ଇନାଡୁ ସମ୍ପାଦକୀୟ
ହାଇଦ୍ରାବାଦ: କୌଣସି ଘଟଣା ସମ୍ପର୍କରେ ସଠିକ ତଥ୍ୟ ଉପସ୍ଥାପନା କରିବା ଗଣମାଧ୍ୟମର ଧର୍ମ । ସ୍ବାଧୀନ ଗଣମାଧ୍ୟମ ଯାହାକି ସରକାରୀ କାର୍ଯ୍ୟର ଭିତିରି କଥାକୁ ଲୋକଲୋଚନକୁ ଆଣେ । ଫଳରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ସମୃଦ୍ଧ ଗଣତନ୍ତ୍ରର ମେରୁଦଣ୍ଡ ଭାବେ ଛିଡ଼ା ହୋଇଥାଏ । ଏପ୍ରିଲରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ ଯେତେବେଳେ ସର୍ବୋଚ୍ଚ ନ୍ୟାୟାଳୟ ମାଲାୟାଲମ ନ୍ୟୁଜ୍ ଚ୍ୟାନେଲ୍ 'ମିଡିଆ ୱାନ୍' ଉପରୁ କେନ୍ଦ୍ରର ପ୍ରତିବନ୍ଧକକୁ ହଟାଇଥିଲେ ।
ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଶାସନକୁ ମନେ ପକାଇ ଦେଇଥିଲା ଯେ ଜାତୀୟ ସୁରକ୍ଷା ନାମରେ ମଧ୍ୟ ପର୍ଯ୍ୟାପ୍ତ ପ୍ରମାଣ ବିନା ଲୋକଙ୍କ ଅଧିକାରକୁ ଦଳିଚକଟି ଦିଆଯାଇପାରିବ ନାହିଁ । ପ୍ରକାଶ ଥାଉକି ସୁପ୍ରିମକୋର୍ଟଙ୍କ ଏହି ରାୟ ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇଥିବା ସତ୍ତ୍ବେ ଆଜି ବି ଗଣମାଧ୍ୟମର ସ୍ବାଧୀନତା ଉପରେ ଚାପ ପଡୁଛି । ଗତ ମଙ୍ଗଳବାର ଅନଲାଇନ ନ୍ୟୁଜ ପୋର୍ଟାଲ୍ 'NewsClick'ର କାର୍ଯ୍ୟାଳୟ ଏବଂ ଏହାର ଉତ୍ସର୍ଗୀକୃତ ସାମ୍ବାଦିକଙ୍କ ବାସଭବନ ଉପରେ ଦିଲ୍ଲୀର ସ୍ବତନ୍ତ୍ର ପୋଲିସ ୟୁନିଟ୍ ଦ୍ବାରା ଅନୁସନ୍ଧାନ କରାଯାଇଥିଲା ।
ଏହାପରେ ପୋଲିସ 'ନ୍ୟୁଜ୍ କ୍ଲିକ୍'ର ସମ୍ପାଦକ 76 ବର୍ଷୀୟ ପ୍ରବୀର ପୁରକାୟାସ୍ଥ୍ୟ ଏବଂ ସଂସ୍ଥାର ମାନବ ସମ୍ବଳର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା, ଯିଏକି ଜଣେ ଭିନ୍ନକ୍ଷମ । 2009 ମସିହାରୁ ସାମ୍ବାଦିକତାର ମୂଳଦୁଆ ପାଲଟିଥିବା ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟାଳୟରେ ବାଧ୍ୟତାମୂଳକ ଭାବେ ତାଲା ପକାଯାଇଥିଲା । ଏହାସହ ନିୟମକୁ ଅବମାନନା କରି ପୋଲିସ ଦ୍ବାରା ବହୁ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ କରାଯାଇଥିଲା । ଏହି ସଂସ୍ଥା ବିଭିନ୍ନ ଗମ୍ଭୀର ପ୍ରସଙ୍ଗ ଉପରେ କ୍ରମାଗତ ଭାବେ ଖବର ପ୍ରସାରଣ କରିଆସୁଥିଲା, ଯାହାକି ପ୍ରଶାସନକୁ ଅଡୁଆରେ ପକାଇଥିଲା । ଏଥିରେ ଚାଷୀକୂଳ ଲାଗି ବିପଦ କୃଷି ଆଇନ ବିରୋଧରେ ବ୍ୟାପକ କଭରେଜ୍ ଅନ୍ତର୍ଭୁକ୍ତ ଥିଲା ।
ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ କହିବା ଅନୁସାରେ ଯଦି ଗଣମାଧ୍ୟମକୁ ନିୟନ୍ତ୍ରଣ କରାଯାଏ ତେବେ ସତ୍ୟ ପଦାକୁ ଆସିପାରିନଥାଏ ଏବଂ ଗଣତନ୍ତ୍ରର କଣ୍ଠରୋଧ କରାଯାଏ । 'ନ୍ୟୁଜ୍ କ୍ଲିକ୍'ର ପରିଚାଳନା ଏବଂ କର୍ମଚାରୀଙ୍କ ବିରୋଧରେ ଦିଲ୍ଲୀ ପୋଲିସର ଅବିରତ କାର୍ଯ୍ୟାନୁଷ୍ଠାନ ସାମ୍ବାଦିକଙ୍କ ମୂଳ ସ୍ବାଧୀନତା ଉପରେ ଆକ୍ରମଣ । 'ନ୍ୟୁଜ୍ କ୍ଲିକ୍' ବିରୋଧରେ ଏବେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ନୂଆ ନୁହେଁ, ପୂର୍ବରୁ ମଧ୍ୟ ଅଫିସ ଉପରେ ରେଡ ହୋଇଛି । ଦୁଇ ବର୍ଷ ପୂର୍ବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ଆୟକର ବିଭାଗ ଏବଂ ଦିଲ୍ଲୀ ପୋଲିସର ଆର୍ଥିକ ଅଫେନ୍ସ ୱିଙ୍ଗ ଅର୍ଥ ହେରଫେର ସନ୍ଦେହରେ 'ନ୍ୟୁଜ୍ କ୍ଲିକ୍' କର୍ମଚାରୀଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ରେଡ କରିଥିଲା ।
ଏହି ଚଢାଉ ସମୟରେ କାର୍ଯ୍ୟାଳୟ ଓ ଏହି ସଂସ୍ଥାରେ କାର୍ଯ୍ୟରତ ସାମ୍ବାଦିକ ବାସଭବନରୁ ଲ୍ୟାପଟପ୍, ଫୋନ ଜବତ କରାଯାଇଥିଲା । ଏହାସହିତ କମ୍ପାନୀର ଆର୍ଥିକ ଟ୍ରାନ୍ଞ୍ଜାକ୍ସନର ମଧ୍ୟ ତନାଘନା କରାଯାଇଥିଲା । ଏସବୁ ସତ୍ତ୍ବେ 'ନ୍ୟୁଜ୍ କ୍ଲିକ୍'ସରଳତାର ସହ ସବୁକିଛି ସାମ୍ନା କରିଥିଲା । ପରବର୍ତ୍ତୀ ସମୟରେ ଏହି ତଦନ୍ତକାରୀ ସଂସ୍ଥାଗୁଡ଼ିକ ଉପଯୁକ୍ତ ପ୍ରମାଣପତ୍ର ସଂଗ୍ରହ କରିବାରେ ବିଫଳ ହୋଇଥିଲେ । ଏହାପରେ ସରକାର ସମାଲୋଚନାକୁ ଦେଶଦ୍ରୋହ ତଥା ଜାତୀୟ ବିରୋଧୀ ପ୍ରଚାର ଭାବେ ଦର୍ଶାଇ ଏହି ସଂସ୍ଥାର କଣ୍ଠରୋଧ କରିବାକୁ ଚେଷ୍ଟା କରିଥିଲେ ସରକାର ।
2021 ମସିହାରେ ଦିଲ୍ଲୀ ହାଇକୋର୍ଟ 'ନ୍ୟୁଜ୍ କ୍ଲିକ୍' ସମେତ ଏହାର ସମ୍ପାଦକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ତ୍ବେ ସରକାର ସଂସ୍ଥାର ପିଛା ଛାଡ଼ିନଥିଲେ। ସଂସ୍ଥା ଭାରତରେ ଚୀନ ସମର୍ଥକ କାର୍ଯ୍ୟକଳାପ ପାଇଁ ଚୀନଠାରୁ ପାଣ୍ଠି ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଅଗଷ୍ଟରେ ଦିଲ୍ଲୀ ପୋଲିସ 'ନ୍ୟୁଜ୍ କ୍ଲିକ୍' ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଆଧାରରେ ମାମଲା ରୁଜୁ କରିଥିଲା ।
ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ ଉପରେ ଏପରି ଚାପ ପ୍ରୟୋଗକୁ ଦେଖି ଏକାଠି ହୋଇଥିଲେ ବିଭିନ୍ନ ସାମ୍ବାଦିକ ଆସୋସିଏସନ । ଏନେଇ ଭାରତର ପ୍ରଧାନ ବିଚାରପତି (CJI)ଙ୍କ ନିକଟରେ ଏକ ଆବେଦନ ଦାଖଲ କରିଥିଲେ । ସରକାର କିଭଳି ତଦନ୍ତକାରୀ ଏଜେନ୍ସିକୁ ଅସ୍ତ୍ର ଭାବରେ ବ୍ୟବହାର କରି ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚାହୁଁଛନ୍ତି ସେ ନେଇ ଏଥିରେ ଦର୍ଶାଯାଇଥିଲା । ପ୍ରେସ ପ୍ରତି ସରକାରଙ୍କ ଏଭଳି ଆଭିମୁଖ୍ୟ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଥିଲା । ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ, 'ଗଣମାଧ୍ୟମର ସ୍ବାଧୀନତାକୁ ପ୍ରକୃତରେ ସେତେବେଳେ ସମ୍ମାନ ମିଳିବ ଯେତେବେଳେ ଗଣମାଧ୍ୟମ କୌଣସି ବିଷୟରେ କଡ଼ା ଭାଷା ପ୍ରୟୋଗ କରି ଦୃଢ ମନ୍ତବ୍ୟ ଦେଇପାରିବ ।' ଯାହାକି ଏବେ ଦେଖିବାକୁ ମିଳୁନାହିଁ ।
ଆନ୍ଧ୍ରପ୍ରଦେଶରେ ଜଗନ ମୋହନ ରେଡ୍ଡିଙ୍କ ନେତୃତ୍ବାଧୀନ ସରକାର 2ଟି ଗଣମାଧ୍ୟମ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆଣିଛନ୍ତି । ଯେଉଁ ଗଣମାଧ୍ୟମ ପ୍ରତିନିଧି ବା ସାମ୍ବାଦିକମାନେ ସାହସିକତାର ସହ ସତ୍ୟକୁ ଲୋକଲୋଚନକୁ ଆଣୁଛନ୍ତି, ସେମାନଙ୍କୁ ଟାର୍ଗେଟ କରାଯାଉଛି । ଆଶ୍ଚର୍ଯ୍ୟର କଥା ହେଉଛି, 2014 ରୁ 2019 ପର୍ଯ୍ୟନ୍ତ ସାରା ଦେଶରେ 200ରୁ ଅଧିକ ସାମ୍ବାଦିକ ଭୟଙ୍କର ଆକ୍ରମଣର ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 40 ଜଣଙ୍କ ଜୀବନ ମଧ୍ୟ ଯାଇଛି ।
ସରକାର ନିଜ କ୍ଷମତାର ଅପବ୍ୟବହାର କରି ସମାଲୋଚନାର ଶିକାର ହେଉଥିବା ଗଣମାଧ୍ୟମ ସଂସ୍ଥାର କଣ୍ଠରୋଧ କରୁଛନ୍ତି । ଏଥିଲାଗି ଗ୍ଲୋାବଲ ପ୍ରେସ ଫ୍ରିଡମ ଇଣ୍ଡେକ୍ସ ବା ବିଶ୍ବ ପ୍ରେସ୍ ସ୍ବାଧୀନତା ସୂଚକାଙ୍କରେ ଭାରତ ନିମ୍ନଗାମୀ ହୋଇଚାଲିଛି । 2016 ଏହି ତାଲିକାରେ ଭାରତ 180ଟି ଦେଶ ମଧ୍ୟରୁ 133ତମ ସ୍ଥାନରେ ଥିବା ବେଳେ ପରବର୍ତ୍ତୀ ସମୟରେ 150ତମ ସ୍ଥାନ ଓ ଏବେ161 ନଂ ସ୍ଥାନରେ ରହିଛି । ଅନ୍ୟପଟେ ନରୱେ, ଆୟରଲ୍ୟାଣ୍ଡ, ଡେନମାର୍କ, ସ୍ବିଡେନ, ଫିନଲ୍ୟାଣ୍ଡ ପ୍ରଭୃତି ଦେଶଗୁଡିକ ସ୍ବାଧୀନ ସାମ୍ବାଦିକତାକୁ ପ୍ରୋତ୍ସାହିତ କରୁଥିବା ବେଳେ ଏକ ମୁକ୍ତ ପ୍ରେସର ନୀତିକୁ ସମର୍ଥନ କରିଆସୁଛନ୍ତି ।
ସାମ୍ବାଦିକଙ୍କ ଉପରେ ନିରନ୍ତର ଆକ୍ରମଣ ଓ ସେମାନଙ୍କ ନିର୍ଭୀକ ସ୍ବରକୁ ଦାବିବାକୁ ଉଦ୍ୟମ କରିବା ଭାରତରେ ଆରମ୍ଭ ହୋଇଛି । ଏହିପରି ଧାରା କେବଳ ସାମ୍ବାଦିକତାର ସ୍ବାଧୀନତାକୁ ଉଲ୍ଲଘଂନ କରେ ନାହିଁ ବରଂ ସରକାରଙ୍କ ଏକଛତ୍ରବାଦକୁ ଇନ୍ଧନ ଯୋଗାଇଥାଏ । ପରିଶେଷରେ ଜନତାଙ୍କ ସୁସ୍ଥ ଜୀବନଶୈଳୀ ଉପରେ ଗଭୀର ପ୍ରଭାବ ପକାଇଥାଏ ।