ଭବାନୀପାଟଣା:ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ନର୍ଲା ଜୋନ ଅଗ୍ନିଶମ ଅଧିକାରୀ ଅନୁପମ ବାଗ । ଲାଞ୍ଚ ନେବା ସମୟରେ ଧରିଲା ଭିଜିଲାନ୍ସ । ପଚରାଉଚରା ପରେ ଗିରଫ କରି କୋର୍ଟଚାଲାଣ କରିଛି ଭିଜିଲାନ୍ସ ।
ସୂଚନା ଅନୁଯାୟୀ, ଛତିକୁଡା ଗାଁର ବରୁଣ କୁମାର ସାହୁଙ୍କ ଚାରି ଚକିଆ ଗାଡି କିଛିଦିନ ତଳେ ଜଳି ଯାଇଥିଲା। ଖବର ପାଇ ନର୍ଲା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ଅଭିଯୋଗକାରୀ ବରୁଣ ସାହୁ ଗାଡିର ବୀମା ପାଇବା ବାବଦକୁ ଆବଶ୍ୟକ ଫାୟାର ସାର୍ଟିଫିକେଟ ପାଇଁ ଫାୟାର ଅଫିସର ଅନୁପମ ବାଗକୁ ଯୋଗାଯୋଗ କରିଥିଲେ ।
ତେବେ ସାର୍ଟିଫିକେଟ ଦେବାକୁ ସେ 4 ହଜାର ଟଙ୍କା ଦାବି କରିଥିଲେ । ଏନେଇ ବରୁଣ ଭିଜିଲାନ୍ସ ବିଭାଗ ଦ୍ବାରସ୍ଥ ହୋଇଥିଲେ । ପରେ ଭିଜିଲାନ୍ସ ଅଧିକାରୀଙ୍କ ପରାମର୍ଶ କ୍ରମେ ସେ ଉକ୍ତ ଅଫିସରଙ୍କୁ 4 ହଜାର ଟଙ୍କା ଦେଇଥିଲେ । ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଫାୟାର ଅଫିସର ଅନୁପମ ବାଗଙ୍କୁ ଧରିଥିଲେ । ଏହାସହ କେମିକାଲ ବୋଳା ନଗଦ ଚାରି ହଜାର ଟଙ୍କା ଜବତ କରିଥିଲେ । ପରେ ତାଙ୍କ କାର୍ଯ୍ୟାଳୟ ସମେତ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ