କଲମ୍ବୋ: ଗମ୍ଭୀର ଆର୍ଥିକ ସଙ୍କଟ ସହ ଯୁଝୁଛି ଶ୍ରୀଲଙ୍କା । ଋଣଭାରରେ ବୁଡି ରହିଛି ଦ୍ବୀପଦେଶ । ଖାଦ୍ୟପଦାର୍ଥ ସାଙ୍ଗକୁ ଇନ୍ଧନ ଅଭାବ ଲୋକଙ୍କ ଦୁର୍ଦ୍ଦଶା ବଢାଇଛି । ଅର୍ଥନୈତିକ ସଙ୍କଟ ମଧ୍ୟରେ ଇନ୍ଧନ ପାଇଁ ହନ୍ତସନ୍ତ ହେଉଥିବାରୁ ଶ୍ରୀଲଙ୍କା ଋଷିଆଠାରୁ ଅଧିକ ତେଲ କିଣିବାକୁ ବାଧ୍ୟ ହୋଇପାରେ ବୋଲି କହିଛନ୍ତି ଦେଶର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ । ସେ କହିଛନ୍ତି ଯେ, ''ଆମେ ଅନ୍ୟ ଉତ୍ସଗୁଡିକରୁ ତେଲ ଆମଦାନୀ ଉପରେ ପ୍ରାଥମିକତା ଦେବୁ, କିନ୍ତୁ ଋଷିଆ ଠାରୁ ମଧ୍ୟ ତେଲ କିଣିବା ପାଇଁ ପ୍ରସ୍ତୁତ ରହିବୁ ।''
ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଯୁଦ୍ଧଖୋର ରାଷ୍ଟ୍ରରୁ ଆମଦାନୀ ଓ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି । ତେଣୁ ଋଷିଆ ଅନ୍ୟ ରାଷ୍ଟ୍ରଗୁଡିକୁ ରିହାତିରେ ତେଲ ଅଫର କରୁଛି । ଏପରିସ୍ଥଳେ ଇନ୍ଧନ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କା ଋଷିଆ ଠାରୁ ତେଲ କିଣିବା ଉପରେ ବିଚାର କରୁଛି । ଏକ ମିଡିଆ ସାକ୍ଷାତକାରରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଆହୁରିମଧ୍ୟ କହିଛନ୍ତି ଯେ, ''ଦେଶର ଋଣଭାର ବଢୁଥିବା ସତ୍ତ୍ବେ ବି ସେ ଚୀନ ଠାରୁ ଅଧିକ ସହାୟତା ଗ୍ରହଣ କରିବାକୁ ଆଗ୍ରହୀ ରହିବେ । ୟୁକ୍ରେନ ଯୁଦ୍ଧ ଶ୍ରୀଲଙ୍କା ସ୍ଥିତିକୁ ଆହୁରି ବିପର୍ଯ୍ୟସ୍ତ କରୁଛି । ଏହାର ପ୍ରଭାବରେ ୨୦୨୪ ଯାଏଁ ଦେଶରେ ଖାଦ୍ୟଭାବ ଲାଗି ରହିବ ।'' ତେଲ ସହ ଗହମ ମଧ୍ୟ ତାଙ୍କୁ ଋଷିଆ ଅଫର କରୁଥିବା ପିଏମ ବିକ୍ରମସିଙ୍ଘେ କହିଛନ୍ତି ।
ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ସୁଧୁରୁନାହିଁ । ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ପଡିଥିବା ଯୋଗୁଁ ଦେଶ ବାହାରୁ ଜରୁରୀ ସାମଗ୍ରୀ ଆମଦାନୀ କରିବା କଷ୍ଟସାଧ୍ୟ ହେଉଛି । କିଛି ଦିନ ତଳେ ଅନହାର ମଧ୍ୟରେ ଉବୁଟୁବୁ ଶ୍ରୀଲଙ୍କାବାସୀ ଦେଶବ୍ୟାପୀ ବିକ୍ଷୋଭ କରିଥିଲେ । ଉତ୍କଟ ଆର୍ଥିକ ସମସ୍ୟା ପାଇଁ ସରକାରୀଙ୍କୁ ଦାୟୀ କରି ଇସ୍ତଫା ଦାବି କରିଥିଲେ ନାଗରିକ । ଫଳରେ ଆର୍ଥିକ ସଙ୍କଟ କ୍ରମଶଃ ରାଜନୈତିକ ସଙ୍କଟରେ ରୂପାନ୍ତରିତ ହୋଇଥିଲା ।
ଯେଉଁ କାରଣରୁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ଇସ୍ତଫା ଦେଇଥିଲେ ଏବଂ ଦେଶର ଏହି ଘୋର ସଙ୍କଟରେ ସୁଧାର ଆଣିବାକୁ ରନିଲ ବିକ୍ରମସିଙ୍ଘେ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି । ବର୍ତ୍ତମାନ ଶ୍ରୀଲଙ୍କା ଉପରେ ପ୍ରାୟ ୫୧ ବିଲିୟନ ଡଲାରର ବିଦେଶୀ ଋଣ ବୋଝ ରହିଛି । ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ପଡିଥିବାରୁ ଖାଦ୍ୟ, ଇନ୍ଧନ ଓ ଔଷଧ ଭଳି ଆବଶ୍ୟକୀୟ ସାମଗ୍ରୀ ଆମଦାନୀ ହୋଇପାରୁନାହିଁ । ଯାହାଫଳରେ ଏହାର ନାଗରିକମାନେ ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ସଂଘର୍ଷ କରୁଛନ୍ତି ।