ୱାସିଂଟନ: ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିଜେପି ନେତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଘନଉଛି ବିବାଦ । ଇସଲାମିକ ରାଷ୍ଟ୍ରଗୁଡିକ ଏହାକୁ ତୀବ୍ର ନିନ୍ଦା କରୁଥିବା ବେଳେ ଏହି ପ୍ରସଙ୍ଗ ଜାତିସଂଘରେ ପହଞ୍ଚିଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ(Antonio Guterres) ଜଣେ ମୁଖପାତ୍ର କହିଛନ୍ତି, ''ଆମେ ପ୍ରତ୍ୟେକ ଧର୍ମ ପ୍ରତି ସମ୍ମାନ ଓ ସହନଶୀଳତାକୁ ଦୃଢ ଭାବରେ ପ୍ରୋତ୍ସାହିତ କରୁଛୁ ।'' ବିଜେପିର ପୂର୍ବତନ ମୁଖପାତ୍ର ନୁପୂର ଶର୍ମା ଏବଂ ଦିଲ୍ଲୀ ବିଜେପିର ମିଡିଆ ମୁଖ୍ୟ ନବୀନ ଜିନ୍ଦଲଙ୍କ ଆପତ୍ତିଜନକ ମନ୍ତବ୍ୟକୁ ଇସଲାମିକ ରାଷ୍ଟ୍ର ନିନ୍ଦା କରିବା ନେଇ ଜଣେ ପାକିସ୍ତାନୀ ସାମ୍ବାଦିକ ଜାତିସଂଘକୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ଜାତିସଂଘ ମୁଖ୍ୟଙ୍କ ମୁଖପାତ୍ର ଏପରି କହିଛନ୍ତି ।
ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଷ୍ଟେଫେନ ଡୁଜାରିକ(Stephane Dujarric) କହିଛନ୍ତି, ''ମୁଁ ଏହି ସଂକ୍ରାନ୍ତୀୟ ଖବର ଦେଖିଛି । ମୁଁ ନିଜେ ଏହି ମନ୍ତବ୍ୟ ଶୁଣିନାହିଁ । କିନ୍ତୁ ମୁଁ କହିପାରିବି ଯେ ଆମେ ସମସ୍ତ ଧର୍ମ ପ୍ରତି ସମ୍ମାନ ଓ ସହନଶୀଳତାକୁ ପ୍ରୋତ୍ସାହିତ କରୁଛୁ ।'' ଉଲ୍ଲେଖଯୋଗ୍ୟ, ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ଦୁଇ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ ପରେ ଇସଲାମିକ ଦେଶଗୁଡିକରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ପ୍ରଥମେ କୁଏତ, କତାର, ଓମାନ ଏବଂ ଇରାନ ଏହାକୁ ନିନ୍ଦା କରିଥିବା ବେଳେ ସୋମବାର ସାଉଦି ଆରବ, ବାହାରିନ, ୟୁଏଇ, ଜର୍ଡାନ, ଆଫଗାନିସ୍ତାନ, ମାଳଦ୍ବୀପ ଓ ଇଣ୍ଡୋନେସିଆ ମଧ୍ୟ ଏହି ଘଟଣାରେ କ୍ଷୁବ୍ଧ ହୋଇଛନ୍ତି । ଏପରିକି ଆରବ ରାଷ୍ଟ୍ରମାନଙ୍କରେ ଭାରତୀୟ ସାମଗ୍ରୀ ବର୍ଜନ ପାଇଁ ଅଭିଯାନ ମଧ୍ୟ ଚାଲିଛି । ଯାହା ଭାରତ ପାଇଁ ଖୁବ୍ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।
ଏହାମଧ୍ୟ ପଢନ୍ତୁ:ସଂଖ୍ୟାଲଘୁଙ୍କ ବିରୋଧୀ ମନ୍ତବ୍ୟ ପ୍ରସଙ୍ଗ: କୁଏତ, କତାରର ସମନ ପରେ ସ୍ପଷ୍ଟୀକରଣ ରଖିଲା ଭାରତ
ଅନ୍ୟପଟେ ଏପରି ମନ୍ତବ୍ୟ ଦେଇଥିବା ନୁପୂର ଶର୍ମା ଓ ନବୀନ ଜିନ୍ଦଲଙ୍କୁ ଭାରତୀୟ ଜନତା ପାର୍ଟି ମଧ୍ୟ ଦଳର ସଦସ୍ୟତାରୁ ନିଲମ୍ବିତ କରିଛି । ଏକ ଟିଭି କାର୍ଯ୍ୟକ୍ରମରେ ବର୍ତ୍ତମାନ ଦେଶରେ ଜାରି ରହିଥିବା ଜ୍ଞାନବ୍ୟାପୀ ମସଜିଦ ବିବାଦରେ ସଂଖ୍ୟାଲଘୁଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ନୁପୂର । ନବୀନ ଜିନ୍ଦଲ ମଧ୍ୟ ସମାନ ପ୍ରସଙ୍ଗରେ ବିବାଦୀୟ ପୋଷ୍ଟ କରି ଅଡୁଆରେ ଥିଲେ । ସେହିପରି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଭାରତ ପକ୍ଷରୁ ଉଦ୍ୟମ ଚାଲିଛି । ବୈଦେଶିକ ବିଭାଗ ମଧ୍ୟ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି । ବିଭାଗର ମୁଖପାତ୍ର ଅରିନ୍ଦମ ବାଗ୍ଚୀ କହିଛନ୍ତି, ''ଭାରତ ସରକାର ଆପତ୍ତିଜନକ ମନ୍ତବ୍ୟଙ୍କୁ ସମର୍ଥନ କରୁନାହାନ୍ତି । ଯେଉଁମାନେ ଏପରି ମନ୍ତବ୍ୟ ଦେଇଥିଲେ ସେମାନଙ୍କ ବିରୁଦ୍ଧରେ ଦଳ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।''