କିଭ୍: ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଇତି ମଧ୍ୟରେ ଯୁଦ୍ଧକୁ ୫୨ ଦିନ ବିତିଯାଇଥିଲେ ମଧ୍ୟ ଯୁଦ୍ଧ ଥମିବା ପରିବର୍ତ୍ତେ ଆହୁରି ଭୟଙ୍କର ହେଉଛି । ଏହି ଯୁଦ୍ଧ ପରିସ୍ଥିତି ସମୟରେ ଆଗାମୀ କିଛି ଦିନ ମଧ୍ୟରେ ୟୁକ୍ରେନ ଗସ୍ତ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ୟୁକ୍ରେନ୍କୁ ଆମେରିକାର କିଛି ବରିଷ୍ଠ ଅଧିକାରୀଙ୍କ ଗସ୍ତ ସଂକ୍ରାନ୍ତରେ ଏକ ପ୍ରଶ୍ନ କରାଯିବାବେଳେ ବାଇଡେନ ୟୁକ୍ରେନ ଯିବାପାଇଁ ପ୍ରସ୍ତୁତ ଅଛନ୍ତି କି ବୋଲି ତାଙ୍କୁ ପଚରାଯାଇଥିଲା । ଏହାର ଉତ୍ତରରେ ବାଇଡେନ୍ କହିଛନ୍ତି ଯେ, ସେ ୟୁକ୍ରେନ୍ ଯିବାପାଇଁ ପ୍ରସ୍ତୁତ ଅଛନ୍ତି। ଏହାସହ ସେ ୟୁରୋପ ଗସ୍ତ କରିବାକୁ ମଧ୍ୟ ପ୍ରସ୍ତୁତ ଥିବା କଥା କହିଛନ୍ତି ।
ଅନ୍ୟପକ୍ଷେ ୟୁକ୍ରେନକୁ ଆମେରିକାର ବରିଷ୍ଠ ଅଧିକାରୀଙ୍କ ଗସ୍ତ ସଂକ୍ରାନ୍ତରେ ବିଚାରବିମର୍ଶ ଜାରି ରହିଛି ବୋଲି ବାଇଡେନ କହିଛନ୍ତି। ହ୍ବାଇଟ ହାଉସ ତରଫରୁ ଏକ ଉଚ୍ଚ ସ୍ତରୀୟ କମିଟି କିଭ ଯାଇ ସ୍ଥତି ପରିଖିବେ । ଏହା ପରେ ବାଇଡେନଙ୍କ ସହ ଆମେରିକାର ଉରାଷ୍ଟ୍ରପତି କମଳାହାରିସ ମଧ୍ୟ ଆମେରିକା ଯିବାକୁ ଯୋଜନା ହୋଇଛି । ଏକ ରିପୋର୍ଟ ଅନୁସାରେ, ଆମେରିକାର ପ୍ରତିରକ୍ଷା ସଚିବ ଲାୟଡ ଅଷ୍ଟିନ ଏବଂ ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ ମଧ୍ୟରୁ କେହି କିଭ୍ ଯାଇ ପାରନ୍ତି। ତେବେ ବାଇଡେନ ଏହା ଉପରେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି । ଏହା ପୂର୍ବରୁ ରାଷ୍ଟ୍ରପତି ବାଇଡେନ ୟୁକ୍ରେନକୁ ୮୦ କୋଟି ଡଲାର ଅତିରିକ୍ତ ସହାୟତା ଦେବାକୁ ଘୋଷଣା କରିଥିଲେ । ବାଇଡେନ କହିଛନ୍ତି ଯେ, ଏହି ଯୁଦ୍ଧ ପରିସ୍ଥିତି ଭିତରେ ୟୁକ୍ରେନକୁ ଦିଆଯାଇଥିବା ଉପରକଣ ଗୁରୁତ୍ବପୂର୍ଣ୍ଣ ଅଟେ ।
ଫେବ୍ରୁଆରୀ ୨୪ରେ ଋଷ୍ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଆମେରିକା ୟୁକ୍ରେନ୍ ସେନାକୁ ୨.୪ ବିଲିଅନ ଡଲାରର ସହାୟତା ଦେଇଛି। ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ, "ଆମେ ଏବେ ଆରାମରେ ବସିବା ସମୟ ନୁହେଁ । ମୁଁ ନିଜେ ଜେଲେନକ୍ସିକୁ ଆଶ୍ବାସନା ଦେଇଥିଲି ଯେ, ଆମେରିକାବାସୀ ସାହାସୀ ସ୍ବାଧିନତା ସଂଗ୍ରାମୀ ୟୁକ୍ରେନ ବାସୀଙ୍କ ସହ ସବୁ ପରିସ୍ଥତି ମଧ୍ୟରେ ସାଙ୍ଗରେ ରହିବେ" । ପ୍ରକାଶଯୋଗ୍ୟ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗତ ଏପ୍ରିଲ ୬ ତାରିଖରେ କିଭ ଯାଇଥିଲେ । ୟୁରୋପୀ ସଂଘ, ଅଷ୍ଟ୍ରିଆ ଏବଂ ପୋଲାଣ୍ଡର ରାଷ୍ଟ୍ର ମୁଖ୍ୟ ଯୁଦ୍ଧ ମଧ୍ୟରେ ୟୁକ୍ରେନ ଗସ୍ତ କରି ସ୍ଥିତି ପରଖିଛନ୍ତି ।