ଭୁବନେଶ୍ବର: ନିଆରା ଆମ ସମ୍ବିଧାନ, ଯାହା କୁହେ "ଜଣେ ଦୋଷୀ ଖସିଯାଇପାରେ, ମାତ୍ର ଜଣେ ନିର୍ଦ୍ଦୋଶ ଦଣ୍ଡିତ ନହେଉ ।" ନ୍ୟାୟ ଅପେକ୍ଷାରେ କେଉଁଠି ପୀଡିତାର ବର୍ଷ ବର୍ଷର ପ୍ରତୀକ୍ଷା ପର୍ଯ୍ୟାପ୍ତ ହୁଏନି, ତ ଜୀବନ କାହାଣୀ ଶେଷ ହୋଇଯାଏ ତ, ଆଉ କେଉଁଠି କୋର୍ଟର ନାଲିକୋଠାର ଚାରିପାଖେ ଚକ୍କର କାଟୁଥାଏ ପୀଡିତା ପରିବାର । ଆଖି ଲୁହ ଆଖିରେ ସୁଖିଯାଏ । ଅନ୍ୟପଟେ ଆଇନର ଗଳାବାଟ, ତଦନ୍ତରେ ବିଳମ୍ବ ତଥା ରାଜନୈତିକ ଚାପ ଘଟଣାକୁ ଦିଏ ଭିନ୍ନ ରୂପ । ଫଳରେ ପ୍ରମାଣ ଅଭାବରୁ ଅଭିଯୁକ୍ତ ହୋଇଯାଏ ନିର୍ଦ୍ଦୋଶରେ ଖଲାସ । ଅପରପକ୍ଷରେ ଅଭିଯୁକ୍ତ ଭାବେ ଦର୍ଶାଯାଇ ଦୀର୍ଘବର୍ଷ ଜେଲର ବନ୍ଦ କୋଠରୀରେ ରହିବା ପରେ କୋର୍ଟ ନିର୍ଦୋଶରେ ଖଲାସ ମଣିଷଙ୍କ ଜୀବନର ମୂଲ୍ୟବାନ ସମୟ ଜେଲରେ ଅକାରଣରେ କଟିଲା, ସେଥିପାଇଁ ଦାୟି କିଏ ?
ଓଡିଶା ଇତିହାସରେ ଏମିତି ଅଗଣିତ କାହାଣୀ ରହିଛି, ଯେଉଁଠି ନା ପୀଡିତାଙ୍କୁ ନ୍ୟାୟ ମିଳିଛି ନା ଅଭିଯୁକ୍ତଙ୍କୁ ।
ବହୁ ଚର୍ଚ୍ଚିତ ପୁରୀ ଜିଲ୍ଲା ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଏବେବି ତାଜା ରହିଛି । ପାଉଁଶ ତଳର ନିଆଁ ଭଳି ଏବେବି କୁହୁଳୁଛି । ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟ ଉପଯୁକ୍ତ ପ୍ରମାଣ ଅଭାବରୁ ଅଭିଯୁକ୍ତ ଦର୍ଶାଯାଇଥିବା ଦୁଇ ଭାଇ ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ଖଲାସ କରିଛନ୍ତି । ବିନା କାରଣରେ ଜେଲରେ 6ବର୍ଷ ରହିବା ପାଇଁ କିଏ ଦାୟୀ ବୋଲି କେସ ଲଢୁଥିବା ଆଇନଜୀବୀ ପ୍ରଶ୍ନ କରିଛନ୍ତି । ପୀଡିତା ସାପ କାମୁଡା କିମ୍ବା ବିଷପାନ ଯୋଗୁଁ ଅସୁସ୍ଥ ପରେ କୋମାକୁ ଚାଲିଯାଇଥିବା ଓକିଲଙ୍କ ଅଜବ ଯୁକ୍ତି ଥିଲା । ଦୁର୍ଷ୍କର୍ମ ଅଭିଯୋଗ ମିଥ୍ୟା ଥିଲା ବୋଲି ମଧ୍ୟ କହିଛନ୍ତି ଓକିଲ । ଅନ୍ୟପଟେ ଏହି ରାୟକୁ ପୀଡିତାଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିବା ଜଣାପଡିଛି ।
ନଜର ପକାନ୍ତୁ ଘଟଣାକ୍ରମ ଉପରେ....
ବର୍ଷ ୨୦୧୧, ନଭେମ୍ବର ୨୯ରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା । ପିପିଲି ଥାନା ଅର୍ଜୁନଗୋଦା ଗାଁର ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମର ଅଭିଯୋଗ ହୋଇଥିଲା । ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ ପୀଡିତାଙ୍କୁ ପିପିଲି ହସ୍ପିଟାଲରେ ଭତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ମଧ୍ୟ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ଡାକ୍ତରୀ ଟିମ ଏସସିବି ମେଡିକାଲ କଟକକୁ ପଠାଇ ଦେଇଥିଲେ । ଦୀର୍ଘ ଦିନ ଧରି ଏସସିବିରେ ଚିକିତ୍ସା ପରେ ପୀଡିତା କୋମାକୁ ଚାଲିଯାଇଥିଲେ । ପରେ ସେ କାଳ ଓ ଅଶୁଭ ଦିନ ଆସିଯାଇଥିଲା । ଯେଉଁଦିନ ଥିଲା ୨୧ ଜୁନ୍, ୨୦୧୨ । କୋମାରେ ଚିକିତ୍ସିତ ଅବସ୍ଥାରେ ଆଖିବୁଜିଦେଲେ ୧୯ ବର୍ଷୀୟା ଯୁବତୀ ଜଣଙ୍କ ।
ଏହି ଘଟଣା ସଭ୍ୟ ସମାଜ ପାଇଁ ସମ୍ମାନ ଓ ନ୍ୟାୟର ପ୍ରଶ୍ନ ଥିଲା । ରାଜନୈତିକ, ପ୍ରଶାସନିକ, ସାମାଜିକ ତଥା ନ୍ୟାୟିକ ବ୍ୟବସ୍ଥାରେ ସମସ୍ତଙ୍କୁ ଉତ୍ତରଦାୟୀ କରିଥିଲା । ଘଟଣାକ୍ରମକୁ ପରକ୍ଷିବା ପରେ କେହି ବି ସମ୍ବେଦନଶୀଳ ବ୍ୟକ୍ତି ପ୍ରତିକ୍ରିୟା ପ୍ରକାଶ କରିବା ସ୍ବାଭାବିକ । ଠିକ୍ ସେମିତି ହିଁ ହୋଇଥିଲା । ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା । ଗଣମାଧ୍ୟମରେ ଚର୍ଚ୍ଚିତ ଶିରୋନାମା ପାଲଟିଥିଲା । ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ଏହି ଘଟଣା । ବିରୋଧୀ ପୀଡିତାକୁ ନ୍ୟାୟ ଦାବି କରୁଥିଲେ । ଶାସକ, ଆଇନ ତା ବାଟରେ ଯିବ କହି ଦୃଢୋକ୍ତି କରୁଥିଲେ । ମହିଳା କମିଶନ, ରାଜ୍ୟ ତଥା କେନ୍ଦ୍ର ଅନୂସୂଚିତ ଜାତି ଓ ଜନଜାତି କମିଶନ ଘଟଣାରେ ଉଦବେଗ ପ୍ରକାଶ କରିଥିଲେ । ଘଟଣାକୁ ନେଇ ରାଜ୍ୟ ବିଧାନସଭା ହୁଲସ୍ତୁଲ ହୋଇଥିଲା ।
ପିପିଲି ଥାନା ପୋଲିସ ଏହି ଘଟଣାରେ ପ୍ରଥମ ମାମଲା ରୁଜୁ କରିବାକୁ ମନା କରିଦେବା ପରେ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହୋଇଥିଲା । 9 ଜାନୁଆରୀ 2012ରେ ପିପିଲି ଥାନାରେ ଦୁର୍ଷ୍କର୍ମ ଓ ହତ୍ୟା ଏତାଲା ଦାୟର ହୋଇଥିଲା । ପିପିଲି ଥାନା ପୋଲିସ ଏହି ଘଟଣାରେ ପ୍ରଥମ ମାମଲା ରୁଜୁ କରିବାକୁ ମନା କରିଦେବା ପରେ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହୋଇଥିଲା । ପିପିଲି ଥାନାର ତତ୍କାଳୀନ ଆଇଆଇସି ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଚାକିରୀରୁ ବହିଷ୍କାର କରାଯାଇଥିଲା । ପରେ ରାଜ୍ୟ ସରକାର ଘଟଣାର ତଦନ୍ତ ଭାର ପିପିଲି ଥାନା ବଦଳରେ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ।
ଗ୍ରାମବାସୀ, ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର, ଟେକ୍ନିକାଲ ଡାକ୍ତରଙ୍କ ସମେତ ପ୍ରାୟ 100 ଜଣ ସାକ୍ଷୀ ରହିଥିଲେ । ଟ୍ରାଏଲ ପ୍ରୋସେସ୍ ପରେ ଭାରତୀୟ ପିଙ୍ଗଳ କୋର୍ଟର ଧାରା, 302, 354 ଓ ଏସଏସଟି ଆକ୍ଟ ଭଳି ସଙ୍ଗୀନ ଦଫାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିଥିଲା ।
ସଂପର୍କରେ ଦୁଇ ଭାଇ କୁହାଯାଉଥିବା ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନ ନାମକ ଦୁଇ ଯୁବକଙ୍କୁ ଗିରଫ ମଧ୍ୟ କରାଗଲା । ପୁରୀ କୋର୍ଟରେ ଚାଲିଲା ନ୍ୟାୟିକ ଲଢେଇ । ପରେ ରାଜ୍ୟ ସରକାର ଘଟଣାର ଗୁରୁତ୍ବକୁ ଦେଖି ଭୁବନେଶ୍ବର କୋର୍ଟକୁ ସ୍ଥାନାନ୍ତର କଲେ ।
ମାମଲାର ନିରପେକ୍ଷ ତଦନ୍ତ ପାଇଁ ଜଷ୍ଟିସ ପିକେ ମହାନ୍ତି କମିଶନ ଗଠନ ହୋଇଥିଲା । ଏହି କମିଶନ ୩୦ମାର୍ଚ୍ଚ ୨୦୧୬ରେ ୪୦୦ ପୃଷ୍ଠା ବିଶିଷ୍ଟ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ଏହି ରିପୋର୍ଟର ତଥ୍ୟକୁ ସାର୍ବଜନୀନ କରିବା ପାଇଁ ବିରୋଧୀ ଦଳ ଗୁଡ଼ିକ ପକ୍ଷରୁ ଦାବି କରାଯାଇଥିଲା ।
ଅନ୍ୟପଟେ ଚାକିରୀରୁ ବହିଷ୍କାର ନିଷ୍ପତି ବିରୋଧରେ ତତ୍କାଳୀନ ପିପିଲି ଥାନାର ଆଇଆଇସି ଅମୂଲ୍ୟ ଚମ୍ପତ୍ତିରାୟ ସ୍ୟାଟ୍ରେ ଆବେଦନ କରିଥିଲେ । ସ୍ୟାଟ୍ ଏବଂ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ ପୁଣିଥରେ ଚାକିରୀରେ ଅବସ୍ଥାପିତ କରାଯାଇଥିଲା ।
ଏ ଥିଲା ଘଟଣାକ୍ରମ....
ଚାକିରୀ ଯାଇଥିବା ପୋଲିସ ଅଧିକାରୀଙ୍କ ପଦ ସେ ପୁଣି ଫେରିପାଇଛନ୍ତି । ଅଭିଯୁକ୍ତ ଦର୍ଶାଯାଇଥିବା ମଣିଷ ମାନେ ନିର୍ଦ୍ଦୋଶରେ ଖଲାସ ହୋଇସାରିଛନ୍ତି । ବିରୋଧୀ ଦଳର ମହିଳା ସଂଗଠନ ଗୁଡିକ ନିଜ କର୍ତ୍ତବ୍ୟ ଶେଷ କରିଦେଇଛନ୍ତି । ଶାସକ ମଧ୍ୟ ମାପିଚୁପି ପ୍ରତିକ୍ରିୟା ରଖିବା ସହ, ନ୍ୟାୟିକ ବ୍ୟବସ୍ଥାର ପ୍ରଶ୍ନ ପଚାରୁଥିବା ନାଲି ଫିତା ଗୁଡା ଫାଇଲ୍ କୁ ବି ସୁରକ୍ଷିତ କରିସାରିଛନ୍ତି ।
ମାତ୍ର କଣ ମିଳିଛି ପୀଡିତାଙ୍କୁ.....! କଣ ଭୁଲ ଥିଲା ତାଙ୍କର....! କଣ ଭୁଲ ଥିଲା ପୀଡିତାଙ୍କ ନୀରିହ ପରିବାରର । ନ୍ୟାୟିକ ଲଢେଇର ଲୁଚକାଳିରେ କଣ ପିପିଲି ପୀଡିତାଙ୍କୁ ନ୍ୟାୟ ମିଳିଛି..! ଯଦି ମିଳିଛି ତେବେ ନ୍ୟାୟର ପରିଭାଷା କଣ...??? ଯଦି ମିଳିନି ପୀଡ଼ିତାଙ୍କର ପ୍ରଶ୍ନ କେବେ ମିଳିବ ନ୍ୟାୟ...??
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ