ମୟୂରଭଞ୍ଜ: ପବିତ୍ର ରମଜାନ ମାସ ଚାଲିଥିବା ସମୟରେ ମୋରଡା ଥାନା ଅଧିନସ୍ଥ ବଳଦିଆ ଗ୍ରାମରୁ ଆସିଛି ଏକ ଦୁଖଃଦ ଖବର । ସେକ୍ ଅକ୍ତରଙ୍କ ସ୍ତ୍ରୀ ଅମିନା ବିବି ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଘରେ ଥିବା ଏକ କାଠରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି ଅମିନା ବିବି । ଏହି ଘଟଣା ପରେ ଅମିନା ବିବିଙ୍କ ବାପା ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।
ପାରିପାର୍ଶ୍ବିକ ଅବସ୍ଥିତିରୁ ଅନୁମାନ ଲଗାଇ ଅମିନା ବିବିଙ୍କ ପିତା ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଅଣିଛନ୍ତି । ସୂଚନା ଯେ ଅମିନା ବିବି ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଦଉଡି ତାଙ୍କ ବେକ ଓ କାଠରୁ ଖସାଇ ଆଣିଥିଲେ ପରିବାର ଲୋକମାନେ । ଯାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି ।
ମୋରଡା ପୋଲିସ ଓ ସାଇଣ୍ଟିଫିକ୍ ଟିମ ଓ ସ୍ଥାନୀୟ ତହସିଲଦାର ଉପସ୍ଥିତିରେ ତଦନ୍ତ ଆରମ୍ଭ କରିଛି । ତେବେ ବେକରେ କିଛି ଚିହ୍ନ ନଥିବା ଦେଖାଯାଇଛି । ଅନ୍ୟପକ୍ଷରେ ବାପା ସେକ୍ ଜୁଲଫିକାର ଅଲ୍ଲୀଙ୍କ ଝିଅ ଅମିନାଙ୍କ ୩ ବର୍ଷ ପୂର୍ବରୁ ବଳଦିଆ ଗ୍ରାମର ସେକ୍ ଖଲିଲଙ୍କ ପୁଅ ସେଖ୍ ଅଖତାରଙ୍କ ସହ ବିବାହ ହୋଇଥିଲା । ତାଙ୍କର ୨ ବର୍ଷ ଝିଅ ମଧ୍ୟ ଅଛି ।
ପାରିବାରିକ ଗଣ୍ଡଗୋଳରୁ ଏହି ଘଟଣା ଘଟିଥିବା କହୁଛନ୍ତି ଗ୍ରାମବାସୀ । ସାଇଣ୍ଟିଫିକ୍ ଟିମର ତଦନ୍ତ ଓ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ । ତେବେ ପୋଲିସ ସେକ୍ ଅଖତାରଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ମୟୂରଭଞ୍ଜରି ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ