ଲେଖକ- ଡଃ କେ ବାଲାଜି ରେଡି
(ବି.ଇ, ଏମ ଟେକ୍ IITM, ପିଏଚଡି VIT)
ହାଇଦ୍ରାବାଦ: ଗଣିତ...ଛାତ୍ରଛାତ୍ରୀଙ୍କ ମନରେ ଭୟର ପ୍ରତିଶବ୍ଦ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗଣିତ ହେଉଛି ବିଜ୍ଞାନର ମହାକାଶ, ସଂଖ୍ୟା, ଅଙ୍କର ସମ୍ଭାର । ବୈଦିକ ଯୁଗରୁ ଗଣିତ ପ୍ରତି ଥିବା ଆଗ୍ରହ, ଭଲପାଇବାକୁ ଭାରତୀୟମାନେ ଦର୍ଶାଇ ଆସିଛନ୍ତି । ଭାରତୀୟ ମହାନ ଗଣିତଜ୍ଞ ଆର୍ଯ୍ୟଭଟ୍ଟ, ବ୍ରହ୍ମଗୁପ୍ତ ଓ ଭାସ୍କରାଚାର୍ଯ୍ୟଙ୍କ ସମୟରୁ ଅର୍ଥାତ ଚତୁର୍ଥରୁ ଦ୍ବାଦଶ ଶତାବ୍ଦୀ ମଧ୍ୟରେ ଗଣିତ ଜୀବନ୍ତ ହୋଇଥିଲା । ଭାରତର ଅବଦାନ ଯୋଗୁଁ ଗଣିତ ଜଗତରେ ଆବିଷ୍କାର ହୋଇଥିଲା ଶୂନ, ନମ୍ବର ସିଷ୍ଟମ ଓ ବିଯୁକ୍ତ ସଂଖ୍ୟା । ଏହା ସତ୍ତ୍ବେ ଗଣିତ ଜଗତରେ ଭାରତକୁ ତାର ଉପଯୁକ୍ତ ସ୍ଥାନ ମିଳିପାରିନାହିଁ ।
ଗଣିତ ଜଗତରେ ଭାରତର ଅବଦାନ ସମ୍ପର୍କରେ ବିଶ୍ବବାସୀଙ୍କୁ ଅବଗତ କରାଇବାକୁ ହଲେ ଅନେକ ପ୍ରୟାସ ଦେଶରେ କରିବାକୁ ହେବ । ଗଣିତରେ ଇଞ୍ଜିନିୟରିଂ, ଫାଇନାନ୍ସ ଏବଂ କମ୍ପ୍ୟୁଟର ସାଇନ୍ସ ସହିତ ଅନେକ ଅଭ୍ୟାସର ପ୍ରୟୋଗ ରହିଛି । ନୂତନ ଟେକ୍ନୋଲୋଜିର ବିକାଶ ଏବଂ ବିଭିନ୍ନ କ୍ଷେତ୍ରରେ ଜଟିଳ ସମସ୍ୟାର ସମାଧାନ ଲାଗି ଏହାର ଆବଶ୍ୟକତା ରହିଛି । ଗଣିତକୁ ଆର୍ଥିକ କ୍ଷେତ୍ରରେ ମୂଲ୍ୟ ନିର୍ଧାରଣ ପାଇଁ ବ୍ୟବହୃତ ହୁଏ । ସେହିପରି କମ୍ପ୍ୟୁଟର ସାଇନ୍ସରେ ଗଣିତକୁ ଆଲଗୋରିଦମର ବିକାଶ ଏବଂ ଏହାର ବିଶ୍ଳେଷଣ କରିବା ପାଇଁ ବ୍ୟବହୃତ ହୁଏ ।
ଭାରତରେ ଗଣିତ ଗବେଷଣା ଲାଗି ଅନେକ ପ୍ରତିଷ୍ଠିତ ଅନୁଷ୍ଠାନ ରହିଛି । ସେଗୁଡ଼ିକ ହେଉଛି ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ଚେନ୍ନାଇ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଥମେଟିକାଲ ସାଇନ୍ସ, ଟାଟା ଇନଷ୍ଟିଚ୍ୟୁଟ ଅଫ ଫାଉଣ୍ଡେସନ୍ ରିସର୍ଚ୍ଚ, କୋଲକାତା ସ୍ଥିତ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟ, ପୁଣେ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ । ଏହି ଅନୁଷ୍ଠାନ ବାଦ ଗଣିତ ଗବେଷଣା ପାଇଁ ଭାରତରେ ଆହୁରି ଅନେକ ଗୁଣାତ୍ମକ ଅନୁଷ୍ଠାନର ଆବଶ୍ୟକତା ରହିଛି ।
ଭାରତରେ ପ୍ରତିବର୍ଷ ଡିସେମ୍ବର ୨୨ ତାରିଖରେ 'ଜାତୀୟ ଗଣିତ ଦିବସ' ଭାବେ ପାଳନ କରାଯାଏ । ଗଣିତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ମହାନ ଗଣିତଜ୍ଞ ସାର ଶ୍ରୀନିବାସ ରାମାନୁଜନଙ୍କ ଜନ୍ମ ବାର୍ଷିକୀକୁ ପାଳନ କରିବା ଲାଗି ଏହି ଦିବସ ପ୍ରତିବର୍ଷ ପାଳନ କରାଯାଏ । ଗଣିତ ହେଉଛି ସମସ୍ତ ବିଜ୍ଞାନର ମାତା ଏବଂ ଏହାକୁ 'ବିଜ୍ଞାନର ରାଣୀ' ମଧ୍ୟ କୁହାଯାଏ । ଗଣିତ ବିନା ବିଶ୍ବ ଗତିଶୀଳ ହୋଇପାରିବ ନାହିଁ । ତେଣୁ ଦୈନନ୍ଦିନ ଜୀବନରେ ମଧ୍ୟ ଗଣିତ ଅତ୍ୟନ୍ତ ଜରୁରୀ । ଏପରିକି ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଗଣିତର ଆବଶ୍ୟକତା ରହିଛି ।
ଏହା ବି ପଢନ୍ତୁ- ଜାତୀୟ ଗଣିତ ଦିବସ, ମନେ ପଡେ ରାମାନୁଜନଙ୍କ ଅତୁଳନୀୟ ଅବଦାନ
ଏଣୁ ଜାତୀୟ ଗଣିତ ଦିବସକୁ ପ୍ରାଥମିକଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଳନ କରିବା ଉଚିତ । ଏହି ଦିବସରେ ମହାନ ଗବେଷକ ଓ ବୈଜ୍ଞାନିକଙ୍କ ଦ୍ବାରା ଆଲୋଚନା ଚକ୍ରର ଆୟୋଜନ କରିବା ଉଚିତ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ସାଙ୍ଗକୁ ସେମାନେ ଅନେକ ଗବେଷଣା ସମ୍ପର୍କରେ ଅବଗତ ହୋଇପାରିବେ । ନବ ଯୁଗ ସହିତ ଗଣିତର ମଧ୍ୟ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଏଣୁ ବିଶ୍ବ ସହିତ ତାଳ ଦେବା ଲାଗି ଏହି ନୂଆ ଟେକ୍ନୋଲୋଜି ସମ୍ପର୍କରେ ଆଜିର ଯୁବପିଢି ଓ ଛାତ୍ରଛାତ୍ରୀ ଅବଗତ ହେବା ଆବଶ୍ୟକ ।
ଗଣିତ ଶିକ୍ଷକଙ୍କ ଭୂମିକା:- ଏହି ଦିଗରେ ଗଣିତ ଶିକ୍ଷକଙ୍କ ଅବଦାନ ମଧ୍ୟ ରହିଛି । ଗଣିତ ଶିକ୍ଷକ ଛାତ୍ରମାନଙ୍କୁ ପାଠ ପୁସ୍ତକ ବ୍ୟତୀତ ଜଣେ ସମସ୍ୟା ସମାଧାନକାରୀ ଏବଂ ଚିନ୍ତକ ହେବାକୁ ପ୍ରେରଣା ଯୋଗାଇଥାନ୍ତି । ଜଣେ ଗଣିତ ଶିକ୍ଷକ ଏହା ନିଶ୍ଚିତ କରିବା ଉଚିତ ଯେ ଛାତ୍ରଛାତ୍ରୀ କେବଳ ଶ୍ରେଣୀଗୃହରେ ସଫଳ ହେବେ ନାହିଁ, ବରଂ ନିଜର ଜ୍ଞାନ ଓ କୌଶଳକୁ ଉପଯୋଗ କରି ଦେଶର ଦକ୍ଷ ନାଗରିକ ଭାବେ ଆଗାମୀ ଦିନରେ କାର୍ଯ୍ୟ କରିବେ । ଅନୁସନ୍ଧାନକାରୀମାନେ ଆକଳନ କରିଛନ୍ତି ଯେ ପ୍ରାୟ ୨୦ ପ୍ରତିଶତ ଛାତ୍ର ଗଣିତ ଅଧ୍ୟୟନକୁ ନେଇ ଚିନ୍ତାରେ ପୀଡିତ ।
ନ୍ୟାସନାଲ ଆଚିଭମେଣ୍ଟ ସର୍ଭେ ୨୦୧୭ରୁ ଜଣାପଡ଼ିଛି ଯେ ଗଣିତ ପରୀକ୍ଷାରେ ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ଯଥାକ୍ରମେ ୬୪%, ୫୩% ଓ ୪୨% ମାର୍କ ରଖିଥାନ୍ତି । ଏଥିରୁ ସ୍ପଷ୍ଟ ଯେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣିତ ବିଷୟକୁ ନେଇ ଆଗ୍ରହ କମିବାରେ ଲାଗିଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ସ୍ଥିତି ଆହୁରି ଉଦ୍ବେଗଜନକ । କାରଣ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ନିଶ୍ଚିତ କରିଛି ଯେ ଦଶମ ଶ୍ରେଣୀରେ ପାଠ ପଢୁଥିବା ୨୧% ଦଶମ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗଣିତ ବିଷୟ ନେବାକୁ ପସନ୍ଦ କରନ୍ତି । ଛାତ୍ରମାନଙ୍କ ପାଇଁ ବିଦ୍ୟାଳୟରେ ସବୁଠାରୁ ଜଟିଳ ବିଷୟ ହେଉଛି ଗଣିତ ।
ଅଧିକାଂଶ ପିଲା ଗଣିତ ବିଷୟ ବୁଝିବାରେ କଷ୍ଟ ଅନୁଭବ କରୁଥିବା ବେଳେ ଆଉ କିଛି ଛାତ୍ରଛାତ୍ରୀ ଆଦୌ ଏହି ବିଷୟକୁ ପସନ୍ଦ କରନ୍ତି ନାହିଁ । ଏହାକୁ 'ଗଣିତ ଫୋବିଆ' ବୋଲି କୁହାଯାଏ । ଏହି କାରଣ ଯୋଗୁଁ ଗଣିତ ବିଷୟ ପଢିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନାଗ୍ରହ ଲାଗି ରହେ । ଯାହାକି ଏହି ବିଷୟରେ ଖରାପ ପ୍ରଦର୍ଶନକୁ ଆହୁରି ଆଗକୁ ନେଇପାରେ । ଗଣିତର ଭୟକୁ କିପରି ଦୂର କରାଯିବ ତାହା ହେଉଛି ବର୍ତ୍ତମାନର ଗଣିତ ଶିକ୍ଷାର ମୌଳିକ ସମସ୍ୟା ।
ପରିଶେଷରେ, ଏକବିଂଶ ଶତାବ୍ଦୀରେ ଦେଶ ପହଞ୍ଚିଥିବା ବେଳେ ଆମେ ଏବେ ଦକ୍ଷତା ଓ ଅଭିନବ ଚିନ୍ତାଧାରାକୁ ଗୁରୁତ୍ବ ଦେଉଛନ୍ତି । ଏହି ନୂଆ ଟେକ୍ନୋଲୋଜିକୁ ବୁଝିବାକୁ ହେଲେ ଗଣିତ ଡରକୁ ପାସୋରିବାକୁ ପଡ଼ିବ । ଗଣିତ ବିଷୟରେ ଦକ୍ଷ ହେଲେ ଆଗାମୀ ଦିନରେ ଏଗୁଡ଼ିକ ମଧ୍ୟ ସହଜ ହେବ । ଏହି ଡାଟା, ଗାଣିତିକ ମଡେଲକୁ ବିଶ୍ଳେଷଣ କରିବାରେ ଯୁବପିଢିଙ୍କୁ ସହଜ ହେବ । କିପରି ଦେଶରେ ଛାତ୍ରଛାତ୍ରୀଙ୍କ ଗଣିତ ଶିକ୍ଷାକୁ ଗୁଣାତ୍ମକ କରାଯାଇପାରିବ ସେ ଦିଗରେ ସରକାର ଧ୍ୟାନ ଦେବା ଆବଶ୍ୟକ । ଏଭଳି କ୍ଷେତ୍ରରେ ଦେଶରେ ଗଣିତ ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକ । ଗଣିତ ଅଧ୍ୟୟନ କେବଳ ପାଠପଢା ପାଇଁ ନୁହେଁ, ବରଂ ଏହା ଜୀବନରେ ସମସ୍ୟା ସମାଧାନ କରିବାର ଦକ୍ଷତାକୁ ବୃଦ୍ଧି କରିଥାଏ । ଏହାକୁ ଯୁବପିଢି ନିଜ ଜୀବନରେ ମଧ୍ୟ ଉପଯୋଗ କରିପାରନ୍ତି । ଗଣିତରେ ଜଣେ ଦକ୍ଷ ହେଲେ ସେ ଅତି ସହଜରେ ଭୌତିକ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଅର୍ଥଶାସ୍ତ୍ର, ଇଞ୍ଜିନିୟରିଂ ପାଠକୁ ପଢିବା ସହିତ ଏହାକୁ କର୍ମକ୍ଷେତ୍ରରେ ଉପଯୋଗ କରିପାରିଥାଏ । ଯାହାକି ପରିଶେଷରେ ଦେଶର ଅର୍ଥନୈତିକ ବିକାଶରେ ସହାୟକ ହୋଇଥାଏ ।
(ଇନାଡୁ ସମ୍ପାଦକୀୟର ଓଡ଼ିଆ ଅନୁବାଦ)