେ ଦେଶର ଛାତ୍ରଛାତ୍ରୀ ଅଧିକ ଅର୍ଥ ଖର୍ଚ୍ଚ କରି କାହିଁକି ବିଦେଶକୁ ମେଡିକାଲ ଡିଗ୍ରୀ ନେବାକୁ ଚାହୁଁଛନ୍ତି ? ଆମ ଦେଶରେ କଣ ଗୁଣାତ୍ମକ ଶିକ୍ଷାର ଅଭାବ ରହିଛି ? ଏହାସହିତ ସମସ୍ତ ବର୍ଗର ଲୋକଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଦରକାର ।
(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)