ଡଃ ଏନଭିଆର ଜ୍ୟୋତି କୁମାର
(ପ୍ରଫେସର, ବାଣିଜ୍ୟ ବିଭାଗ, ମିଜୋରାମ ସେଣ୍ଟ୍ରାଲ ୟୁନିଭର୍ସିଟି)
ହାଇଦ୍ରାବାଦ: ଜାତୀୟ ଶିକ୍ଷା ଦିବସ ସହ ଜଡ଼ିତ ମୂଳ ଭାରତୀୟ ତଥା ମହାନ ପଣ୍ଡିତ ମୌଲାନା ଅବୁଲ କାଲାମ ଆଜାଦଙ୍କ ଜୀବନ ଓ ତାଙ୍କ ଅବଦାନ । ୧୮୮୮ ମସିହା ନଭେମ୍ବର ୧୧ରେ ଜନ୍ମ ହୋଇଥିବା ମୌଲାନା ଆଜାଦ ଜଣେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଦୂରଦୃଷ୍ଟି ସମ୍ପନ୍ନ ଶିକ୍ଷାବିତ୍ ଥିଲେ । ସେ ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଶିକ୍ଷା ପ୍ରତି ତାଙ୍କର ପ୍ରତିବଦ୍ଧତା ଅତୁଳନୀୟ ଥିଲା । ସେ ବିଶ୍ବାସ କରିଥିଲେ ଯେ ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଯାହା ସମାଜକୁ ପରିବର୍ତ୍ତନ ତଥା ଜନତାଙ୍କୁ ସଶକ୍ତ କରିବାରେ ବ୍ୟବହୃତ ହୋଇପାରିବ ।
ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ଭାବରେ ସେ ଦେଶର ଆଧୁନିକ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ପକାଇଥିଲେ । ତାଙ୍କର ଅକ୍ଲାନ୍ତ ପରିଶ୍ରମ ଦ୍ବାରା ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT) ଗଠନ ହୋଇଥିଲା । ତେବେ ଚଳିତ ବର୍ଷ ଲାଗି ଜାତୀୟ ଶିକ୍ଷା ଦିବସର ବିଷୟବସ୍ତୁ ହେଉଛି 'ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଅଭିନବ ଶିକ୍ଷା' । ୨୦୩୦ ସୁଦ୍ଧା ଗୁଣବତ୍ତା ଶିକ୍ଷା ଏବଂ ସମସ୍ତଙ୍କ ପାଇଁ ଆଜୀବନ ଶିକ୍ଷା ସୁଯୋଗକୁ ପ୍ରୋତ୍ସାହିତ କରିବା ଏହି ବିଷୟବସ୍ତୁର ଲକ୍ଷ୍ୟ ରହିଛି ।
କୋଭିଡ ମହାମାରୀ ଆରମ୍ଭ ହେବା ପୂର୍ବରୁ ମଧ୍ୟ ବିଶ୍ବ ଶିକ୍ଷା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବା ଦିଗରେ ଧୀର ଥିଲା । ବିଶ୍ଳେଷଣ ଦର୍ଶାଏ ଯେ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ମଧ୍ୟରେ ୨୦୧୫-୧୯ ମଧ୍ୟରେ ବିଶ୍ବ ଶିକ୍ଷା ସ୍ତରରେ କୌଣସି ଅଗ୍ରଗତି ପରିଲକ୍ଷିତ ହୋଇନାହିଁ । ଯଦି ଏହି ଦିଗରେ କୌଣସି ଅତିରିକ୍ତ ପଦକ୍ଷେପ ଗ୍ରହଣ ନ କରାଯାଏ, ତେବେ ୬ଟି ଦେଶ ମଧ୍ୟରୁ କେବଳ ଗୋଟିଏ ଦେଶ SDG4 କୁ ପୂରଣ କରିବା ସହ ୨୦୩୦ ସୁଦ୍ଧା ଗୁଣାତ୍ମକ ଶିକ୍ଷାର ମାନଦଣ୍ଡ ପୂରଣ କରିବାରେ ସକ୍ଷମ ହେବ ।
ଭାରତରେ ବିଶ୍ବର ୨ୟ ବୃହତ୍ତମ ଶିକ୍ଷା ବ୍ୟବସ୍ଥା ଥାଇ ମଧ୍ୟ...
ଭାରତରେ ବର୍ତ୍ତମାନ ବିଶ୍ବର ଦ୍ବିତୀୟ ବୃହତ୍ତମ ଉଚ୍ଚଶିକ୍ଷା ବ୍ୟବସ୍ଥା ରହିଛି । ଯେଉଁଥିରେ ୧୧୦୦ ବିଶ୍ବବିଦ୍ୟାଳୟ ସମେତ ୫୬ ହଜାରରୁ ଅଧିକ ଉଚ୍ଚଶିକ୍ଷା ପ୍ରତିଷ୍ଠାନ (HEI)ରେ ୪୩ ମିଲିୟନରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହା ସତ୍ତ୍ବେ NIRF ଅଧୀନରେ ଥିବା ଶ୍ରେଷ୍ଠ ୧୦୦ କଲେଜ ତାଲିକାରେ ଗ୍ରାମାଞ୍ଚଳର କଲେଜ ଗୁଡିକର ଉପସ୍ଥିତି ସ୍ବଳ୍ପ ରହିଛି । GIR ତଥ୍ୟ ଅନୁସାରେ ଆମ ଦେଶ ଭାରତରେ ୪ଜଣ ଯୁବଗୋଷ୍ଠୀଙ୍କ ମଧ୍ୟରୁ ମାତ୍ର ଜଣଙ୍କ ନିକଟରେ ଉଚ୍ଚଶିକ୍ଷା ପାଇଁ ସୁବିଧା ପହଞ୍ଚୁଛି । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ୨୦୩୫ ସୁଦ୍ଧା ଏହାକୁ ୫୦%ରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି । ୨୦୧୭ରୁ ୨୦୨୨ ମଧ୍ୟରେ ୧୩ ଲକ୍ଷ ଭାରତୀୟ ଛାତ୍ର ଉଚ୍ଚଶିକ୍ଷା ଲାଗି ବିଦେଶ ଗସ୍ତ କରିଛନ୍ତି । ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି ଆମେରିକା । ଏଠାରେ ପ୍ରାୟ ୪.୬୫ ଲକ୍ଷ ଛାତ୍ର ରହି ଶିକ୍ଷା ଗ୍ରହଣ କରୁଛନ୍ତି । ଏହାବାଦ କାନାଡାରେ ୧.୮୩ ଲକ୍ଷ, ୟୁଏଇରେ ୧.୬୪ ଲକ୍ଷ ଓ ଅଷ୍ଟ୍ରେଲିଆରେ ୧ ଲକ୍ଷ ଛାତ୍ରଛାତ୍ରୀ ରହିଛନ୍ତି ।
ଭାରତୀୟ ଛାତ୍ରମାନେ ବର୍ତ୍ତମାନ ବିଶ୍ବରେ ୨୪୦ରୁ ଅଧିକ ଦେଶରେ ଅଧ୍ୟୟନ କରୁଛନ୍ତି । ଉଜବେକିସ୍ତାନ, ଫିଲିପାଇନ୍ସ, ଋଷ, ଆୟର୍ଲାଣ୍ଡ ଏବଂ କିର୍ଗିସ୍ତାନ ଭଳି ଦେଶରେ ଅଧ୍ୟୟନ ଲାଗି ଛାତ୍ରଛାତ୍ରୀଙ୍କ ଅଧିକ ଆଗ୍ରହ ବୃଦ୍ଧି ପାଉଛି । ମୋଟ ଉପରେ ୧୧.୩୦ ଲକ୍ଷରୁ ଅଧିକ ଭାରତୀୟ ଛାତ୍ର ବର୍ତ୍ତମାନ ବିଦେଶୀ କଲେଜରେ ଅଧ୍ୟୟନ କରୁଛନ୍ତି । ଅନ୍ୟପଟେ ୨୦୨୧ ମସିହାରେ କେବଳ ୪୮ ହଜାର ବିଦେଶୀ ଛାତ୍ର ଭାରତରେ ନାମ ଲେଖାଇଥିଲେ ଏବଂ ସର୍ବାଧିକ ସଂଖ୍ୟା ପଡୋଶୀ ଦେଶରୁ ଆସିଥିଲା । ଏହାର ଅର୍ଥ ହେଉଛି ଅନ୍ତର୍ଜାତୀୟ ଛାତ୍ରମାନଙ୍କୁ ଆକର୍ଷିତ କରିବା ଦିଗରେ ଭାରତ ବର୍ତ୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଅଛି । ଏଥିରୁ ଜଣାପଡ଼ିଛି ଯେ ୪୫ ଲକ୍ଷ ଛାତ୍ରଙ୍କ ମଧ୍ୟରୁ କେବଳ ୦.୬% ଭାରତକୁ ପସନ୍ଦ କରନ୍ତି ।
ଶିକ୍ଷା ବ୍ୟବସ୍ଥାର ଗୁଣବତ୍ତା ବୃଦ୍ଧି ପାଇବା ଜରୁରୀ:
୨୦୨୪ ଟାଇମ୍ସ ଉଚ୍ଚଶିକ୍ଷା ବିଶ୍ବବିଦ୍ୟାଳୟ ରାଙ୍କିଂ ଅନୁଯାୟୀ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ବ୍ୟତୀତ ଭାରତର ଶ୍ରେଷ୍ଠ ୬୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ କେବଳ ୪ଟି ବିଶ୍ବବିଦ୍ୟାଳୟ ରହିଛି । ଯାହା ହେଉଛି ଆନ୍ନା ୟୁନିଭର୍ସିଟି, ଜାମିଆ ମିଲିଆ ଇସଲାମିଆ, ମହାତ୍ମା ଗାନ୍ଧୀ ବିଶ୍ବବିଦ୍ୟାଳୟ (କେରଳ) ଏବଂ ଶୁଲିନି ବିଶ୍ବବିଦ୍ୟାଳୟ । ଏଥର ୯୧ଟି ଭାରତୀୟ ବିଶ୍ବବିଦ୍ୟାଳୟ ରାଙ୍କିଂରେ ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ସେମାନେ ଏହି ତାଲିକାର ନିମ୍ନରେ ରହିଛନ୍ତି । ଗୁଣାତ୍ମକ ଦୃଷ୍ଟିକୋଣରୁ, ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥା ଅସନ୍ତୁଳିତ ରହିଛି ।
ସେହିଭଳି ଯେଉଁ ରାଜ୍ୟରେ ବହୁ ସଂଖ୍ୟକ କଲେଜ ଅଛି ସେମାନେ ଗୁଣବତ୍ତା ଶିକ୍ଷା ଯୋଗାଇବାରେ ଫେଲ ମାରିଛନ୍ତି । ଉଦାହରଣ ସ୍ବରୂପ, ଉତ୍ତରପ୍ରଦେଶରେ ଦେଶର ସର୍ବାଧିକ କଲେଜ ରହିଛି ଏହା ପଛକୁ ରହିଛି ମହାରାଷ୍ଟ୍ର ଓ କର୍ଣ୍ଣାଟକ । କିନ୍ତୁ ୟୁପିର ଗୋଟିଏ କଲେଜ ମଧ୍ୟ ଶ୍ରେଷ୍ଠ ୧୦୦ କଲେଜ ତାଲିକାରେ ନାହିଁ । ଏଥିରେ ମହାରାଷ୍ଟ୍ରର ୩ଟି କଲେଜ ଏବଂ କର୍ଣ୍ଣାଟକର ୨ଟି କଲେଜ ଅନ୍ତର୍ଭୁକ୍ତ । ବାସ୍ତବରେ, ୮୦%ରୁ ଅଧିକ ଉଚ୍ଚମାନର କଲେଜ ୩ଟି ରାଜ୍ୟ ତାମିଲନାଡୁ, ଦିଲ୍ଲୀ ଏବଂ କେରଳରେ ରହିଛି । ଗୁଣାତ୍ମକ ଶିକ୍ଷାର ସୁବିଧା ଦୃଷ୍ଟିରୁ ଏହା ସମଗ୍ର ଦେଶରେ ଶିକ୍ଷା ବ୍ୟବସ୍ଥାର ଅସମାନତାକୁ ପ୍ରତିଫଳିତ କରେ ।
ଶିକ୍ଷକଙ୍କ ବିନା ଉଚ୍ଚଶିକ୍ଷା ପ୍ରତିଷ୍ଠାନ (HEI): ୧୯୯୪ରେ ସ୍ଥାପିତ ହୋଇଥିବା ଜାତୀୟ ମୂଲ୍ୟାୟନ ଓ ଅଧିସ୍ବୀକୃତି ପରିଷଦ (ନାକ୍) ଭାରତରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନ (HEI)ର ମୂଲ୍ୟାଙ୍କନ ଓ ମାନ୍ୟତା ଦେବା ଲାଗି ଦାୟିତ୍ବ ନେଇଛି । ହେଲେ ଏଯାବତ ମାତ୍ର କିଛି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ (୫୬ହଜାରରୁ ଅଧିକ ପ୍ରତିଷ୍ଠାନ ମଧ୍ୟରୁ ମାତ୍ର ୩୦%) NAACର ମାନ୍ୟତା ପାଇଛନ୍ତି । ମାନ୍ୟତା ପ୍ରାପ୍ତ ପ୍ରତିଷ୍ଠାନ ମଧ୍ୟରୁ ୧୬୦୬ HEIକୁ ଗ୍ରେଡ 'ଏ' ଓ ଏହାଠୁ ଅଧିକ ମାନ୍ୟତା ମିଳିଛି । ସେପଟେ ପ୍ରତିଷ୍ଠାନଗୁଡ଼ିକ AICTE ଦ୍ବାରା ନିର୍ଦ୍ଧାରିତ 1:20 ଅଧ୍ୟାପକ-ଛାତ୍ର ଅନୁପାତକୁ ଅନୁସରଣ କରିବା ଜରୁରୀ । ଭାରତରେ ମାତ୍ର ୧୨ ପ୍ରତିଶତ ସଂସ୍ଥାନ ଏହି ଅନୁପାତକୁ ଅନୁସରଣ କରନ୍ତି ।
ସେପଟେ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଗି ନିଜ ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି । ଗତ କିଛି ବର୍ଷ ଧରି ରାଜ୍ୟର ବିଶ୍ବବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକଙ୍କ ପଦ ଖାଲି ପଡ଼ିଛି । ରାଜ୍ୟପାଳ ଏବଂ ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁ ରାଜ୍ୟ ସରକାରଙ୍କ ମଧ୍ୟରେ କୂଳପତି ଚୟନକୁ ନେଇ ଅନେକ ସମୟରେ ବିବାଦ ଉପଜୁଛି । ଯାହାକି ଶେଷ ହେବାର ନାଁ ଧରୁନାହିଁ । ଯାହାକି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପକାଉଛି । ଉପରୋକ୍ତ ସମସ୍ତ ତଥ୍ୟ ଓ ପରିସ୍ଥିତିକୁ ଦେଖିଲେ ଭାରତରେ ଗୁଣାତ୍ମକ ଉଚ୍ଚଶିକ୍ଷା ସ୍ବପ୍ନ ପରି ଲାଗୁଛି । ତେବେ ଶିକ୍ଷାକ୍ଷେତ୍ରରେ ସୁଧାର ଆଣିବାକୁ ହେଲେ ଏ ସମସ୍ତ ଦିଗରେ ତୁରନ୍ତ ଆଖିଦୃଶିଆ ପଦକ୍ଷେପ ନିହାତି ଆବଶ୍ୟକ ।
(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)